ନୂଆଦିଲ୍ଲୀ ୨୬/୦୫: ଦକ୍ଷିଣ ଫ୍ରାନ୍ସରେ ଛୋଟ ତରଭୁଜ ଆକାରଯୁକ୍ତ ଶତାଧିକ ଜୀବାଶ୍ମୀକୃତ ଡାଇନୋସର ଅଣ୍ଡା ଆବିଷ୍କୃତ ହୋଇଛି । ଏଗୁଡ଼ିକୁ ନିକଟରେ ଦେଶର ଦକ୍ଷିଣାଞ୍ଚଳରେ ସ୍ଥିତ ତଟବର୍ତ୍ତୀ ନଗରୀ ମେଜେ ସ୍ଥିତ ଦ ଡାଇନୋସର ମ୍ୟୁଜିୟମ୍ ଆଣ୍ଡ ପାର୍କରେ ଅନାବରଣ କରାଯାଇଥିଲା । ଅଣ୍ଡାଗୁଡ଼ିକ ୭.୨ କୋଟି ବର୍ଷରୁ ବିଳମ୍ବିତ କ୍ରିଟେସିୟସ ସମୟର ବୋଲି ବିଶ୍ୱାସ କରାଯାଉଛି । ସେତେବେଳେ ଏହି କ୍ଷେତ୍ର ଆଇବେରୋ-ଆର୍ମୋରିକାନ ଦ୍ୱୀପର ଅଂଶ ଥିଲା । ଏହା ଏକ ପ୍ରାଗୈତିହାସିକ ଭୂଖଣ୍ଡ, ଯାହା ଆଧୁନିକ ସ୍ପେନ୍, ପର୍ତ୍ତୁଗାଲ ଓ ଦକ୍ଷିଣ ଫ୍ରାନ୍ସ ଦ୍ୱାରା ଗଠିତ ହୋଇଛି । ଭୂବିଜ୍ଞାନୀ ଓ ସଂଗ୍ରହାଳୟର ପ୍ରତିଷ୍ଠାତା ଆଲେନ କ୍ୟାବଟ୍ ସଂଗ୍ରହାଳୟ ସ୍ଥଳୀରେ ଅଣ୍ଡାଗୁଡ଼ିକୁ ଆବିଷ୍କାର କରିଛନ୍ତି । ମାଟି ତଳେ ଆହୁରି ଗଭୀରରେ ଅଧିକ ଅଣ୍ଡା ଥାଇପାରେ ବୋଲି ତାଙ୍କର ବିଶ୍ୱାସ । ଏହା ଏକ ଅଦ୍ୱିତୀୟ ସଂଗ୍ରହ ଏବଂ ଏହାର ଅଧ୍ୟୟନ ଲାଗି ଜୀବାଶ୍ମବିଜ୍ଞାନୀଙ୍କୁ ଅନେକ ପିଢ଼ି ଲାଗିବ ବୋଲି କ୍ୟାବଟ୍ କହିଛନ୍ତି ।

​​​​​​​

ଟାଇଟାନୋସର୍ ଏହି ଅଣ୍ଡା ଦେଇଥିବା କ୍ୟାବଟ୍ ଅନୁମାନ କରୁଛନ୍ତି । ଏହା ବିଶାଳ ଲମ୍ବା-ବେକଯୁକ୍ତ ତୃଣଭୋଜି ଡାଇନୋସର, ଯାହାର ଲମ୍ବା ପ୍ରାୟ ୫୦ ଫୁଟ ଏବଂ ଓଜନ ୧୫-୨୦ ଟନ୍ ମଧ୍ୟରେ । ଗବେଷକଙ୍କ ମତରେ, ସମୟ ସମୟରେ ବନ୍ୟା ଏବଂ ନଦୀ ଉଛୁଳିବା ଦ୍ୱାରା କୋଟି କୋଟି ବର୍ଷ ପୂର୍ବେ ପଙ୍କ-କାଦୁଅରେ ପୋତି ହୋଇ ଅଣ୍ଡାଗୁଡ଼ିକ ସୁରକ୍ଷିତ ରହିଥିଲା । କ୍ୟାବଟ୍ ଆହୁରି କହିଛନ୍ତି, ଡାଇନୋସର ଅଣ୍ଡା ଦେବାକୁ ସର୍ବଦା ସମାନ କ୍ଷେତ୍ରକୁ ଆସୁଥିଲେ । ଫ୍ରାନ୍ସରେ ଏହି ଆବିଷ୍କାର ଚର୍ଚ୍ଚାର ବିଷୟ ହୋଇଛି । କିଛି ଲୋକ କହୁଛନ୍ତି, ଅଣ୍ଡା ସଂଗ୍ରହ ମାମଲାରେ ଏହି ସ୍ଥଳୀ ଆର୍ଜେଣ୍ଟିନା ଓ ଚୀନ୍‌କୁ ଟକ୍କର ଦେଇପାରେ । କ୍ୟାବଟ୍ କହିଛନ୍ତି, ଦକ୍ଷିଣ ଫ୍ରାନ୍ସରେ କୋଟି କୋଟି ଅଣ୍ଡା ଠାବ ହୋଇଛି । ଏହା ବିଶ୍ୱର ସବୁଠୁ ବଡ଼ ସଂଗ୍ରହ ହୋଇପାରେ । କିନ୍ତୁ ସମସ୍ତ ଜୀବାଶ୍ମବିଜ୍ଞାନୀ ତାଙ୍କ କଥାରେ ସହମତ ନୁହନ୍ତି ।

ଆହୁରି ପଢ଼ନ୍ତୁ...ତରଳୁଛି ଗ୍ଲେସିୟର, ଅସ୍ଥିର ହେଉଛି ହିମାଳୟ ନଦୀ