ନୂଆଦିଲ୍ଲୀ, ୨୦/୦୫ : ଦେଶର ଲାଇଫଲାଇନ୍ ହେଉଛି ଭାରତୀୟ ରେଳ। ଟ୍ରେନ୍ କେବଳ ପରିବହନର ଏକ ମାଧ୍ୟମ ନୁହେଁ, ବରଂ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସମସ୍ତଙ୍କର ଟ୍ରେନ ଯାତ୍ରା ନେଇ ଊଣା ଅଧିକ ଅଭିଜ୍ଞତା ଥିବା ନିଶ୍ଚୟ। ତେବେ ଆପଣ ଜାଣଛନ୍ତି କି ଯିଏ ଟ୍ରେନ୍ ଚଲାଏ ତାଙ୍କୁ କ'ଣ କୁହାଯାଏ ? ଏହାର ଉତ୍ତର ହେଉଛି "ଲୋକୋ ପାଇଲଟ୍।" ଯେଉଁମାନେ ବସ୍, ଅଟୋ କିମ୍ଵା କାର୍ ଚଳାନ୍ତି ସେମାନଙ୍କୁ କୁହାଯାଏ ଡ୍ରାଇଭର୍। ହେଲେ ଯିଏ ଟ୍ରେନ୍ ଚଳାନ୍ତି ତାଙ୍କୁ କୁହାଯାଏ ଲୋକୋ ପାଇଲଟ୍। ତେବେ ସେମାନଙ୍କୁ "ଡ୍ରାଇଭର" କୁହାଯାଏ ନାହିଁ କାହିଁକି ? ଏହି ବିଶେଷ ନାମ ପଛରେ କାରଣ କ'ଣ ?
ଟ୍ରେନ୍ ଯେଉଁ ଇଞ୍ଜିନ୍ ଦ୍ଵାରା ଚାଲେ, ତାହାକୁ କୁହାଯାଏ ଲୋକୋମୋଟିଭ୍। ସେହିପରି ଏହି ଜଟିଳ ଏବଂ ଭାରୀ ମେସିନକୁ ଯିଏ ସଞ୍ଚାଳନ କରନ୍ତି ସେ ହେଉଛନ୍ତି ପାଇଲଟ୍। ଏହି ଦୁଇଟି ଶବ୍ଦକୁ ମିଶାଇ ଟ୍ରେନ୍ ଚାଳକଙ୍କୁ କୁହାଯାଏ ଲୋକୋ ପାଇଲଟ୍। ଅର୍ଥାତ୍, ଯେଉଁ ବ୍ୟକ୍ତି ଲୋକୋମୋଟିଭ୍ ଇଞ୍ଜିନ୍କୁ ପରିଚାଳନା କରି ଶତାଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଆନ୍ତି। ତେଣୁ ଜଣେ ଲୋକୋ ପାଇଲଟ୍ କେବଳ ଜଣେ ଡ୍ରାଇଭର ନୁହଁନ୍ତି, ବରଂ ଜଣେ ଦାୟିତ୍ୱବାନ ଅପରେଟର। ଯାହାଙ୍କ ସତର୍କତା ଏବଂ ଦକ୍ଷତା ହଜାର ହଜାର ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରେ। ଟ୍ରେନ୍କୁ ଚଳାଉଥିବା ବ୍ୟକ୍ତି କେବଳ ଏକ ଯାନ ଚଳାନ୍ତିନି, ବରଂ ଏକ ବିଶାଳ ମେସିନ୍ ଏବଂ ଏଥିରେ ବସିଥିବା ଲୋକଙ୍କ ସୁରକ୍ଷା ତାଙ୍କ କାନ୍ଧ ଉପରେ ଥାଏ।
ଏହି ଖବରଟିକୁ ପଢନ୍ତୁ- AI smart glasses : ଗୁଗଲର ଏଆଇ ଚଷମା, ଆଖି ପିଛୁଳାକେ କରିବ ଟ୍ରାନ୍ସଲେଟ୍, ଫୋନ ନଛୁଁଇ କରିପାରିବେ କଲ୍, ମେସେଜ୍