ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ଇସଲାମାବାଦରେ ହୋଇଥିବା ଶାନ୍ତି ବାର୍ତ୍ତା ଭାଙ୍ଗି ଯାଇଛି କିମ୍ୱା କହିବା ଯଦି ଦୁଇ ଦେଶ କୌଣସି ଫଳାଫଳରେ ପହଞ୍ଚି ପାରି ନାହାନ୍ତି। ୧୫ ଦିନର ଯୁଦ୍ଧ ବିରତି ଲାଗୁ ହେବାର ଚାରି ପାଞ୍ଚ ଦିନ ବିତି ସାରିଛି। ଏହି ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଧମକ ଦେଇଛନ୍ତି ଯେ, ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଯେକୌଣସି ସ୍ଥିତିରେ ଦୁନିଆ ପାଇଁ ଖୋଲିବେ। ଏଥିପାଇଁ ଯାହା କିଛି ବି କରିବାକୁ ହେବ , ତାଙ୍କର ସେନା କରିବ। ପାଖାପାଖି ଏକ ମାସରୁ ଅଧିକ ଚାଲିଥିବା ଯୁଦ୍ଧ ,ଏକ ପନ୍ଦର ଦିନ ଧରି ଯୁଦ୍ଧବିରତି ଘୋଷଣା କରାଯାଇଛି ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଅନିଷ୍କର୍ଷ ଶାନ୍ତି ଆଲୋଚନାର ତୁରନ୍ତ ପରେ , ଟ୍ରମ୍ପଙ୍କ ଧମକ ପରେ ଇରାନ ଏକ ମିମ୍ ମାଧ୍ୟମରେ ଟ୍ରମ୍ପଙ୍କୁ ଏକ ବାର୍ତ୍ତା ପଠାଇଛି, ଯେଉଁଥିରେ କୁହାଯାଇଛି ଯେ ସେ ମୁଣ୍ଡ ନୁଆଁଇ ନାହିଁ କିମ୍ବା ମୁଣ୍ଡ ନୁଆଁଇବ ନାହିଁ। ଏହି ମିମ୍ ରେ ଟ୍ରମ୍ପଙ୍କୁ ଘୋଡାରେ ବସି ଇରାନ ରାଜାଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇଥିବା ଦର୍ଶାଯାଇଛି।

ଉକ୍ତ ମିମ୍ ସେହି ଘଟଣାକୁ ମନେ ପକାଇ ଦେଇଛି ଯେ, ଯେତେବେଳେ ରୋମାନ ସମ୍ରାଟଙ୍କୁ ପାରସ୍ୟର ରାଜାଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ି ଥିଲା, କାରଣ ସେ ଯୁଦ୍ଧରେ ହାରି ଯାଇ ଥିଲେ। ତାଜା ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନର ପରିସ୍ଥିତିରେ ,ସେହି ଐତିହାସିକ ଘଟଣାକୁ ମନେ ପକାଇବା ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଘଟଣାଟି ପ୍ରକୃତରେ କ'ଣ ଥିଲା ? ରୋମାନ ଏବଂ ପାରସ୍ୟ ରାଜା କିଏ ଥିଲେ ? ଏହା କେବେ ଘଟିଥିଲା ?

ଆମେରିକା –ଇରାନ ସମ୍ୱନ୍ଧ ଅନେକ ଦିନରୁ ଖରାପ ଚାଲିଛି। ଏହି ସମୟରେ ଦେଶ ଦେଶ ମଧ୍ୟରେ ବିବାଦ କୌଣସି ନୂଆ କଥା ନୁହେଁ। ନିକଟରେ ମାମଲା ସେତେବେଳେ ହଠାତ୍ ବିଗିଡ଼ି ଗଲା , ଯେବେ ଆମେରିକା-ଇସ୍ରାଏଲ ମିଳିତ ଭାବେ ଗତ ୨୮ ଫେବ୍ରୁଆରୀରେ ଇରାନ ଉପରେ ହମଲା କରି ଦେଇଥିଲେ। ଏହି ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା। ପୁଣି ଶାନ୍ତି ବାର୍ତ୍ତା ବି ସ୍ଥିର ହେଲା। ଦୁଇ ଦେଶ ସାମ୍ନା ସାମ୍ନି ବସିଲେ , କିନ୍ତୁ କିଛି ଫଳ ବାହାରିଲା ନାହିଁ। ସେତେବେଳେ ଆମେରିକୀୟ ରାଷ୍ଟ୍ରପତି ପୁଣି ଖେ ଧମକ ଦେଲେ , ସେ ସୋସିଆଲ ମିଡ଼ିଆରେ ଇରାନକୁ କଡ଼ା ଚେତାବନୀ ଦେଇଥିଲେ । ସେ ଇରାନର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଠିକଣାକୁ ଟାର୍ଗେଟ୍ କରିବା କଥା କହିଥିଲେ। ଏଥିରେ ସାଂସ୍କୃତିକ ଐିତିହ୍ୟର ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ। ଟ୍ରମ୍ପଙ୍କ ଏହି ବିବୃତ୍ତି ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।

ଟ୍ରମ୍ପଙ୍କ ଏହି ଧମକର ଜବାବରେ, ଇରାନୀମାନେ ପଛକୁ ହଟି ନଥିଲେ। ସେମାନେ ବନ୍ଧୁକର ବ୍ୟବହାର କରିବା ସ୍ଥାନରେ ଇତିହାସର ଆଶ୍ରୟ ନେଇଛନ୍ତି। ଇରାନରେ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ଚିତ୍ର ଅର୍ଥାତ୍ ଏକ ମିମ୍ ଭାଇରାଲ ହେବାରେ ଲାଗିଲା। ଏହି ଚିତ୍ରରେ ଜଣେ ପ୍ରାଚୀନ ଇରାନୀ ରାଜା ଏବଂ ଜଣେ ରୋମାନ ସମ୍ରାଟ ନଜର ଆସୁଛନ୍ତି। ମିମ୍ର ବାର୍ତ୍ତା ସ୍ପଷ୍ଟ ଥିଲା ଯେ, ଇରାନ ପୂର୍ବରୁ ମଧ୍ୟ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତିଗୁଡ଼ିକୁ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ କରିଥିଲା। ବାସ୍ତବରେ, ଏହି ମିମ୍ କେବଳ ଏକ ମଜାକ୍ ନୁହେଁ, ଏହା ପ୍ରାୟ ୧୭୦୦ ବର୍ଷ ପୁରୁଣା। ଯେତେବେଳେ ପାରସ୍ୟ ଅର୍ଥାତ୍ ପ୍ରାଚୀନ ଇରାନ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି, ରୋମାନ ସାମ୍ରାଜ୍ୟକୁ ଏକ କଡ଼ା ପରାଜୟ ଦେଇଥିଲା।

ଏହି କାହାଣୀଟି ୩ୟ ଶତାବ୍ଦୀର। ସେହି ସମୟରେ ବିଶ୍ୱରେ ଦୁଇଟି ବଡ଼ ଶକ୍ତି ଥିଲେ। ଗୋଟିଏ ପଟେ ଶକ୍ତିଶାଳୀ ରୋମାନ୍ ସାମ୍ରାଜ୍ୟ ଏବଂ ଅନ୍ୟପଟେ ଥିଲା ପାରସ୍ୟର ସସାନୀ ସାମ୍ରାଜ୍ୟ। ସେହି ସମୟରେ, ଇରାନ ରାଜା ଶାପୁର ପ୍ରଥମଙ୍କ ଦ୍ୱାରା ଶାସିତ ହେଉଥିଲା, ଯିଏ ଜଣେ ଅତ୍ୟନ୍ତ ଦକ୍ଷ ଯୋଦ୍ଧା ଏବଂ ଶାସକ ଥିଲେ। ରୋମାନ୍ ସାମ୍ରାଜ୍ୟ ଏବଂ ପାରସ୍ୟ ମଧ୍ୟରେ ଯୁଦ୍ଧ ପ୍ରାୟତଃ ହେଉଥିଲା। ରୋମାନ୍ ସମ୍ରାଟ ଭାଲେରିଆନ୍ ପାରସ୍ୟ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ସେନାର ନେତୃତ୍ୱ ନେଇଥିଲେ। ସେ ବିଜୟ ପାଇଁ ଆତ୍ମବିଶ୍ୱାସୀ ଥିଲେ, କିନ୍ତୁ ରୋମାନ୍ ସେନା ଶାପୁର ପ୍ରଥମଙ୍କ ରଣନୀତିକୁ ପ୍ରତିହତ କରିପାରି ନଥିଲେ।

୨୬୦ ଖ୍ରୀଷ୍ଟାଦ୍ଦରେ ଏଡ୍ରେସାର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧପେ ରୋମାନ ସେନା ଅତି ଦୟନୀୟ ଭାବେ ହାରି ଯାଇଥିଲା। ଇତିହାସରେ ଏହି ପରାଜୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପ୍ରଥମ ଥର ପାଇଁ ଜଣେ ରୋମାନ୍ ସମ୍ରାଟଙ୍କୁ ଜୀବିତ ଧରାଯାଇ ଥିଲା। ସସାନୀ ରାଜା ଶାପୁର ପ୍ରଥମ ରୋମାନ୍ ସମ୍ରାଟ ଭାଲେରିଆନଙ୍କୁ ଯୁଦ୍ଧ ମୈଦାନରେ ବନ୍ଦୀ କରି ଥିଲେ। ଏହାକୁ ରୋମାନ୍ ଇତିହାସରେ ସବୁଠାରୁ ବଡ଼ ଅପମାନ ବୋଲି ବିବେଚନା କରାଯାଏ। ଭାଲେରିଆନ୍ ଏକମାତ୍ର ରୋମାନ୍ ସମ୍ରାଟ ଥିଲେ ଯିଏକି ଏକ ଶତ୍ରୁ ରାଷ୍ଟ୍ର ଦ୍ୱାରା ଯୁଦ୍ଧରେ ବନ୍ଦୀ ହୋଇଥିଲେ। ଏହି ଘଟଣା ସସାନୀ ସାମ୍ରାଜ୍ୟର ଶକ୍ତିର ପ୍ରତୀକ ପାଲଟି ଯାଇଛି।

