ନୂଆଦିଲ୍ଲୀ ୨୭/୧୧: ‘ଏଚ୍ଆର୍୮୮ବି୮୮୮୮’ ଭାରତର ସବୁଠୁ ମହଙ୍ଗା କାର୍ ନମ୍ବର ପ୍ଲେଟ୍ । ହରିୟାଣାରେ ଗତ ବୁଧବାର ୧.୧୭ କୋଟି ଟଙ୍କାରେ ଏହା ବିକ୍ରି ହୋଇଛି । ହରିୟାଣା ଭିଆଇପି ବା ଫ୍ୟାନ୍ସି ନମ୍ବର ପ୍ଲେଟ୍ ପାଇଁ ସପ୍ତାହିକ ଅନ୍ଲାଇନ୍ ନିଲାମର ଆୟୋଜନ କରେ । ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ସକାଳ ୯ଟା ମଧ୍ୟରେ ଲୋକେ ନିଜ ପସନ୍ଦର ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ । ଏହା ପରେ ନିଲାମ ଆରମ୍ଭ ହୁଏ ଏବଂ ବୁଧବାର ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଏହା ଜାରି ରହେ । ଫ୍ୟାନ୍ସି ଡଟ୍ ପରିବହନ ଡଟ୍ ଜିଓଭି ଡଟ୍ ଇନ୍ ଡଟ୍ ପୋର୍ଟାଲରେ ଏହି ନିଲାମ ଚାଲେ ।
ଚଳିତ ସପ୍ତାହ ନିଲାମ ପାଇଁ ଥିବା ସମସ୍ତ ନମ୍ବର ମଧ୍ୟରେ ‘ଏଚ୍ଆର୍୮୮ବି୮୮୮୮’ ପଞ୍ଜିକୃତ ନମ୍ବର ପାଇଁ ସର୍ବାଧିକ ୪୫ ଜଣ ଆବେଦନ କରିଥିଲେ । ନିଲାମର ପ୍ରାରମ୍ଭିକ ମୂଲ୍ୟ ୫୦ ହଜାର ରଖାଯାଇଥିଲା, ଯାହା ପ୍ରତି ମିନିଟ୍ରେ ବଢ଼ି ଚାଲିଲା । ଶେଷରେ ବୁଧବାର ସନ୍ଧ୍ୟା ୫ଟାରେ ୧.୧୭ କୋଟିରେ ନିଲାମ ଶେଷ ହେଲା । ଗତ ସପ୍ତାହ ଏହି ନମ୍ବର ପ୍ଲେଟ ମୂଲ୍ୟ ୩୭.୯୧ ଲକ୍ଷ ଟଙ୍କା ହୋଇଥିଲା । ‘ଏଚ୍ଆର୍୮୮ବି୮୮୮୮’ ଏକ ଅନନ୍ୟ ବା ଭିଆଇପି ଗାଡ଼ି ନମ୍ବର୍ ଯାହାକୁ ବିଡିଂ ଜରିଆରେ କ୍ରୟ କରାଯାଏ । ଏଚ୍ଆର୍ ହେଉଛି ରାଜ୍ୟର କୋଡ୍ । ଗାଡ଼ି ହରିୟାଣାରେ ପଞ୍ଜିକୃତ ହୋଇଥିବା ଏହା ଦର୍ଶାଉଛି । ୮୮ ନମ୍ବର ହରିୟାଣା ମଧ୍ୟରେ ନିର୍ଦ୍ଦିଷ୍ଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ବା ଜିଲ୍ଲାକୁ ଦର୍ଶାଉଛି, ଯେଉଁଠି ଯାନ ପଞ୍ଜିକୃତ ହୋଇଛି । ‘ବି’ ନିର୍ଦ୍ଦିଷ୍ଟ ଆର୍ଟିଓ ମଧ୍ୟରେ ଯାନର ସିରିଜ୍ କୋଡ୍କୁ ଦର୍ଶାଉଛି । ୮୮୮୮ ହେଉଛି ଗାଡ଼ିର ଅନନ୍ୟ ୪ ଅଙ୍କବିଶିଷ୍ଟ ପଞ୍ଜିକରଣ ସଂଖ୍ୟା । ୮ ସଂଖ୍ୟାର ସମାହାର ଏହି ନମ୍ବର ପ୍ଲେଟ୍କୁ ଅନନ୍ୟ କରିଛି । ଏଥିସହିତ ଇଂରାଜୀ ଅକ୍ଷର ବି ମଧ୍ୟ ୮ର ଭ୍ରମ ସୃଷ୍ଟି କରୁଛି ।
ଚଳିତ ବର୍ଷ ଏପ୍ରିଲରେ କେରଳର ଜଣେ ଟେକ୍ ଅରବପତି ବେଣୁ ଗୋପାଳକ୍ରୀଷ୍ଣନ୍ ନିଜର ଲାମ୍ବୋରଗିନି କାର୍ ପାଇଁ ୪୫.୯୯ ଲକ୍ଷ ଟଙ୍କାରେ ଏକ ଭିଆଇପି ନମ୍ବର ପ୍ଲେଟ୍ କିଣିଥିଲେ । ଏହି ନମ୍ବର ପାଇଁ ୨୫ ହଜାର ଟଙ୍କାରୁ ବୋଲି ଆରମ୍ଭ ହୋଇଥିଲା