‘ନୋ ପାର୍କିଂ ଜୋନ’ରେ ଗାଡ଼ି ରଖିବାରୁ ମେୟରଙ୍କ ଉପରେ ଜରିମାନା

source:telanganatoday.com
ହାଇଦ୍ରାବାଦ,୩ ।୨(ଏଜେନ୍ସି): ଏଠାକାର ମେୟର ବନଥୁ ରାମମୋହନ ନିଜ ଗାଡ଼ିକୁ ‘ନୋ ପାର୍କିଂ ଜୋନ’ରେ ରଖିଥିବାରୁ ହାଇଦ୍ରାବାଦ୍ ଟ୍ରାଫିକ୍ ପୁଲିସ ବିଭାଗ ତାଙ୍କ ଉପରେ ଜରିମାନା ଲଗାଇଛି ଏବଂ ସେ ଜରିମାନା ବାବଦ ଅର୍ଥ ମଧ୍ୟ ପୈଠ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ରାମମୋହନଙ୍କ କାର୍ ‘ନୋ ପାର୍କିଂ ଜୋନ’ରେ ଥୁଆ ହୋଇଥିଲାବେଳେ ଜଣେ ବ୍ୟକ୍ତି ତା’ର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏହା ଭାଇରାଲ ହେବା ପରେ ସହରର ଟ୍ରାଫିକ୍ ପୁଲିସ ମେୟରଙ୍କ ନାମରେ ଚାଲାଣ କାଟିଥିଲା ଏବଂ ନିଜ ୱେବ୍ସାଇଟରେ ଅପଲୋଡ୍ କରିଥିଲା ।
ଏହାପରେ ମେୟର ଚାଲାଣ ବାବଦ ଅର୍ଥ ପୈଠ କରିଥିଲେ ଏବଂ ଏ ସମ୍ପର୍କରେ ଟ୍ୱିଟରରେ ସୂଚନା ଦେଇଥିଲେ । ସେ ସଫେଇ ଦେଇଥିଲେ କି ଉଦ୍ଦେଶ୍ୟମୂଳକ ଭାବେ ଏପରି ଭୁଲ ହୋଇନାହିଁ । ସେ ସହରର କିଛି ସମସ୍ୟା ତଦାରଖ କରିବାକୁ ଯାଇଥିଲାବେଳେ ତାଙ୍କ ଡ୍ରାଇଭର ‘ନୋ ପାର୍କିଂ ଜୋନ’ରେ ଗାଡ଼ି ଥୋଇ ଦେଇଥିଲେ । ତେବେ ଭୁଲ ଯିଏ କଲେ ବି ଭୁଲ । ତେଣୁ ସେ ନିୟମ ଅନୁଯାୟୀ ଜରିମାନା ଦାଖଲ କରିଛନ୍ତି । ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କି ସେ ଏହି କାରଣରୁ ତାଙ୍କ ଡ୍ରାଇଭର ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ।