ନୂଆଦିଲ୍ଲୀ, ୨୦/୦୫ : କାର୍ ସାଇଲେନ୍ସରରୁ ଧୂଆଁ ନୁହେଁ ବାହାରୁଛି ଶୁଦ୍ଧ ପାଣି। ଚାହିଁଲେ ପିଇ ପାରିବେ ଆପଣ। ଗାଡି ଚଲାଇଲେ ହେବନି ପରିବେଶ ପ୍ରଦୂଷଣ। ପେଟ୍ରୋଲ-ଡିଜେଲ ଟେନସନରୁ ମିଳିବ ମୁକ୍ତି। ବୈଶ୍ଵିକ ତୈଳ ସଙ୍କଟ ମଧ୍ୟରେ ଭାରତ ଏବେ ସବୁଜ ହାଇଡ୍ରୋଜେନ ମିଶନ ଉପରେ ଜୋର୍ ଦେଉଛି। ହାଇଡ୍ରୋଜେନ୍ ଚାଳିତ କାରଗୁଡ଼ିକ ଉପରେ ଫୋକସ୍ କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଏହି ଗାଡି ଗୁଡ଼ିକରୁ ଧୂଆଁ ନୁହେଁ ବରଂ ଶୁଦ୍ଧ ପାଣି ନିଷ୍କାସନ ହେଉଛି। ତେଣୁ ପରିବେଶ ସୁରକ୍ଷା ପାଇଁ ଭବିଷ୍ୟତରେ ହାଇଡ୍ରୋଜେନ୍ କାର୍ ଏକ ଭଲ ବିକଳ୍ପ ହେବ ବୋଲି ବିବେଚନା କରାଯାଉଛି।
ହାଇଡ୍ରୋଜେନ୍ କାରଗୁଡ଼ିକ ପାରମ୍ପରିକ ପେଟ୍ରୋଲ କିମ୍ବା ଡିଜେଲ କାରଠାରୁ ଭିନ୍ନ। ଏହି କାରରେ ହାଇଡ୍ରୋଜେନ୍ ଗ୍ୟାସ୍ ବ୍ୟବହାର ହୁଏ। କାର ଭିତରେ ଏକ ଇନ୍ଧନ ସେଲ୍ ହାଇଡ୍ରୋଜେନ୍କୁ ବାୟୁରୁ ଅମ୍ଳଜାନ ସହିତ ମିଶ୍ରଣ କରି ବିଦ୍ୟୁତ୍ ଉତ୍ପାଦନ କରେ। ଏହି ବିଦ୍ୟୁତ୍ କାରର ମୋଟରକୁ ଶକ୍ତି ଦିଏ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଦ୍ଵାରା କାର୍ବନ ଡାଇଅକ୍ସାଇଡ୍ କିମ୍ବା ବିଷାକ୍ତ ଧୂଆଁ ବାହାରେନି। ବରଂ ପାଣି ବାହାରେ। ଏଥିପାଇଁ ଏହାକୁ ଶୂନ୍ୟ-ନିର୍ଗମନ ଯାନ କୁହାଯାଏ।
କିଛି ମିନିଟ୍ ମଧ୍ୟରେ ଭରିପାରିବେ ଇନ୍ଧନ
ବିଶେଷଜ୍ଞଙ୍କ ଅନୁଯାୟୀ, ବହୁ ଦୂର ଯାତ୍ରା କରିବା ପାଇଁ ହାଇଡ୍ରୋଜେନ୍ କାର ଭଲ ବିକଳ୍ପ। ବୈଦ୍ୟୁତିକ କାରଗୁଡ଼ିକୁ ଚାର୍ଜ ହେବାକୁ ସମୟ ଲାଗେ। ହେଲେ ହାଇଡ୍ରୋଜେନ୍ କାରରେ ମାତ୍ର କିଛି ମିନିଟ୍ ମଧ୍ୟରେ ଇନ୍ଧନ ଭରିପାରିବେ। ଏହାର ଡ୍ରାଇଭିଂ ରେଞ୍ଜ୍ ମଧ୍ୟ ଅଧିକ। ଏହି କାରଣରୁ ଅନେକ ପ୍ରମୁଖ ଅଟୋ କମ୍ପାନୀ ଏହି ପ୍ରଯୁକ୍ତିବିଦ୍ୟା ଉପରେ ଦ୍ରୁତ ଗତିରେ କାମ କରୁଛନ୍ତି। ହାଇଡ୍ରୋଜେନ୍ ଚାଳିତ ବସ୍ ଏବଂ ଟ୍ରେନ୍ ର ପରୀକ୍ଷଣ କରାଯାଇଛି। ଦିଲ୍ଲୀରେ ସବୁଜ ହାଇଡ୍ରୋଜେନ୍ ଚାଳିତ ବସ୍ ସେବା ଆରମ୍ଭ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି।
ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଉପରେ ଗୁରୁତ୍ୱ
ଭାରତ ସରକାର ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଉପରେ ଗୁରୁତ୍ୱ ଦେଉଛନ୍ତି। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ଏବଂ ଆମଦାନୀ ହୋଇଥିବା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏହାର ଲକ୍ଷ୍ୟ। ଯଦି ଭବିଷ୍ୟତରେ ହାଇଡ୍ରୋଜେନ୍ ଉତ୍ପାଦନ ଶସ୍ତା ଏବଂ ସହଜ ହୁଏ, ତେବେ ଏହି ପ୍ରଯୁକ୍ତିବିଦ୍ୟା ସାଧାରଣ ଲୋକଙ୍କ ପାଇଁ ସୁଲଭ ହୋଇପାରିବ। ଏହା ପ୍ରଦୂଷଣ ହ୍ରାସ କରିବ। ତେବେ ଏଥିପାଇଁ ଅନେକ ଚ୍ୟାଲେଞ୍ଜ୍ ମଧ୍ୟ ରହିଛି। ହାଇଡ୍ରୋଜେନ୍ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ଏବଂ ଅଧିକ ପରିମାଣର ଇନ୍ଧନ ଷ୍ଟେସନ୍ ନିର୍ମାଣ କରିବା ସହଜ ନୁହେଁ। ଏହି ପ୍ରଯୁକ୍ତିବିଦ୍ୟା ମହଙ୍ଗା ହେବା ସହ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିପାରେ।
ଏହି ଖବରଟିକୁ ପଢନ୍ତୁ- Loco Pilot : ଟ୍ରେନ୍ ଚାଳକଙ୍କୁ କାହିଁକି କୁହାଯାଏ ଲୋକୋ-ପାଇଲଟ୍ ? ଜାଣନ୍ତୁ କାରଣ...