ଆଜିକାଲି ଅଧିକାଂଶ ଘରର ଶୟନ କୋଠରୀକୁ ଲାଗି ସ୍ନାନାଗାର ରହୁଛି । ହାତପାଆନ୍ତାରେ ଉପଲବ୍‌ଧ ଏହି ସୁବିଧା ଆମର ଦୈନନ୍ଦିନର ନିତ୍ୟକର୍ମକୁ ଅଧିକ ସହଜ କରୁଛି । ତେବେ କୋଠରୀ ସଂଲଗ୍ନ ସ୍ନାନାଗାର ରଖିବା ପୂର୍ବରୁ ବାସ୍ତୁ ଦୋଷ ପ୍ରତି ସତର୍କ ରହିବା ଭଲ । କି'ପ୍ରକାର ପଦକ୍ଷେପ ନେଲେ ବାସ୍ତୁଦୋଷ ରହିବ ନାହିଁ, ଜାଣିବା ଆସନ୍ତୁ.. 

-ଉଭୟ ବାସ୍ତୁ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ଦୃଷ୍ଟିରୁ ନିତ୍ୟବ୍ୟବହାର୍ଯ୍ୟ ସ୍ନାନାଗାର ସର୍ବଦା ସଫାସୁତୁରା ରଖାଯିବା ଜରୁରି । ଯଦି ଏହା ସଫାସୁତୁରା ନରହେ ତେବେ ଏହାର ନକାରତ୍ମକ ଉର୍ଜା ଜୀବନ ଉପରେ କୁପ୍ରଭାବ ପକାଇବ । ଯେପରିକି ରାତିରେ ଭଲ ନିଦ ନହେବା, ଆର୍ଥାଭାବ ଲାଗି ରହିବା, ଦାମ୍ପତ୍ୟ ସମ୍ପର୍କରେ ତିକ୍ତତା ଇତ୍ୟାଦି ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି ।

-ଯଦି ସ୍ନାନାଗାର ମଧ୍ୟରେ ଥିବା କୌଣସି ନଳ ଫାଟିଯାଇଛି ଏବଂ ସେଥିରୁ ପାଣି ଝରୁଛି ଏହା କେବଳ ପ୍ରାକୃତିକ ସମ୍ପଦର ନଷ୍ଟ ନୁହେଁ, ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଏହା ନକାରାତ୍ମକତାର ପ୍ରତୀକ । ଏହା ଧନହାନିର ବାଟକୁ ପ୍ରଶସ୍ତ କରିଥାଏ । ଅନ୍ୟପକ୍ଷରେ ସ୍ନାନାଗାର ମଧ୍ୟରେ ଭଙ୍ଗାଫଟା ବୋତଲ,ବେସିନ,ସାବୁନ ଟୁକୁଡ଼ା ଇତ୍ୟାଦି ନକାରାତ୍ମକ ପ୍ରଭାବ ପକାଇଥାଏ । ଏଣୁ ଏସବୁକୁ ବାହାର କରି ସ୍ନାନାଗାର ସଫା କରିଦେବା ଉଚିତ । 

-ଯେଉଁ ଶୟନ କୋଠରୀକୁ ଲାଗି ସ୍ନାନାଗାର ରହିଛି, ସେହି କୋଠରୀରେ ଶୋଇବାର ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ଭଲ । ଦମ୍ପତି ସ୍ନାନାଗାର ଆଡ଼କୁ ପାଦ କରି ଶୋଇବା ଠିକ୍‌ ନୁହେଁ । ଶୋଇବା ଖଟଟି ସ୍ନାନାଗାର ପାଖାପାଖି ନରହିବା ଭଲ । ଯଦି ସ୍ଥାନାଭାବ ରହିଛି ତେବେ ସ୍ନାନାଗାରର କବାଟ ସର୍ବଦା ବନ୍ଦ ରଖିବା ପ୍ରତି ଧ୍ୟାନ ଦେବା ଉଚିତ । 

-ସ୍ନାନାଗାରର ରଙ୍ଗ ଉପରେ ବାସ୍ତୁଶାସ୍ତ୍ର କରିଛି ବିଶେଷ ଗୁରୁତ୍ୱ । କାରଣ ଏହି ରଙ୍ଗ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ । ସ୍ନାନାଗାରର ରଙ୍ଗ ବା ବ୍ୟବହୃତ ଟାଇଲ୍‌ ହାଲ୍‌କା ରଙ୍ଗ (ନୀଳ,ହାଲ୍‌କା ଗୋଲାପୀ ଅବା ହଳଦିଆ,ହାଲକା ବାଇଗଣୀ ଅବା ଧଳା)ର ହେବା ଉଚିତ । ସ୍ନାନାଗାର ରଙ୍ଗ କେବେହେଁ ଗାଢ଼ରଙ୍ଗ,ଯେପରି ଧୂସର,ଲାଲ୍‌ ବା କଳା ଇତ୍ୟାଦି ରଖିବା ଅନୁଚିତ । ସ୍ନାନାଗାରର ଗାଢ଼ ରଙ୍ଗ ରାହୁର ନକାରାତ୍ମକ ପ୍ରଭାବକୁ ବଢ଼ାଇଥାଏ । 

​​​​​​​