ନୂଆଦିଲ୍ଲୀ ୧୬/୦୩: ଚାରି ପଟୁ ସମୁଦ୍ର ଦ୍ୱାରା ଘେରି ହୋଇଥିବା ଦ୍ୱୀପ ଦୁଇଟି ବଡ଼ ସମସ୍ୟାର ସାମ୍ନା କରିଥାଏ । ତାହା ହେଲା ପାନୀୟ ଜଳ ଏବଂ ଶସ୍ତା ଶକ୍ତି । ଲାକ୍ଷାଦ୍ୱୀପରେ ଏହି ଦୁଇଟି ସମସ୍ୟାର ସମାଧାନ ସମୁଦ୍ରରୁ ହିଁ ମିଳିବାକୁ ଯାଉଛି । ରାଜଧାନୀ କବରତିରେ ଏପରି ଏକ ହାଇବ୍ରିଡ୍‌ ପ୍ଲାଣ୍ଟ ପ୍ରସ୍ତୁତ ହେଉଛି ଯାହାକି ସମୁଦ୍ରର ତାପମାତ୍ରାର ଅନ୍ତରରୁ ବିଜୁଳି ପ୍ରସ୍ତୁତ କରିବ । ସମାନ ପ୍ରକ୍ରିୟାରେ ସମୁଦ୍ର ପାଣି ପାନୀୟ ଜଳରେ ପରିବର୍ତ୍ତିତ ହେବ । ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନ୍‌ ଟେକ୍ନୋଲୋଜି(ଏନ୍‌ଆଇଓଟି) ଏଭଳି ଯୁଗାନ୍ତକାରୀ ପ୍ରଯୁକ୍ତି ଉପରେ କାମ ଆରମ୍ଭ କରିଛି । ଚଳିତବର୍ଷ ଶେଷ ସୁଦ୍ଧା ଏହା ଦୁନିଆ ଲାଗି ଏକ ଉଦାହରଣ ପାଲଟିବ ବୋଲି ଆଶା ରହିଛି ।

ଏହି ନୂଆ ପ୍ଲାଣ୍ଟ ଓସନ୍‌ ଥର୍ମାଲ ଏନର୍ଜି କନଭରସନ୍‌(ଓଟିଇସି) ପ୍ରଯୁକ୍ତି ଉପରେ ଆଧାରିତ । ଏଥିରେ ସମୁଦ୍ର ପୃଷ୍ଠର ଗରମ ପାଣି ଏବଂ ଗଭୀର ସମୁଦ୍ରର ଥଣ୍ଡା ପାଣିକୁ ବ୍ୟବହାର କରାଯିବ । ଆରବ ସାଗର ପୃଷ୍ଠରୁ ଉଷ୍ମ ପାଣି ଏବଂ ଗଭୀର ସମୁଦ୍ରରୁ ଥଣ୍ଡା ପାଣି ପ୍ଲାଣ୍ଟକୁ ଅଣାଯିବ । ନିୟନ୍ତ୍ରିତ ଅବସ୍ଥାରେ ତାପମାତ୍ରାର ଏହି ଦୁଇଟି ଉତ୍ସ ପାରସ୍ପରିକ କ୍ରିୟା କଲେ ବାଷ୍ପୀକରଣ ଏବଂ ଘନୀଭୂତ ହେବ । ଏହା ଫଳରେ ଲୁଣରହିତ ସ୍ୱଚ୍ଛ ପାନୀୟ ଜଳ ମିଳିବ । ନୂଆ ପ୍ଲାଣ୍ଟ ପ୍ରତିଦିନ ୧ ଲକ୍ଷ ଲିଟର ପାନୀୟ ଜଳ ପ୍ରସ୍ତୁତ କରିବ । ପ୍ଲାଣ୍ଟ ଚାଲିବାକୁ ଆବଶ୍ୟକ ବିଦ୍ୟୁତ୍‌ ମଧ୍ୟ ସେଠାରେ ପ୍ରସ୍ତୁତ ହେବ ।

​​​​​​​

ଏହି ପ୍ଲାଣ୍ଟର ସବୁଠୁ ରୋମାଞ୍ଚକର ଏବଂ ଜଟିଳ ଅଂଶ ହେଲା ଗଭୀର ସମୁଦ୍ରରୁ ଥଣ୍ଡା ପାଣି ଆଣିବା । ସେଥିଲାଗି ବୈଜ୍ଞାନିକଙ୍କ ଟିମ୍‌ ପ୍ରାୟ ୩.୮ କିମି ଲମ୍ବା ବିଶାଳ ପାଇପଲାଇନ୍‌ ବିଛାଉଛନ୍ତି । ୯୦୦ ମିମି ବ୍ୟାସଯୁକ୍ତ ଏହି ‘ହାଇ ଡେନସିଟି ପଲିଏଥିଲିନ୍‌’ ପାଇପଲାଇନ୍‌ ସମୁଦ୍ରର ୧୦୦୦ ମିଟର ତଳୁ ଥଣ୍ଡା ପାଣି ଆଣିବ । ଏହି ପାଇପଲାଇନ୍‌କୁ ୱେଲଡିଙ୍ଗ କରି ସମୁଦ୍ରରେ ଲଗାଇବାର କାମ ଦ୍ରୁତ ଭାବେ ଚାଲୁଛି । ବର୍ତ୍ତମାନ ଲାକ୍ଷାଦ୍ୱୀପ ବିଜୁଳି ଲାଗି ଡିଜେଲ ଜେନେରେଟର ଉପରେ ନିର୍ଭରଶୀଳ । ମୁଖ୍ୟ ଭୂଖଣ୍ଡରୁ ଜାହାଜ ଜରିଆରେ ଡିଜେଲ ଆଣିବା ମହଙ୍ଗା ହେବା ସହ ସାମୁଦ୍ରିକ ପରିବେଶ ଲାଗି ବିପଦପୂର୍ଣ୍ଣ ମଧ୍ୟ । ଏପରିସ୍ଥିତିରେ ନୂଆ ପ୍ଲାଣ୍ଟ ପ୍ରତିଦିନ ୬୫ ମେଗାୱାଟ ବିଜୁଳି ନିଜେ ପ୍ରସ୍ତୁତ କରିବ । ପୂରା ଲାକ୍ଷାଦ୍ୱୀପ ଲାଗି ଦୈନିକ ମାତ୍ର ୧୦-୧୨ ମେଗାୱାଟ ବିଜୁଳିର ଆବଶ୍ୟକତା ରହିଛି । ଅର୍ଥାତ୍‌ ଏହି ପ୍ଲାଣ୍ଟ ନିଜର ଆବଶ୍ୟକତା ପୂରଣ ପରେ ଅନ୍ୟ ଦ୍ୱୀପକୁ ଅତିରିକ୍ତ ସ୍ୱଚ୍ଛ ଶକ୍ତି ମଧ୍ୟ ଦେବ ।

ଆହୁରି ପଢ଼ନ୍ତୁ...ଏୟାର ଇଣ୍ଡିଆରେ ମହାଘୋଟାଲା: ୪ ହଜାର କର୍ମଚାରୀଙ୍କ କଳାକାରନାମା, ବାହାର ଲୋକଙ୍କୁ ବିକିଦେଲେ ଟିକେଟ୍