ନୂଆଦିଲ୍ଲୀ, ୧୬।୩: ଏୟାର ଇଣ୍ଡିଆରେ ଏକ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏ ଜାଲିଆତିର ପର୍ଦ୍ଦାଫାଶ ହୋଇଛି । କର୍ମଚାରୀମାନେ ନିଜ ପରିବାର ପାଇଁ ମିଳୁଥିବା ମାଗଣା ବିମାନ ଟିକେଟକୁ ବାହାର ଲୋକଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । କମ୍ପାନୀର ଶତାଧିକ କର୍ମଚାରୀ ବାହାର ଲୋକଙ୍କୁ ନିଜର ସମ୍ପର୍କୀୟ ସଜାଇ ବର୍ଷକୁ ମିଳୁଥିବା ମାଗଣା ବିମାନ ଟିକେଟ୍କୁ ବିକ୍ରି କରିଦେଇଛନ୍ତି । ଟାଟା ଗ୍ରୁପ୍ ନିୟନ୍ତ୍ରଣରେ ଥିବା ଏୟାର ଇଣ୍ଡିଆ ଏହି ଘଟଣାର ତଦନ୍ତ କରିବା ପରେ ଏବେ ଦୋଷୀ କର୍ମଚାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।

କ’ଣ ଏହି ସ୍କାମ୍ ?

ଏୟାର ଇଣ୍ଡିଆର 'ଏମ୍ପ୍ଲୋୟୀ ଲେଜର ଟ୍ରାଭେଲ' (ELT) ପଲିସି ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀଙ୍କୁ ବର୍ଷକୁ ୧୪ଟି ମାଗଣା ବିମାନ ଟିକେଟ୍ ମିଳିଥାଏ । ଏହି ସୁବିଧା କେବଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ତଦନ୍ତରୁ ଜଣାପଡ଼ିଛି ଯେ, ପାଖାପାଖି ୪,୦୦୦ କର୍ମଚାରୀ ଏହି ମାଗଣା ଟିକେଟକୁ ବାହାର ଲୋକଙ୍କୁ ବିକ୍ରି କରିଛନ୍ତି । ବାହାର ଲୋକଙ୍କୁ ନିଜର 'ନିକଟ ସମ୍ପର୍କୀୟ' ଦର୍ଶାଇବା ପାଇଁ ନକଲି ଦସ୍ତାବିଜ୍ ବ୍ୟବହାର କରାଯାଇଛି । ସମୁଦାୟ ୨୪ ହଜାର କର୍ମଚାରୀଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଏହି କାରବାରରେ ସାମିଲ ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... ଏଲ୍‌ପିଜି ସଙ୍କଟ, ସ୍କୁଲ ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ମିଳୁଛି ଗୁପଚୁପ୍

କଠୋର ହେଲା ଏୟାର ଇଣ୍ଡିଆ:

ଏହି ଜାଲିଆତି ଧରାପଡ଼ିବା ପରେ କମ୍ପାନୀ ପକ୍ଷରୁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ରିକଭରି ନୋଟିସ୍ ଜାରି କରାଯାଇଛି । ଜାଲିଆତି କରି ବ୍ୟବହାର କରାଯାଇଥିବା ଟିକେଟର ଅର୍ଥ କର୍ମଚାରୀଙ୍କଠାରୁ ଅସୁଲ କରାଯିବ । ଏହା ସହିତ ସେମାନଙ୍କ ଉପରେ ଜୋରିମାନେ ମଧ୍ୟ ଲଗାଯାଇଛି । ଭବିଷ୍ୟତରେ ଏଭଳି ଦୁର୍ନୀତି ରୋକିବା ପାଇଁ ଏୟାର ଇଣ୍ଡିଆ ନିଜର ମାଗଣା ଟିକେଟ୍ ସ୍କିମ୍ରେ ବଡ଼ ପରିବର୍ତ୍ତନ କରିଛି । ଏଣିକି ମାଗଣା ଟିକେଟ୍ ବ୍ୟବହାର କରିବା ପୂର୍ବରୁ ସମ୍ପର୍କୀୟଙ୍କ ସମ୍ପୂର୍ଣ୍ଣ ବିବରଣୀ ଏବଂ ପରିଚୟ ପତ୍ର ଦେବାକୁ ପଡ଼ିବ । ଦସ୍ତାବିଜଗୁଡ଼ିକର କ୍ରସ୍-ଭେରିଫିକେସନ୍ କରାଯିବ ଯେପରି କେହି ନକଲି ପରିଚୟ ଦେଇ ଯାତ୍ରା କରିପାରିବେ ନାହିଁ ।