ନୂଆଦିଲ୍ଲୀ ୦୩/୦୧: ବ୍ରିଟିଶ ପର୍ବତାରୋହୀ, ପାରାକ୍ଲାଇମ୍ବର ଜେସି ଡଫ୍ଟନ୍ । ଜନ୍ମରୁ ସେ କୋନ୍-ରଡ୍ ଡ୍ରିସ୍ଟ୍ରୋଫିରେ ପୀଡ଼ିତ । ଯେଉଁଥିପାଇଁ ସେ ଦୃଷ୍ଟିଶକ୍ତି ହରାଇଛନ୍ତି । କେବଳ ଆଲୋକଠୁ ଅଧିକ ସେ ଦେଖିପାରନ୍ତି ନାହିଁ । କିନ୍ତୁ ପର୍ବତାରୋହଣ ଜରିଆରେ ସେ ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କ ସାହସ ଓ ସଂକଳ୍ପ ଆଗରେ ଶାରୀରିକ ଅକ୍ଷମତା ହାର୍ ମାନିଛି । ନିକଟରେ ଡଫ୍ଟନ୍ ୱୋମିଙ୍ଗ୍ ସ୍ଥିତ ବିପଦପୂର୍ଣ୍ଣ ଏଲ୍ ମାଟାଡୋର ପର୍ବତ ଆରୋହଣ କରିଛନ୍ତି । ଡେଭିଲ୍ସ ଟାୱାର ନାମରେ ମଧ୍ୟ ଏହା ପରିଚିତ । ଡଫ୍ଟନ୍ ଯେତେବେଳେ ୫୦୦ ଫୁଟର ଏହି ପର୍ବତ ଆରୋହଣ କରୁଥିଲେ, ଛୋଟ ଛୋଟ ପଥର ଖସି ତାଙ୍କ ଉପରେ ପଡୁଥିଲା । ତାଙ୍କ ପତ୍ନୀ ତଥା ତାଙ୍କ ସାଥୀ ପର୍ବତାରୋହୀ ମୋଲି ଡଫ୍ଟନ୍ ତଳେ ଥାଇ ତାଙ୍କର ମାର୍ଗଦର୍ଶନ କରାଉଥିଲେ । ଡଫ୍ଟନ୍ ଛୋଟ ଛୋଟ ସାହାରାକୁ ଧରି ଏବଂ ପାହାଡ଼ ସନ୍ଧିରେ ଗୋଡ଼କୁ ରଖି ଉପରକୁ ଉଠୁଥିଲେ ।
ଡଫ୍ଟନ୍ ଦୃଷ୍ଟିଶକ୍ତି ହରାଇଥିଲେ ବି ଏଲ୍ ମାଟାଡୋର୍ର କେତେ ଉପରକୁ ଚଢୁଥିଲେ, ତାହା ଭଲଭାବେ ଜାଣିପାରୁଥିଲେ । ପାଦ ତଳେ ଉଡୁଥିବା ପକ୍ଷୀଙ୍କ ଶବ୍ଦ ଓ ପବନର ସ୍ପର୍ଶ ତାଙ୍କୁ ଏହାର ସଙ୍କେତ ଦେଉଥିଲା । କିନ୍ତୁ ସେ ସମ୍ପୂର୍ଣ୍ଣ ନିର୍ଭୀକ ଥିଲେ । ଡଫ୍ଟନ୍ କହିଛନ୍ତି, ପାହାଡ଼ ଉପରେ ଥିଲେ ସେ ଆଦୌ ଚିନ୍ତା କରନ୍ତି ନାହିଁ । ଏଲ୍ ମାଟାଡୋର ଆରୋହଣ ଲାଗି ଡଫ୍ଟନ୍ ଓ ମୋଲିଙ୍କୁ ମାତ୍ର ଗୋଟିଏ ଦିନ ସମୟ ଲାଗିଲା । ଭୟଙ୍କର ଫାଟ ଓ ସ୍ତମ୍ଭଯୁକ୍ତ ଏହି ବିଶାଳ ଏକକ ପାହାଡ଼ ଆରୋହଣରେ ଡଫ୍ଟନ୍ ପ୍ରଥମ ଦୃଷ୍ଟିହୀନ ବ୍ୟକ୍ତି । ‘କ୍ଲାଇମ୍ବିଂ ବ୍ଲାଇଣ୍ଡ୍ ୨’ ଶୀର୍ଷକ ସଦ୍ୟ ମୁକ୍ତିପ୍ରାପ୍ତ ଡକ୍ୟୁମେଣ୍ଟାରୀରେ ତାଙ୍କର