ରାୟଗଡ଼ା, ୦୭/୦୮: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଠେଙ୍ଗାରେ ପିଟି ବିଭତ୍ସ ଭାବେ ହତ୍ୟା କରିଛି ନୃଶଂସ ସ୍ୱାମୀ । ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଗେଣ୍ଡାୱଲସା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ସିନ୍ଧେ କୋଣ୍ଡାଗରୀ । ହତ୍ୟା କରିଥିବା ସ୍ୱାମୀ ବାଲେଆ କଣ୍ଡାଗୋରୀକୁ ଶେଷଖାଲ ଥାନା ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ବୁଧବାର ସଂନ୍ଧ୍ୟାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ପରେ ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ବାଲେଆ ଘର ଛାଡ଼ି ଚାଲିଯାଇଥଲା। ତେବେ ବିଳମ୍ବିତ ରାତିରେ ମହିଳା ସିନ୍ଧେ ଶୋଇଥିବା ବେଳେ ବାଲେଆ ଏକ ଠେଙ୍ଗା ସାହାଯ୍ୟରେ ମୁଣ୍ଡକୁ ବାରମ୍ବାର ପିଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସିନ୍ଧେଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ସକାଳେ ପରିବାର ଲୋକେ ଏସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଶେଷଖାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ଏହା ସହ ହତ୍ୟା କରିଥିବା ବାଲେଆ କୋଣ୍ଡାଗରୀକୁ ପୁଲିସ ଗିରଫ କରି ପଚରାଉଚରା କରୁଛି ।