କଥା ଥିଲା ଫୁଲ ଶେଯ... ଆମ ପାଇଁ ହବ ସଜ, ଶୋଇଗଲୁ କେମିତି ମତେ ପାସୋରି, ଫେରିଆ ଫେରିଆ ଶାରୀ... । ନିଜେ ଗାଇଥିବା ଏ ସୁମଧୁର ଗୀତର ଧାଡ଼ିକୁ ସତ କରି ଅଫେରା ରାଇଜକୁ ଫେରିଯାଇଛନ୍ତି ଓଡ଼ିଆ ମନୋରଞ୍ଜନ ଜଗତର ଧୂରୀଣ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।
୧୯୯୦ ମସିହା, ନଭେମ୍ବର ୨୫ରେ ବଲାଙ୍ଗୀରର ଟିଟିଲାଗଡ଼ରେ ଜନ୍ମିତ ହ୍ୟୁମାନ ସାଗର ଓଡ଼ିଆ ସିନେମା, ଆଲବମ୍, ଯାତ୍ରା, ମ୍ୟୁଜିକ୍ ଭିଡିଓ ଜଗତ ପାଇଁ ଥିଲେ ଈଶ୍ୱରଙ୍କ ବରଦାନ । ଶରୀରର ଏକାଧିକ ମୂଲ୍ୟବାନ ଅଙ୍ଗ ଅକାମୀ ହୋଇଯିବାରୁ ଭୁବନେଶ୍ୱରସ୍ଥିତ ଏମ୍ସରେ ନଭେମ୍ବର ୧୭, ୨୦୨୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୀତ, ସଂଗୀତପ୍ରେମୀ ତାଙ୍କୁ ଆଉ ସଶରୀରେ ଦେଖିପାରିବେ ନାହିଁ ସତ ହେଲେ ଯେତେଦିନ ଯାଏଁ ତାଙ୍କ କଣ୍ଠନିଃସୃତ ସୁମଧୁର ଗୀତ ଥିବ, ସେ ଥିବେ ସମସ୍ତଙ୍କ ହୃଦୟରେ ଅଲିଭା ହୋଇ, ଅମଳିନ ହୋଇ ।
ଜନ୍ମମାଟିରେ ଅଶ୍ରୁଳ ବିଦାୟ:
ଓଲିଉଡ୍ର ସ୍ୱର ସମ୍ରାଟ ହ୍ୟୁମାନ ସାଗରଙ୍କୁ ଜନ୍ମମାଟି ଟିଟିଲାଗଡ଼ରେ ଦିଆଯାଇଛି ଅଶ୍ରୁଳ ବିଦାୟ । ମଙ୍ଗଳବାର ପାର୍ଥିବ ଶରୀର ପହଞ୍ଚିବା ପରେ ହଜାର ହଜାର ପ୍ରଶଂସକ, ଶୁଭେଚ୍ଛୁ ଶବ ଶୋଭାଯାତ୍ରାରେ ସାମିଲ ହୋଇ ଜଣାଇଥିଲେ ଅନ୍ତିମ ବିଦାୟ । ହ୍ୟୁମାନଙ୍କ ପାର୍ଥିବ ଶରୀରକୁ ପ୍ରଥମେ ସଇଁନ୍ତଲା ବ୍ଲକ ଡେଙ୍ଗସ୍ଥିତ ପୈତୃକ ଗ୍ରାମକୁ ନିଆଯାଇଥିଲା । ସେଠାରେ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ମୃତଦେହ ଟିଟିଲାଗଡ଼ ଅଭିମୁଖେ ବାହାରିଥିଲା । ଟିଟିଲାଗଡ଼-ବଲାଙ୍ଗିର ରାସ୍ତାର ପିପଲପଦର ପେଟ୍ରୋଲ ପମ୍ପ ନିକଟରେ ଅପେକ୍ଷାରତ ସଙ୍ଗୀତପ୍ରେମୀ, ପରିଜନ ଏବଂ ସହରବାସୀ ବିଶାଳ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଟିଟିଲାଗଡ଼ ସହର ୱାର୍ଡ ନଂ.