ଭୁବନେଶ୍ବର, ୨୨/୧ : ଛୁଆଟିଏ ଜନ୍ମ ଦେବା ସବୁ ବାପା ମାଆଙ୍କ ସ୍ବପ୍ନ । ମାତୃତ୍ବ ଲାଭ କରିବା ପାଇଁ ଆମ ସମାଜରେ କେତେ ପୂଜା ବ୍ରତ କରନ୍ତି । ଡାକ୍ତରଙ୍କ ପରାମର୍ଶ ନେବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି । ପ୍ରଥମ ସନ୍ତାନ ଜନ୍ମ ହେବା ସମସ୍ତଙ୍କୁ ଖୁସି ଦେଇଥାଏ । ଯଦି ପ୍ରଥମେ ଝିଅ ହୁଏ କିମ୍ବା ପୁଅ ତାହେଲେ ପ୍ରାୟ ଲୋକେ ଦ୍ବିତୀୟ ସନ୍ତାନ ପାଇଁ ଇଛା କରିଥାନ୍ତି । ତେବେ ମାତୃତ୍ବ କଷ୍ଟ ଏତେ ସହଜ ନୁହେଁ । ମହିଳାମାନେ ମାଆ ହେଲେ ଅନେକ କଷ୍ଟ ଅନୁଭବ କରିଥାନ୍ତି । ଗର୍ଭାବସ୍ଥାରେ ଶରୀର ଉପରେ ଅଧିକ ଚାପ ପଡ଼ିଥାଏ । ଥକ୍କାପଣ, ଦୁର୍ବଳତା ଏବଂ ଜଟିଳତାର ଆଶଙ୍କା ବୃଦ୍ଧି ପାଏ। ପ୍ରଥମ ସନ୍ତାନର ଯତ୍ନ ନେବା ସହିତ ମା'ର ସୁସ୍ଥତାକୁ ସନ୍ତୁଳିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଣୁ ଦ୍ବିତୀୟ ସନ୍ତାନ ଜନ୍ମ ଦେବା ପୂର୍ବରୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।

ଦ୍ବିତୀୟ ସନ୍ତାନ ପାଇଁ କେତେ ଗ୍ୟାପ୍ ଜରୁରୀ ?

ଆରଏମଏଲ ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ସଲୋନି ଚଢାକହିଛନ୍ତି କି, ପ୍ରଥମ ପ୍ରସବ ପରେ ୧୮ ରୁ ୨୪ ମାସର ବ୍ୟବଧାନ ସାଧାରଣତଃ ଦ୍ୱିତୀୟ ସନ୍ତାନ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । ଏହି ସମୟ ମା'ଙ୍କ ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଏବଂ ତାଙ୍କ ପୁଷ୍ଟିସାର ସ୍ତରକୁ ଉନ୍ନତ କରିବାକୁ ଅନୁମତି ଦିଏ । ଯଦି ପ୍ରଥମ ପ୍ରସବ ସିଜରିଙ୍ଗ ହୋଇଥାଏ ତେବେ ସିଲେଇ ଏବଂ ଗର୍ଭାଶୟକୁ ସୁସ୍ଥ ହେବା ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଜରୁରୀ । କମ୍ ବ୍ୟବଧାନରେ ଯଦି ଦ୍ବିତୀୟ ସନ୍ତାନ ପାଇଁ ଗର୍ଭଧାରଣ କରନ୍ତି ତାହେଲେ ମାଆଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ ।

ଏହି ବ୍ୟବଧାନ କାହିଁକି ଗୁରୁତ୍ୱପୂର୍ଣ୍ଣ?

ପ୍ରଥମ ଏବଂ ଦ୍ୱିତୀୟ ଗର୍ଭାବସ୍ଥା ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ବଜାୟ ରଖିବା ଦ୍ଵାରା ମା'ର ଶରୀରରୁ କମିଥିବା ପୁଷ୍ଟିକର ପଦାର୍ଥ ପୂରଣ କରିବା ପାଇଁ ସମୟ ମିଳିଥାଏ । ଏହା ରକ୍ତହୀନତା, ଦୁର୍ବଳତା ଏବଂ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ । ସଠିକ୍ ବ୍ୟବଧାନ ବଜାୟ ରଖିବା ଦ୍ଵାରା ଗର୍ଭାଶୟ ଏବଂ ପେଲଭିସ୍ ମାଂସପେଶୀ ମଜବୁତ ହୁଏ, ଯାହା ପରବର୍ତ୍ତୀ ଗର୍ଭାବସ୍ଥାକୁ ସୁରକ୍ଷିତ କରିଥାଏ । ଏହା ସହିତ, ପ୍ରଥମ ସନ୍ତାନର ଯତ୍ନ ନେବା ଏବଂ ସ୍ତନ୍ୟପାନ କରାଇବା ଉପରେ ପୂର୍ଣ୍ଣ ଧ୍ୟାନ ଦିଆଯାଇପାରିବ । ମା’ ମାନସିକ ଭାବରେ ନିଜ ସ୍ବାସ୍ଥ୍ୟ ଉପରେ ଯତ୍ନବାନ ହେବା ଜରୁରୀ । ମାନସିକ ଭାବେ ଦ୍ବିତୀୟ ସନ୍ତାନ ଜନ୍ମ ଦେବା ପାଇଁ ମାଆ ପ୍ରସ୍ତୁତ ହେବା ଗୁରୁତ୍ବପୂର୍ଣ୍ଣ । ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।