ଏହି ଦୁଃସାହସିକ ଯାତ୍ରା ସ୍ଥାନ ପାଇଛି । ଏଲ୍ ମାଟାଡୋର ଆରୋହଣ ଏପର୍ଯ୍ୟନ୍ତର ସବୁଠୁ କଷ୍ଟକର ଯାତ୍ରା ଥିଲା ବୋଲି ଡଫ୍ଟନ୍ କହିଛନ୍ତି । ଏଲ୍ ମାଟାଡୋର ଆରୋହଣ ସମୟରେ ସେ ଅନେକ ଥର ତଳକୁ ଖସିଥିଲେ । କିନ୍ତୁ ପ୍ରସ୍ତୁତି ଓ ମୁକାବିଲା ପଦ୍ଧତି ତାଙ୍କୁ ସଫଳ କଲା ।

ଡଫ୍ଟନ୍ ମାତ୍ର ୨ ବର୍ଷ ବୟସରେ ପର୍ବତାରୋହଣ ଆରମ୍ଭ କରିଥିଲେ । ୧୧ ବର୍ଷ ବୟସ ବେଳକୁ ତାଙ୍କର ଦୃଷ୍ଟିଶକ୍ତି ମାତ୍ର ୨୦ ପ୍ରତିଶତ ଥିଲା । ଧୀରେ ଧୀରେ ତାଙ୍କ ଦୃଷ୍ଟିଶକ୍ତି ଆହୁରି ଖରାପ ହୋଇଚାଲିଲା । ଏବେ ୩୯ ବର୍ଷ ବୟସରେ ସେ କେବଳ ଆଲୋକକୁ ଜାଣିପାରୁଛନ୍ତି । ସ୍କଟ୍ଲାଣ୍ଡର ଅର୍କନି ଦ୍ୱୀପପୁଞ୍ଜରେ ଅବସ୍ଥିତ ପ୍ରସିଦ୍ଧ ଓଲ୍ଡ ମ୍ୟାନ୍ ଅଫ୍ ହୋଏ ପର୍ବତ ସେ ଆରୋହଣ କରିଛନ୍ତି । ସେ ମୋରୋକ୍କୋର ଲେଜର୍ ଆଟ୍ଲାସ ମାଉଣ୍ଟେନ୍ସରେ ସ୍ଥିତ ବହୁମାର୍ଗଯୁକ୍ତ ୩୦୦ ଫୁଟର ଏକ ପାହାଡ଼ ଆରୋହଣ କରିଥିବା ପ୍ରଥମ ଦୃଷ୍ଟିହୀନ ବ୍ୟକ୍ତିର ମାନ୍ୟତା ପାଇଛନ୍ତି । ସମସ୍ୟାକୁ ବାଧକ ମାନି ବସିଯିବା ବଦଳରେ ଡଫ୍ଟନ୍ ଜଟିଳ ପାହାଡ଼ ମୁଣ୍ଡିଆଗୁଡ଼ିକର ଆରୋହଣ ଜାରି ରଖିଛନ୍ତି ଆଉ ନିଜ ଭାଗ୍ୟକୁ ଆଙ୍ଗୁଳି ଦେଖାଇ ଖୁବ୍ ଉପହାସ କରିଛନ୍ତି । ସେ କହିଛନ୍ତି, ମୋର ରୋଗ ମୋ ଜୀବନର ପସନ୍ଦକୁ ଚୟନ କରୁ ବୋଲି ମୁଁ ଚାହେଁନାହିଁ । ୨୦ ବର୍ଷ ତଳେ ଡଫ୍ଟନ୍ ଓ ମୋଲି ବିଶ୍ୱବିଦ୍ୟାଳୟରେ ପରସ୍ପରକୁ ଭେଟିଥିଲେ । ତା’ପରଠୁ ଉଭୟ ଏକାଠି ପର୍ବତାରୋହଣ କରୁଛନ୍ତି । ଦୁହେଁ ଅଦ୍ୟାବଧି ୨୦୦୦ରୁ ଅଧିକ ପର୍ବତ ମାର୍ଗ ଏକାଠି ଆରୋହଣ କରିଛନ୍ତି । ପର୍ବତାରୋହଣ ଉଭୟଙ୍କର ପାସନ୍ । ଦମ୍ପତି ଭାବେ ନିଜ ଜୀବନକୁ ଦୁହେଁ ଦୁହିଁଙ୍କ ପାଇଁ ସମର୍ପିତ କରିଛନ୍ତି, ଯାହା ପର୍ବତାରୋହଣରେ ଉଭୟଙ୍କ ପ୍ରତି ବିଶ୍ୱାସକୁ ଦୃଢ଼ କରିଛି ।