ଭୁବନେଶ୍ଵର, ୨୭/୧୨ : କ’ଣ ଆପଣଙ୍କୁ ଶୀତରେ ସାରାଦିନ ଅଳସୁଆ ଅନୁଭବ ହେଉଛି କି? ଅବଶ୍ୟ ପ୍ରାୟ ଲୋକ ଏହି ଋତୁରେ ଅଳସୁଆ ଅନୁଭବ କରିଥାନ୍ତି । କିଛି ଲୋକ ରେଜେଇ ବା କମ୍ବଳ ଭିତରୁ ବାହାରିବାକୁ ଇଚ୍ଛା କରି ନଥାନ୍ତି । ଯଦିଓ ବାହାରକୁ ଯିବାକୁ ବାଧ୍ୟ ହୋଇଥାନ୍ତି, ତେବେ ଗରମ ଚା’ କିମ୍ବା ସୁପ୍‌ ପିଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି କି କେବଳ ଶୀତ ଋତୁରେ ଏପରି କାହିଁକି ହୁଏ? ଚାଲନ୍ତୁ ଜାଣିବା ଏହାର କାରଣ ଓ ଦୂର କରିବାର ଉପାୟ । ଶୀତଦିନେ ଅଳସ ଲାଗିବାର ଅନେକ କାରଣ ରହିଛି । ଯେପରିକି 

ଭିଟାମିନ୍‌- ଡି’ର ଅଭାବ 

ସୂର୍ଯ୍ୟକିରଣ ଅଭାବରୁ ଶରୀରକୁ କମ୍‌ ଭିଟାମିନ୍‌-ଡି' ମିଳିଥାଏ । ଭିଟାମିନ୍‌-ଡି’ର ଅଭାବ ଶରୀରକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ହର୍‌ମୋନଜନିତ ଅସନ୍ତୁଳନ ଦେଖିବାକୁ ମିଳିଥାଏ । ଶରୀରରେ ମେଲାଟୋନିନ୍‌ ହର୍‌ମୋନ୍‌ ବଢିଚାଲେ । ଫଳରେ ଅସ୍ୱସ୍ଥି ଅନୁଭବ ହୋଇଥାଏ । ମେଲାଟୋନିନ୍‌ ନିଦ ବଢାଉଥିବା ହର୍‌ମୋନ୍‌ । ଏହାର ମାତ୍ରା ବଢିବା ଦ୍ୱାରା ନିଦ, ଥକ୍କାପଣ ଓ ଅଳସ ବଢିଥାଏ । ଏହା କେବଳ ହାଡ଼କୁ ମଜବୁତ୍‌ କରିନଥାଏ ବରଂ ଶରୀରକୁ ଭରପୂର ଶକ୍ତି ଦେଇଥାଏ । ଭିଟାମିନ୍‌-ଡି’ର ଅଭାବ ଯୋଗୁ ଅସ୍ୱସ୍ଥି ଅନୁଭବ ହୋଇଥାଇପାରେ । 

କଫ ବଢିଲେ 

ଆୟୁର୍ବେଦ ଅନୁସାରେ ଶୀତଦିନେ ଶରୀରରେ କଫର ମାତ୍ରା ବଢିଯାଇଥାଏ । କଫ ବଢିବା ଯୋଗୁ ଶରୀର ଓଜନିଆ ଓ ଅଳସୁଆ ଲାଗେ । ଅଳସପଣ କ୍ରମଶଃ ମାନ୍ଦାରେ ପରିଣତ ହୁଏ । ତେଣୁ କୌଣସି କାମ କରିବାକୁ ଇଚ୍ଛା ହୋଇନଥାଏ । 

ଦୂର କରିପାରିବେ ଅଳସପଣ

-ଶୀତଦିନେ ହାଲ୍‌କା ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଶରୀର ଜଳାଭାବଠାରୁ ଦୂରେଇ ରହିବ । କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ବସନ୍ତୁ ।

-ଡାଏଟ୍‌ରେ ଅଧିକରୁ ଅଧିକ ଶାଗ, ସବୁଜ ପନିପରିବା ଓ ଫଳମୂଳକୁ ସାମିଲ୍‌ କରନ୍ତୁ । ମଇଦା ଓ ବେସନ୍‌ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

-ତ୍ୱଚାକୁ ମଧ୍ୟ ପ୍ରାକୃତିକ ଉପାୟରେ ସ୍କ୍ରବ୍‌ କରନ୍ତୁ । ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ବଢିବା ସହ ସତେଜ ଅନୁଭବ ହୋଇଥାଏ ।

-ଏହି ଋତୁରେ ଅଧିକ ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍‌ ଅଳସୁଆ ଲାଗିବା ସ୍ୱାଭାବିକ୍‌ ।