୧୨ ଅନ୍ତର୍ଗତ ଦେଓବନ୍ଧପଡ଼ା ସ୍ଥିତ ବାସଭବନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ରୀତିନୀତି କରାଯାଇଥିଲା । ପରେ କାଚ ନିର୍ମିତ କଫିନରେ ମୃତଦେହ ରଖାଯାଇ ସୁସଜ୍ଜିତ ଗାଡ଼ିରେ ଶବାଧାର ସହର ପରିକ୍ରମା କରିଥିଲେ । ଶେଷରେ ମଦଭାଟି ପଡ଼ା ନିକଟ ସିଏନ୍ଆଇ ଚର୍ଚ୍ଚ କବରସ୍ଥାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ମାଟିର ପୁଅକୁ ଲୁହଭରା ଆଖିରେ ବିଦାୟ ଦେଇଥିଲେ ଅଞ୍ଚଳବାସୀ ।
ପିଲାଦିନୁ ଥିଲେ କଳାନୁରାଗୀ:
୨୦୧୨ରେ ତରଙ୍ଗ ଟିଭିର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ଭଏସ୍ ଅଫ୍ ଓଡ଼ିଶା’ ସିଜନ୍ ୨ର ବିଜେତା ମୁକୁଟ ପିନ୍ଧିଥିଲେ ହ୍ୟୁମାନ ସାଗର । ତାଙ୍କ ଶ୍ରୁତିମଧୁର କଣ୍ଠସ୍ୱର ସୋ’ର ବିଚାରକ ସମେତ ଓଡ଼ିଶାର ଅଗଣିତ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲା । ବିଜେତା ହେବା ପରେ ପରେ ହ୍ୟୁମାନଙ୍କୁ ନିଜ ନିଜ ସିନେମା, ଆଲବମ୍, ଯାତ୍ରାରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନେବା ପାଇଁ ଖୁବ୍ ଆଗ୍ରହ ଦେଖାଇଥିଲେ ନିର୍ମାତା, ନିର୍ଦ୍ଦେଶକ । ସେ ସ୍ୟାଡ୍ ସଙ୍ଗ୍ ହେଉ କି ଜଲିମୁଡ୍ର, ସବୁଥିରେ ସ୍ୱତନ୍ତ୍ରତା ଦେଖାଇଥିଲେ ହ୍ୟୁମାନ । ଖୁବ୍ କମ୍ ଦିନ ଭିତରେ ବେଶ୍ ସଫଳତା ସାଉଁଟିଥିଲେ ସେ । କହିବା ବାହୁଲ୍ୟ, କଳା, ସଂସ୍କୃତି, ଗୀତ ଥିଲା ତାଙ୍କ ରକ୍ତରେ । ତାଙ୍କର ବାପା ରବି ସାଗର, ମା’ ଶେଫାଳୀଙ୍କର ଥିଲା ସଂଗୀତ ପ୍ରତି ଅନୁରକ୍ତି । ତା’ର ପ୍ରଭାବ ପଡ଼ିଥିଲା ହ୍ୟୁମାନଙ୍କ ଉପରେ ।
‘ବାପା କାହିଁକି ଛାଡ଼ି ଚାଲିଗଲ ମତେ’
ମୋ ବାପା ଏ ଦୁନିଆରେ ଆଉ ନାହାନ୍ତି । ବାପା ମତେ କାହିଁକି ଛାଡ଼ି ଚାଲିଗଲ? ତୁମକୁ ଆଉ କ’ଣ ମୁଁ ଦେଖି ପାରିବିନି । ବାପାଙ୍କୁ ହରାଇବା ପରେ ଥର ଥର କଣ୍ଠରେ ହ୍ୟୁମାନଙ୍କ ମରଶରୀରକୁ ଅନାଇ କାନ୍ଦି କାନ୍ଦି ଏମିତି କହିଥିଲେ ହ୍ୟୁମାନ୍ଙ୍କ ୭ ବର୍ଷର ଝିଅ ଆଞ୍ଜେଲ୍ । କୁନି ଝିଅର ଏପରି କଥା ଶୁଣି ଶ୍ରେୟାଙ୍କ ମା’ ତଥା ଆଞ୍ଜେଲର ଆଈ ତାକୁ ତୁନି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଝିଅର କାନ୍ଦ ବନ୍ଦ କରିପାରି ନଥିଲେ । ଏହା ପରେ ହ୍ୟୁମାନଙ୍କ ମା’ ଶେଫାଳି ସୁନା କୁନିଝିଅକୁ କୁଣ୍ଢେଇ ଧରି କାନ୍ଦିବା ସହ ତୋ ବାପାର କିଛି ହୋଇନାହିଁ । ତୁ ହ୍ୟୁମାନ ସାଗର ବୋଲି କହିଥିଲେ । ସୋମବାର ବିଳମ୍ବିତ ରାତିରେ ସିଡିଏ ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମରଶରୀର ସମ୍ମୁଖରେ ଏମିତି କିଛି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଗୀତ ପାଇଁ ଛାଡ଼ିଲେ ପାଠପଢ଼ା, ଚାକିରି:
ତରଙ୍ଗ ସିନେମାର ସିଙ୍ଗିଙ୍ଗ୍ ରିୟଲିଟି ସୋ’ ‘ଭଏସ୍ ଅଫ୍ ଓଡ଼ିଶା’ର ବିଜେତା ହେବା ପରେ ପରେ ତାଙ୍କୁ ଏହି ଚ୍ୟାନେଲ୍ର ପ୍ରେମ ଆଧାରିତ ସିନେମା ‘ଇସ୍କ ତୁ ହି ତୁ’ରେ ଗାଇବାର ସୁଯୋଗ ମିଳିଥିଲା । ଠିକ୍ ଏହି ସମୟରେ ଏକ ଭଲ ମେଡିସିନ୍ କମ୍ପାନୀରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଭାବେ କାମ କରିବାର ସୁଯୋଗ ମଧ୍ୟ ଆସିଥିଲା ତାଙ୍କ ହାତକୁ । ତାହାକୁ ଗ୍ରହଣ କରିବେ କି ନାହିଁ ଭାବି ହ୍ୟୁମାନ ଦ୍ୱନ୍ଦ୍ୱରେ ଥିବାବେଳେ ଓଡ଼ିଆ ସିନେମାର କିଛି ବରିଷ୍ଠ ସିନେବ୍ୟକ୍ତିତ୍ୱ ତାଙ୍କୁ ବାରଣ କରିଥିଲେ । ବୁଝାଇଥିଲେ, ‘ତୁମକୁ ମା’ ସରସ୍ୱତୀ ଆଶୀର୍ବାଦରେ ଏତେ ସୁନ୍ଦର କଣ୍ଠସ୍ୱର ଦେଇଛନ୍ତି । ଓଡ଼ିଶାର ସଂଗୀତ ଜଗତ ତୁମଠାରୁ ଅନେକ କିଛି ଆଶା ରଖୁଛି । ଏପରି ସ୍ଥଳେ ତୁମେ ଚାକିରି କରିବାକୁ ଯାଇ ଗାୟକୀ କ୍ୟାରିୟରକୁ ଶେଷ କରିଦିଅନା ।’ ପ୍ରଥମେ ତ ସେ ଡାକ୍ତରୀ ପଢ଼ା ଛାଡ଼ିଥିଲେ, ଶେଷକୁ ଚାକିରି ବି ଛାଡ଼ିଲେ । ସଂଗୀତକୁ ସେ ଆଦରି ନେଲେ ଉଭୟ ପେସା ଓ ନିଶା ଭାବରେ ।
ବିଜେତାରୁ ବିଚାରକ:
‘ଭଏସ୍ ଅଫ୍ ଓଡ଼ିଶା’ ପ୍ରଥମ ସଂସ୍କରଣର ବିଜେତା ଥିଲେ ଗାୟକ ବିଷ୍ଣୁମୋହନ କବି । ପରବର୍ତ୍ତୀ ସମୟରେ ଅର୍ଥାତ୍ ଦ୍ୱିତୀୟ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଥିଲେ ହ୍ୟୁମାନ । ଦୁଇ ସଂସ୍କରଣର ବିଜେତା ବିଷ୍ଣୁମୋହନ ଓ ହ୍ୟୁମାନଙ୍କ ମଧ୍ୟରେ ଗଢ଼ି ଉଠିଲା ନିବିଡ଼ ବନ୍ଧୁତା । ଏହା ପରେ ‘ଭଏସ୍ ଅଫ୍ ଓଡ଼ିଶା -୩’ରେ ଉଭୟେ ଦେଖିବାକୁ ମିଳିଥିଲେ ବିଚାରକ ଭାବରେ । ଦୁହେଁ ଏକାଠି ହେଲେ ଓଡ଼ିଆ ଚଳଚ୍ଚିତ୍ର, ଗୀତ-ସଂଗୀତ ବିଷୟରେ ବହୁତ ଚର୍ଚ୍ଚା କରୁଥିଲେ । ବ୍ୟକ୍ତିଗତ ଜୀବନର ସୁଖ-ଦୁଃଖ, ଅଭାବ ଅସୁବିଧା ବି ବାଦ୍ ପଡ଼ୁନଥିଲା ଏହି ଆଲୋଚନାରୁ । ହ୍ୟୁମାନଙ୍କ ଅବର୍ତ୍ତମାନରେ ଭାଇ ଭଳି ଜଣେ ସୁହୃଦ ବନ୍ଧୁଙ୍କୁ ହରାଇଲେ ବୋଲି କହିଛନ୍ତି ବିଷ୍ଣୁମୋହନ କବି ।
ମାଇକ୍ରୋଫୋନ୍କୁ ମିଳିଲା ବିରତି:
ମ୍ୟୁଜିକ୍ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ଅନୁଭବ-ବର୍ଷା ଷ୍ଟାରର୍ ‘ସମ୍ଥିଙ୍ଗ୍ ସମ୍ଥିଙ୍ଗ୍ ୨’ ଚଳଚ୍ଚିତ୍ରରେ ଏକ ଗୀତ ଥିଲା, ‘ପ୍ରେମ ହେଇଯାଏରେ...’ । ପ୍ରଥମେ ଏ ଗୀତଟି ଗାଇଥିଲେ ବମ୍ବେର କଣ୍ଠଶିଳ୍ପୀ ମହମ୍ମଦ ଇର୍ଫାନ । କିନ୍ତୁ ପ୍ରେମ ଆନନ୍ଦ ଚାହୁଁଥିଲେ, ଗୀତଟି ହ୍ୟୁମାନଙ୍କ କଣ୍ଠରେ ରେକର୍ଡ ହେଉ । ସେଇଆ ହେଲା । ପ୍ରେମ ଆନନ୍ଦ ହ୍ୟୁମାନଙ୍କ କଣ୍ଠରେ ଡମି କରି ଗୀତଟିକୁ ଶୁଣାଇଥିଲେ ବମ୍ବେରେ । ହ୍ୟୁମାନଙ୍କ କଣ୍ଠସ୍ୱର ମୋହିତ କରିଥିଲା ସମସ୍ତଙ୍କୁ । ପରେ ଗୀତଟି ଗାଇଲେ ହ୍ୟୁମାନ । ଏ ଗୀତରେ କଣ୍ଠଦାନ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ ସେ । ଏହା ପରେ ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ଅନେକ ଗୀତ ଗାଇଛନ୍ତି ହ୍ୟୁମାନ । ସେସବୁ ଗୀତ ମଧ୍ୟରୁ ଅଧିକାଂଶ ରେକର୍ଡ ହୋଇଛି କଟକ ସମ୍ରାଟ ସିନେମା ହଲ୍ ନିକଟସ୍ଥ ମିଲନ୍ ଷ୍ଟୁଡିଓରେ । ହ୍ୟୁମାନଙ୍କ ପରଲୋକ ପରେ ସେ ଗୀତ ଗାଇଥିବା ମିଲନ୍ ଷ୍ଟୁଡିଓର ସେଇ ମାଇକ୍ରୋଫୋନ୍କୁ ବିରତି ଦିଆଯାଇଛି । ପ୍ରେମ ଆନନ୍ଦଙ୍କ କହିବାନୁସାରେ, ସେଥିରେ ଆଉ କେହି ଗୀତ ଗାଇବେନି । ତାହାକୁ ସ୍ମୃତି ସନ୍ତକ ରୂପେ ସାଇତି ରଖାଯିବ । ପରବର୍ତ୍ତୀ ପିଢ଼ିର କଣ୍ଠଶିଳ୍ପୀମାନେ ଏ ମାଇକ୍ରୋଫୋନ୍କୁ ଦେଖି ପ୍ରେରଣା ଲାଭ କରିବେ ଯେ, ଦିନେ ଏଇ ମାଇକ୍ରୋଫୋନ୍ରେ ଗୀତ ଗାଇ କ୍ୟାରିଅର ଆରମ୍ଭ କରିଥିଲେ ହ୍ୟୁମାନ ସାଗର ।
ଦୁନିଆଟେ ଅଛି ଦୁନିଆ ବାହାରେ:
ହ୍ୟୁମାନଙ୍କ ଶେଷ ଗୀତ ଥିଲା, ନିର୍ମାଣାଧୀନ ‘ବାଘୁଣୀ’ ସିନେମାର ‘ଆହାରେ ଆହାରେ, ଦୁନିଆଟେ ଅଛି ଦୁନିଆ ବାହାରେ...’, ଯାହାକୁ ପୂରା କରିପାରି ନାହାନ୍ତି ସେ । ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ କହିବାନୁସାରେ, ଗୀତଟି ଅଧା ଗାଇଥିବାବେଳେ ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ସେ ସୁସ୍ଥ ହୋଇ ଫେରିବା ପରେ ପୂରା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ବୋଧହୁଏ ଏ ଦୁନିଆ ବାହାରେ ଆଉ ଗୋଟିଏ ଦୁନିଆ ଥିବା କଥା ସେ ଜାଣିଥିଲା ଓ ସେଇ ଦୁନିଆକୁ ହ୍ୟୁମାନ ଚାଲିଗଲା ବୋଲି କୋହଭରା କଣ୍ଠରେ କହିଥିଲେ ପ୍ରେମ ଆନନ୍ଦ ।
ଉଦିତ୍ ଗାଇଥାନ୍ତେ, ହ୍ୟୁମାନ ଗାଇଲେ:
୨୦୧୫ ମସିହାରେ ତିଆରି ହୋଇଥିବା ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ଯାହାକି ତାଙ୍କ ଜୀବନର ମାଇଲ୍ଷ୍ଟୋନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଚଳଚ୍ଚିତ୍ରରୁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପୂର୍ବରୁ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୀତିକାର ଜୟନ୍ତ ଦାସଙ୍କ ରଚିତ ଗୀତ ଏବଂ ପ୍ରେମ୍ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନାରେ ହୋଇଥିବା ଗୀତ ‘ତତେ ଗାଇ ଦେଲେ ତୁ ଗୀତ ହେଇଯାଉ’ ତାଙ୍କର ପ୍ରଥମ ହିଟ୍ ଗୀତ ହୋଇଥିଲା । ଅନ୍ୟପକ୍ଷରେ ‘ତତେ ଗାଇ ଦେଲେ ତୁ ଗୀତ ହେଇଯାଉ’ ଗୀତଟିକୁ ବଲିଉଡ଼ର ଲୋକପ୍ରିୟ କଳାକାର ଉଦିତ୍ ନାରାୟଣ ଗାଇବାର ଆମେ ପ୍ଲାନିଂ କରିଥିଲୁ । କିନ୍ତୁ ଗୀତ ସିଟିଂ ବେଳେ ହ୍ୟୁମାନ ବି ଆମ ସହିତ ଥିଲେ । ଗୀତ କମ୍ପୋଜ୍ ହେବା ପରେ ଆମେ ହ୍ୟୁମାନଙ୍କୁ ଗାଇବା ପାଇଁ ଟେଷ୍ଟିଂ କରୁଥିଲୁ । ଆଉ ପ୍ରଥମ ଥରରେ ସେ ଏହି ଗୀତକୁ ଏପରି ଭାବରେ ଗାଇଥିଲେ ଯେ ଆମକୁ ଆଉ ବମ୍ବେ ଯାଇ ଉଦିତ୍ଙ୍କ କଣ୍ଠରୁ ଏହି ଗୀତ ରେକର୍ଡିଂ କରିବାକୁ ପଡ଼ିଲା ନାହିଁ । କେବଳ ସେତିକି ନୁହେଁ, ଏହି ଚଳଚ୍ଚିତ୍ରରେ ସେ ସର୍ବମୋଟ୍ ୩ଟି ଗୀତ ଗାଇଥିଲେ ।