ଷ୍ଟକହୋମ: ସ୍ବିଡିସ ଏକାଡେମୀ  ଗୁରୁବାର (ଅକ୍ଟୋବର ୯, ୨୦୨୫) ରେ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା କରିଛି। ହଙ୍ଗେରୀର ଲାସଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଉଲ୍ଲେଖନୀୟ ପୁସ୍ତକ କିମ୍ବା କବିତା ମାଧ୍ୟମରେ ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଲେଖକମାନଙ୍କୁ ପ୍ରଦାନ କରାଯାଇଥାଏ । ପୁରସ୍କାର ଘୋଷଣା କରି ସ୍ବିଡିସ ଏକାଡେମୀ କହିଛି ଯେ, ଲାସଲୋ କ୍ରାଜନାହୋରକାଇଙ୍କ କୃତି ଗଭୀର ପ୍ରଭାବଶାଳୀ ଏବଂ ଦୂରଦୃଷ୍ଟି ସମ୍ପନ୍ନ। ଲାସଲୋ କେନ୍ଦ୍ରୀୟ ୟୁରୋପୀୟ ପରମ୍ପରାର ଜଣେ ମହାନ ଲେଖକ । ତାଙ୍କର କୃତି କାଫକାରୁ ଥମାସ ବର୍ନହାର୍ଡ ପର୍ଯ୍ୟନ୍ତ ବିସ୍ତୃତ ଏବଂ ତାଙ୍କ ସୃଷ୍ଟିରେ ଏକ ସ୍ବତନ୍ତ୍ରତା ରହିଛି।

ଲାସଲୋ କ୍ରାଜନାହୋରକାଇଙ୍କ ପ୍ରଥମ ଉପନ୍ୟାସ ‘ସାଟାଣ୍ଟାଙ୍ଗୋ’ ୧୯୮୫ରେ ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସ ତାଙ୍କୁ ହଙ୍ଗେରୀର ଜଣେ ଲେଖକ ଭାବରେ ପ୍ରତିଷ୍ଠା କରିଥିଲା । ଏହି ଉପନ୍ୟାସଟି ସାମ୍ୟବାଦର ପତନ ପୂର୍ବରୁ ହଙ୍ଗେରୀର ଗ୍ରାମାଞ୍ଚଳର ଏକ ଶୁଷ୍କ ଫାର୍ମରେ ରହୁଥିବା ନିଃସହାୟ ଲୋକଙ୍କ ଉପରେ କେନ୍ଦ୍ରିତ। କମିଟି କହିଛି ଯେ, ତାଙ୍କ ପୁସ୍ତକଗୁଡ଼ିକ ମାନବତା, ଅରାଜକତା ଏବଂ ଆଧୁନିକ ସମାଜର ସଙ୍କଟକୁ ସ୍ପଷ୍ଟ ଭାବରେ ସମ୍ବୋଧିତ କରନ୍ତି। ସାମଗ୍ରିକ ଭାବରେ, ଲାସଲୋ ଗଭୀର ଭାବରେ ଚିନ୍ତାପ୍ରବଣ, ବିଷାଦପୂର୍ଣ୍ଣ କାହାଣୀ ଲେଖିବା ପାଇଁ ଜଣାଶୁଣା।  ତାଙ୍କର ପୁସ୍ତକ, ‘ସାଟାଣ୍ଟାଙ୍ଗୋ’ ଏବଂ ‘ଦି ମେଲାଙ୍କୋଲି ଅଫ ରେଜିଷ୍ଟାନ୍ସ’ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।

ଦି ମେଲାଙ୍କୋଲି ଅଫ ରେଜିଷ୍ଟାନ୍ସ’ ଏକ ଛୋଟ ଗାଁ ଏବଂ ଏହାର ଲୋକଙ୍କ କଷ୍ଟମୟ ଜୀବନ ଉପରେ ଆଧାରିକ । ମାନବ ପ୍ରକୃତି ଏବଂ ଗୁଣଗୁଡ଼ିକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିଛି ଏଥିରେ । ‘ସାଟାଣ୍ଟାଙ୍ଗୋ’ ଉପରେ ଆଧାରିତ ଏକ ୭ ଘଣ୍ଟାର ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା । ଏହା ବହୁତ ପ୍ରଶଂସା ମଧ୍ୟ ସାଉଁଟିଥିଲା । ତେବେ ନୋବେଲ ବିଜେତାଙ୍କୁ ୧୧ ନିୟୁତ ସ୍ବିଡିସ କ୍ରୋନା (୧୦.୩ କୋଟି ଟଙ୍କା), ଏକ ସ୍ବର୍ଣ୍ଣ ପଦକ ଏବଂ ଏକ ପ୍ରମାଣପତ୍ର ଦିଆଯିବ। ସେପଟେ ଗୋଟିଏ ବର୍ଗରେ ଏକାଧିକ ବିଜେତା ଥିଲେ, ପୁରସ୍କାର ଟଙ୍କା ସେମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ।  ଡିସେମ୍ବର ୧୦ରେ ଷ୍ଟକହୋମରେ ପୁରସ୍କାର ବିତରଣ ସମାରୋହର ଆୟୋଜନ ହେବ ।  ନୋବେଲ ଏକାଡେମୀ ଏପର୍ଯ୍ୟନ୍ତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ ଏବଂ ସାହିତ୍ୟ ପାଇଁ ପୁରସ୍କାର ଘୋଷଣା କରିସାରିଛି।