ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ମଧ୍ୟରେ ଇରାନ ଅନେକ ଦିନରୁ ହୋର୍ମୁଜ ପ୍ରଣାଳୀରେ ନିଜର କ୍ଷମତାକୁ ବଳବତ୍ତର କରିଛି। ତୈଳ ଜାହାଜ ଗୁଡ଼ିକର ଯାତାୟାତରେ ରୋକ୍ ଲଗେଇଛି। ଆଉ ମଧ୍ୟ ଅନେକ ଦେଶର ଜାହାଜକୁ ସେ ପାଣିରେ ବୁଡ଼ାଇ ଦେଇଛି। ହେଲେ , ଭାରତକୁ ବଡ଼ କୂଟନୀତିକ ସଫଳତା ଗତ ସପ୍ତାହରେ ସେତେବେଳେ ମିଳିଥିଲା , ଯେବେ ଦୁଇଟି ଏଲପିଜି ଟ୍ୟାଙ୍କରକୁ ସେ ହୋର୍ମୁଜ ଅତିକ୍ରମ କରିବାରେ ଅନୁମତି ଦେଇଥିଲା। ଉକ୍ତ ମାମଲାରେ ଏବେ ବଡ଼ ଖୁଲାସା ହୋଇଛି। ଗତ ସପ୍ତାହରେ ହୋର୍ମୁଜ ରାସ୍ତାରେ ଭାରତରେ ପହଞ୍ଚି ଥିବା ଜାହାଜ ବିଷୟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିଜେ ଇରାନୀ ନୌସେନା ଟ୍ୟାଙ୍କରକୁ ହୋର୍ମୁଜ ଦେଇ ଯିବାରେ ଭାରତର ସାହାଯ୍ୟ କରି ଥିଲେ। ନୂଆଦିଲ୍ଲୀର କୂଟନୀତିକ ଚେଷ୍ଟା ପରେ , ଜାହାଜକୁ ପୂର୍ବରୁ ନିର୍ଦ୍ଦିଷ୍ଟ ରାସ୍ତା ଦେଇ ଯିବାରେ ଅନୁମତି ଦିଆଯାଇ ଥିଲା।
ବ୍ଲୁମବର୍ଗର ରିପୋର୍ଟ ଅନୁସାରେ , ଜଣେ ଅଧିକାରୀ ନିଜର ନାଁ ଗୋପନ ରଖିବାକୁ ସର୍ତ୍ତ ରଖିଥିଲେ , କାରଣ ତାଙ୍କ ଜାହାଜରୁ କ୍ରୁକୁ ମିଡ଼ିଆ ସହ କଥା ହେବାକୁ ଅନୁମତି ନଥିଲା। ତାଙ୍କ କଥାରୁ ବିଶ୍ଳେଷକଙ୍କୁ ଏହି କଥା ସ୍ପଷ୍ଟ ହେଉଛି ଯେ, ଇରାନ ଏହି ପ୍ରଣାଳୀରେ ଏକ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ ଲାଗୁ କରିବାକୁ ଚେଷ୍ଟା କରୁଛି। ଏହି ଅନୁସାରେ ସେ ନିଜର ମିତ୍ର ଦେଶ ଗୁଡ଼ିକର ଜାହାଜ ଗୁଡ଼ିକୁ ସୁରକ୍ଷିତ ରାସ୍ତା ଦେଇଥାଏ, ଅନ୍ୟପଟେ ଅନ୍ୟ ମାନଙ୍କୁ ଆକ୍ରମଣର ଭୟ ରହିଥାଏ। ସେ କହିଛନ୍ତି ଯେ, ଏହି ଯାତ୍ରା ବେଳେ , ଅଧିକାରୀଙ୍କ ଜାହାଜ ରେଡିଓ ମାଧ୍ୟମରେ ଇରାନୀ ନୌସେନାର ସଂପର୍କରେ ଥିଲେ। ଇରାନୀମାନେ ଜାହାଜର ପତାକା , ନାମ , ଆରମ୍ଭ ଓ ପହଞ୍ଚିବାର ବନ୍ଦର ଓ ଚାଳକ ଦଳର ସଦସ୍ୟଙ୍କ ଜାତୀୟତା , ଯିଏ ସବୁ ଭାରତୀୟ ଥିଲେ, ସେମାନଙ୍କର ସୂଚନା ନେଲେ ଏବଂ ତାଙ୍କୁ ଲକ୍ଷ୍ୟ ରାସ୍ତାରେ ଆଗକୁ ବଢିବାକୁ ନିର୍ଦ୍ଦେଶ ଦେଲେ।
ଇଓଏସ୍ ରିସ୍କ ଗ୍ରୁପ୍ରେ ପରାମର୍ଶଦାତା ବିଭାଗର ପ୍ରମୁଥ ମାର୍ଟିନ କେଲି କହିଛନ୍ତି – ଏମିତି ଲାଗୁଛି ଯେ, ଇରାନ କିଛି ବଛା ବଛା ଜାହାଜକୁ ହିଁ ହୋର୍ମୁଜ ଦେଇ ଗତି କରିବାକୁ ଅନୁମତି ଦେଉଛି ଏବଂ ଏହି ଅନୁମତି ଜାହାଜର ଇରାନୀ ଜଲକ୍ଷେତ୍ରରେ ପ୍ରବେଶ କରିବା ବେଳେ ହେବାକୁ ଥିବା ଯାଞ୍ଚ ପରେ ଦିଆଯାଉଛି। ସେ ଆହୁରି କହିଛନ୍ତି , ଜାହାଜ ଗୁଡ଼ିକୁ ସେଠାରୁ ବାହାରିବାକୁ ଅନୁମତି ତ ଦିଆ ଯାଉଛି , ହେଲେ ଏହାର ଅଧିକାଂଶ ଫାଇଦା କେବଳ ଇରାନକୁ ହିଁ ହେଉଛି। ଏହି ଷ୍ଟ୍ରେଟ୍ ଦେଇ ଯାଉଥିବା ଜାହାଜକୁ ନେଇ ଇରାନ ଦ୍ୱାରା ଦିଆଯାଉ ଥିବା ଧମକରେ , ତେହେରାନ ସରକାରକୁ ବିଶ୍ୱ ଶକ୍ତି ମାର୍କେଟ୍ ଗୁଡ଼ିକ ଉପରେ ଦବଦବା ସୃଷ୍ଟି କରିବାକୁ ସୁଯୋଗ ମିଳୁଛି।