କୁହାଯାଏ ଯେ, ଶାପୁର ପ୍ରଥମ , ସମ୍ରାଟ ଭାଲେରିଆନଙ୍କ ସହିତ ବହୁତ ଖରାପ ବ୍ୟବହାର କରିଥିଲେ। କିଛି କାହାଣୀ ଅନୁସାରେ, ଯେତେବେଳେ ଶାପୁର ପ୍ରଥମଙ୍କୁ ଗିରଫ ପରେ ତାଙ୍କ ଘୋଡା ଉପରେ ଚଢ଼ିବାକୁ ପଡିଲା, ସେ ଭାଲେରିଆନଙ୍କ ପିଠିକୁ ଏକ ପାହାଚ ଭାବରେ ବ୍ୟବହାର କଲେ। ରାଜା ତାଙ୍କ ଉପରେ ପାଦ ଦେଇ ଘୋଡା ଉପରେ ଚଢ଼ିବା ପାଇଁ ଭାଲେରିଆନଙ୍କୁ ନଇଁବାକୁ ପଡିଲା। କୁହାଯାଏ ଯେ ଯେତେବେଳେ ଭାଲେରିଆନ୍ ଏହି ବନ୍ଦୀତ୍ୱ ସମୟରେ ମୃତ୍ୟୁବରଣ କରିଥିଲେ, ତାଙ୍କ ଶରୀରକୁ ନଡ଼ାରେ ଭର୍ତ୍ତି କରି ପାରସ୍ୟରେ ଏକ ଟ୍ରଫି ଭାବରେ ରଖାଯାଇ ଥିଲା। ଏହା ବିଶ୍ୱକୁ ପାରସ୍ୟର ଶକ୍ତି ପ୍ରଦର୍ଶନ କରିବା ପାଇଁ କରାଯାଇଥିଲା। ଇରାନର ଲୋକମାନେ ଏହି କାହାଣୀଗୁଡ଼ିକୁ ବିଭିନ୍ନ ଉପାୟରେ କୁହନ୍ତି। ତଥାପି, ଆଧୁନିକ ଐତିହାସିକମାନେ ଏହି କାହାଣୀଗୁଡ଼ିକୁ କେବଳ ଗୁଜବ ବୋଲି ବିବେଚନା କରନ୍ତି।

ଆଜି ମଧ୍ୟ ଇରାନରେ ନକ୍ସ-ଏ ରୁସ୍ତମ ନାମକ ଏକ ସ୍ଥାନ ଅଛି। ସେଠାକାର ପର୍ବତଗୁଡ଼ିକରେ ବଡ଼ ବଡ଼ ଚିତ୍ର ଖୋଦିତ ହୋଇଛି। ଏହି ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ବହୁତ ପ୍ରସିଦ୍ଧ। ଏହି ଚିତ୍ରରେ ରାଜା ଶାପୁର ପ୍ରଥମ ଘୋଡା ଉପରେ ଚଢ଼ିଛନ୍ତି। ତାଙ୍କ ପୂର୍ବରୁ ରୋମାନ ସମ୍ରାଟ ଭାଲେରିଆନ ଆଣ୍ଠୁମାଡ଼ି ଦୟା ଭିକ୍ଷା କରୁଛନ୍ତି। ଏହା ପଥରରେ ଖୋଦିତ ଇତିହାସ। ଟ୍ରମ୍ପଙ୍କ ଧମକ ପରେ ଇରାନରେ ଭାଇରାଲ ହୋଇଥିବା ଏହି ଚିତ୍ର।

ଏହା ମଧ୍ୟ ପଢନ୍ତୁ : ଆମର ଯୁଦ୍ଧ ନୁହେଁ , ଆମେ ଫସିବୁ ନାହିଁ : ହର୍ମୁଜ ଯୋଜନାକୁ ନେଇ ଟ୍ରମ୍ପଙ୍କୁ ସମର୍ଥନ କରୁ ନାହାନ୍ତି ମିତ୍ର ଦେଶ