ନୂଆଦିଲ୍ଲୀ, ୦୧/୦୯ : ୭ ବର୍ଷ ହେଲା ନିଖୋଜ ଥିଲେ ସ୍ଵାମୀ। ଫେରିବା ବାଟକୁ ଚାହିଁ ବସିଥିଲେ ସ୍ତ୍ରୀ। ଥାନାରେ ଲେଖା ହୋଇଥିଲା ନିଖୋଜ ରିପୋର୍ଟ। ବଞ୍ଚିଛନ୍ତି ବୋଲି ଆଶା ଛାଡ଼ିଦେଇଥିଲେ ବନ୍ଧୁ ପରିଜନ। ୭ ବର୍ଷ ପରେ ହଠାତ୍ ସାମ୍ନାକୁ ଆସିଲା ଏଭଳି ଏକ ଭିଡିଓ... ଯାହାକୁ ଦେଖି ମହିଳାଙ୍କ ପାଦ ତଳୁ ଖସିଗଲା ମାଟି। ଚାତକ ପରି ଯେଉଁ ସ୍ଵାମୀଙ୍କ ବାଟ ଚାହିଁ ବସିଥିଲେ, ଏବେ ଆଉ ଜଣେ ସ୍ତ୍ରୀକୁ ଧରି ଥେଇ ଥେଇ ହୋଇ ନାଚୁଛି ସେହି ଧୋକାବାଜ୍ ସ୍ଵାମୀ। ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲା ସଣ୍ଡିଲା ଥାନା ଆଟାମଔ ଗାଁରେ ଏଭଳି ଘଟଣା ଘଟିଛି। ନିଜ ସହ ଧୋକା ହୋଇଥିବା ଜାଣି ପୀଡ଼ିତା ମହିଳା ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।
ହରଦୋଇ ଜିଲ୍ଲା ସଣ୍ଡିଲା ଥାନା ଆଟାମଔ ଗାଁର ଜିତେନ୍ଦ୍ର କୁମାର ଓରଫ ବବଲୁ ୨୦୧୭ ଏପ୍ରିଲ ୨୮ରେ ମୁରାରନଗରର ଶିଲୁଙ୍କୁ ରୀତିନୀତିରେ ବିବାହ କରିଥିଲେ। ପ୍ରଥମେ ସବୁକିଛି ଠିକଠାକ୍ ଚାଲିଥିଲା। କିଛି ଦିନ ପରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢିଥିଲା। ସ୍ଵାମୀ ଓ ଶାଶୁଘର ଲୋକେ ଶିଲୁଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କଲେ। ଯୌତୁକ ଆଣି ଆସିବା ପାଇଁ ବାପଘରକୁ ପଠାଇଦେଲେ। ଥାନାରେ ଯୌତୁକ ନିର୍ଯାତନା ମାମଲା ରୁଜୁ ହେଲା। ମାମଲାର ଯାଞ୍ଚ ଚାଲିଥିବା ବେଳେ ୨୦୧୮ରେ ଜିତେନ୍ଦ୍ର ଫେରାର୍ ହୋଇଗଲେ। ଜିତେନ୍ଦ୍ରଙ୍କ ପିତା ଥାନାରେ ନିଖୋଜ ରିପୋର୍ଟ ଦେଲେ। ପୁଲିସ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କିଛି ପତ୍ତା ମିଳିଲା ନାହିଁ। ଶିଲୁ ଓ ତାଙ୍କ ପରିବାର ମିଶି ଜିତେନ୍ଦ୍ରଙ୍କୁ ହତ୍ୟା କରିଥିବା ଶାଶୁଘର ଲୋକେ ଅଭିଯୋଗ କଲେ।
ସେବେଠାରୁ ଶିଲୁ ପତିଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ଏହି ମଧ୍ୟରେ ଦୀର୍ଘ ୭ ବର୍ଷ ବିତିଗଲା। ହେଲେ ଜିତେନ୍ଦ୍ରଙ୍କର କିଛି ଖୋଜ ଖବର ନଥିଲା। ଏହି ମଧ୍ୟରେ ପଞ୍ଜାବ ଲୁଧିଆନାର ଅନ୍ୟ ଜଣେ ମହିଳାଙ୍କ ସହ ଜିତେନ୍ଦ୍ରଙ୍କ ନାଚ ଗୀତର ରିଲ୍ସ ଭାଇରାଲ୍ ହେଉଥିବା ଶିଲୁଙ୍କ ନଜରକୁ ଆସିଲା। ଏହାପରେ ପୀଡ଼ିତା ମହିଳା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୁଲିସ ଏବେ ଘଟଣାର ତଦନ୍ତ କରୁଛି।