ନୂଆଦିଲ୍ଲୀ, ୧୦/୧୧ : ବଡ଼ ଆତଙ୍କୀ ଯୋଜନା ପଣ୍ଡ। ସୁରକ୍ଷା ବାହିନୀକୁ ବଡ଼ ସଫଳତା। ହରିୟାଣାର ଫରିଦାବାଦ ଜିଲ୍ଲା ଧୌଜରୁ ୩୦୦ କିଲୋ ଆରଡିଏକ୍ସ ଜବତ। ଡାକ୍ତର ମୁଜାହିଲ ଶକିଲଙ୍କ ଘରୁ ମିଳିଲା ଏକେ-୪୭ ରାଇଫଲ୍ ଏବଂ ବିପୁଳ ପରିମାଣର ଗୋଳା ବାରୁଦ। ଟେରର୍ ଲିଙ୍କରେ କାଶ୍ମୀରରୁ ଗିରଫ ହୋଇଥିବା ଆଦିଲ୍ ଅହମ୍ମଦ ରାଠରର ସୂଚନା ଆଧାରରେ ପୁଲିସ ରେଡ୍ କରିଛି। ଆରଡିଏକ୍ସ ଜବତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆଦିଲ୍ଙ୍କୁ ପଚରାଉଚରା ବେଳେ ଆଉ ଜଣେ ଡାକ୍ତରଙ୍କ ଲିଙ୍କ୍ ସାମ୍ନାକୁ ଆସିଛି।
ସୂଚନାନୁଯାୟୀ, ଅନନ୍ତ ନାଗର ଆଦିଲ ଅହମ୍ମଦକୁ ଜାମ୍ମୁ କାଶ୍ମୀର ପୁଲିସ ଟେରର ଲିଙ୍କରେ ଗିରଫ କରିଥିଲା। ଆଦିଲର ତଥ୍ୟ ଆଧାରରେ ପୁଲିସ ଫରିଦାବାଦ ଜିଲ୍ଲାର ଧୌଜ ଅଞ୍ଚଳର ଡାକ୍ତର ମୁଜାହିଲ ଶକିଲର ଭଡ଼ା ଘରେ ରେଡ୍ କରିଥିଲା। ଚଢାଉ ବେଳେ ୩୦୦ କିଲୋ ଆରଡିଏକ୍ସ, ଏକେ-୪୭ ରାଇଫଲ୍ ଏବଂ ବିପୁଳ ପରିମାଣର ଗୋଳା ବାରୁଦ ଜବତ ହୋଇଛି। ଏହି ଘରେ ଶକିଲ ରହୁନଥିଲା। କେବଳ ଜିନିଷ ରଖିବା ପାଇଁ ୩ ମାସ ତଳେ ଘର ଭଡ଼ାକୁ ନେଇଥିଲା। ବିପୁଳ ମାତ୍ରାରେ ଆରଡିଏକ୍ସ ଜବତ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏକ ବଡ଼ ଧରଣର ଆତଙ୍କୀ ଷଡ଼ଯନ୍ତ୍ର ଚାଲିଥିବା ଜଣାପଡ଼ିଛି।
ଆଦିଲ୍କୁ ପଚରାଉଚରା ବେଳେ ଡାକ୍ତର ମୁଜାହିଲ ଶକିଲର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଛି। ପୁଲିସ ଏବେ ଜାମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ, ହରିୟାଣା ଓ ଗୁଜରାଟରେ ଚଢାଉ କରୁଛି। ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ ।