୧୪୦ ବର୍ଷ ଯାଏ ବଞ୍ଚି ରହିପାରିବ ମଣିଷ, ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ: ଘରର ବୟୋଜୌଷ୍ଠ ୧୦୦ବର୍ଷ ଯାଏ ବଞ୍ଚିବାକୁ ଆର୍ଶୀବାଦ ଦିଅନ୍ତି। ଆମେ ଏହାକୁ ଆର୍ଶୀବାଦ ଭାବେ ଗ୍ରହଣ କଲେ ମଧ୍ୟ ଏପରି କେବେ ହୋଇପାରିବ ନାହିଁ ବୋଲି ଜାଣିଥାଉ। ହେଲେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କୌଣସି ମଣିଷ ୧୦୦ ବର୍ଷରୁ ଅଧିକ ଦିନ ଯାଏ ବଞ୍ଚିପାରିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ବୟାନ ଦେଇଛନ୍ତି ବ୍ରିଟେନ୍ର ବୈଜ୍ଞାନିକମାନେ। ୧୯ଟି ଦେଶର ନାଗରିକଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ମଣିଷ ୧୪୦ବର୍ଷରୁ ଅଧିକ ବର୍ଷ ଯାଏ ବଞ୍ଚିପାରିବ ଏପରିକି ଭବିଷ୍ୟତରେ ବୟସ ସୀମା ବୃଦ୍ଧି ମଧ୍ୟ ହୋଇପାରେ।
ପ୍ରଥମ ଗବେଷଣାରେ ଦାବି କରାଯାଇଥିଲା ଯେ ମନୁଷ୍ୟର ଜୀବନକାଳ ପ୍ରାୟ ୧୨୦ବର୍ଷ। ହେଲେ ଫ୍ରାନ୍ସର ଜିନ୍ କେଲମେଣ୍ଟ( ଯିଏକି ପୃଥିବୀର ସବୁଠାରୁ ପୁରୁଣା ମଣିଷ) ସିଏ ଏହି ବୟସ ଅତିକ୍ରମ କରିଥିଲେ। କେଲମେଣ୍ଟ ୧୨୨ବର୍ଷ ୧୬୪ଦିନ ଯାଏ ବଞ୍ଚି ରହିଥିଲେ। ତେବେ ୨୫ବର୍ଷ ଭିତରେ ବର୍ତ୍ତମାନ ଯାଏ କେହି ଏତେ ବର୍ଷ ଯାଏ ବଞ୍ଚି ପାରିନାହାନ୍ତି। ଏଥିପାଇଁ ବୈଜ୍ଞାନିକମାନେ ତାଙ୍କ ବୟସକୁ ନେଇ ସନ୍ଦେହରେ ରହିଛନ୍ତି। ଏହାର ସତ୍ୟତା ଜାଣିବା ପାଇଁ ଜର୍ଜିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ବ୍ରିଟେନ୍ରେ ୧୮୮୦ ମସିହାରେ ଜନ୍ମ ହୋଇଥିବା ଲୋକମାନଙ୍କୁ ନେଇ ଗବେଷଣା ଆରମ୍ଭ କରିଥିଲେ।
ଅଧ୍ୟୟନରୁ ଜଣାପଡିଛି ୧୯୭୦ରେ ଜନ୍ମ ହୋଇଥିବା ପୁରୁଷ ୧୪୧ବର୍ଷ ଏବଂ ମହିଳା ୧୩୧ବର୍ଷ ଯାଏ ବଞ୍ଚିପାରିବେ। ହେଲେ ଏହି ଆକଳନରେ କେତେ ଦୂର ସତ୍ୟତା ଅଛି ତାହା ଏ ଯାଏ ଜଣାପଡି ନାହିଁ। ଏହି ଅଧ୍ୟୟନର ମୁଖ୍ୟ ଡେଭିଡ ମ୍ୟାକକାର୍ଥୀ କହିଛନ୍ତି, ୧୯୪୦ରେ ଜନ୍ମ ହୋଇଥିବା ପୁରୁଷ ୧୨୫ ଓ ମହିଳା ୧୨୪ ଯାଏ ନିଶ୍ଚିତ ଭାବେ ନିଜର ଜନ୍ମଦିନ ପାଳନ କରିପାରିବେ। ତେବେ ଏହି ଅଧ୍ୟୟନ ଆମେରିକା ଏବଂ ୟୁରୋପର ୧୯ଟି ଦେଶର ନାଗରିକଙ୍କୁ ନେଇ କରାଯାଇଥିଲା। ପିଏଲଆଏ ଜର୍ଣ୍ଣାଲରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ଯେ, ଧୀରେ ଧୀରେ ଲୋକଙ୍କର ମୃତ୍ୟୁ ଅବଧି ବଢିବାରେ ଲାଗିବ ଏବଂ ବୟସ୍କମାନେ ୧୨୦ବର୍ଷ ଯାଏ ବଞ୍ଚିପାରିବେ।