କଣ୍ଟାମାଳ୨୯/୬: ଗତ କିଛିଦିନ ଧରି କଣ୍ଟାମାଳ ବ୍ଲକ ଅଞ୍ଚଳରେ କ୍ରମାଗତ ଭାବେ ବର୍ଷା ଲାଗି ରହିଛି l କ୍ରମାଗତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କଣ୍ଟାମାଳ ରାଜସ୍ବ ସର୍କଲ ତଥା ଖଲିଆପାଲି ଗ୍ରାମପଞ୍ଚାୟତର ବରଡିପଦର ଗ୍ରାମରେ କିଛି ମାଟି ଘର ଭାଙ୍ଗି ଯାଇଥିବା ଜଣାଯାଇଛି l ବର୍ଷା ଯୋଗୁଁ ଏହି ଗ୍ରାମର ପ୍ରେମସିଲା ମଲ୍ଲିକ, ମିନି ମୁଦୁଲି, ଅଯୋଧ୍ୟା ମଲ୍ଲିକ, ଦଣ୍ଡାଧରି ଛତ୍ରିଆ, ଟିକୁନୁ ଗୁରୁ ଆଦିଙ୍କ ଘର ଭାଙ୍ଗି ଯାଇଛି l ଘର ଭାଙ୍ଗିବା ହେତୁ ବର୍ଷାରେ ଘରର ବହୁ ଆସବାବ ପତ୍ର ସହ ଧାନ, ଚାଉଳ ଭିଜି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l ସରକାର ଗ୍ରାମାଞ୍ଚଳରେ ସମସ୍ତ ଲୋକଙ୍କ ପାଇଁ ମୁଣ୍ଡ ଉପରେ ପକ୍କାଘର ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦେବା ପାଇଁ କହୁଥିବା ବେଳେ ତାହା ବାସ୍ତବତା ଠାରୁ ବହୁ ଦୂରରେ l ଅଦ୍ୟାବଧି ଅର୍ଥାଭାବରୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘର ଖଣ୍ଡିଏ ଗଢିବା ବହୁ ଗରିବ ଖଟିଖିଆଙ୍କ ପାଇଁ ସ୍ବପ୍ନ ପାଲଟିଛି l ଫଳରେ ଝାଟିମାଟି ଘରେ କଷ୍ଟରେ ଦିନ ବିତୁଛି l ରାଜସ୍ବ ବିଭାଗ ପକ୍ଷରୁ ତୁରନ୍ତ ପୀଡିତ ଲୋକମାନଙ୍କ ନିକଟକୁ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଶାସନ ତରଫରୁ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି l ବର୍ଷାରେ ଘର ଭାଙ୍ଗିବା ଖବର ପାଇ ଉକ୍ତ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ତୁରନ୍ତ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଏ ସମ୍ପର୍କରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଜିଲ୍ଲାପାଳ ବୌଦ୍ଧଙ୍କୁ ଟୁଇଟ ଯୋଗେ ସୂଚନା ଦେଇଥିବା ଜଣାଯାଇଛି l