ଘର ସଜାଡୁଛି । ଯେତିକି ସଜାଡୁଛି, ସେତିକି ସେ ଅସଜଡ଼ା ହୋଇଯାଉଛି । ଘରର ଗୋଟିଏ ପ୍ରକୋଷ୍ଠକୁ ସ୍ୱଚ୍ଛ, ନିର୍ମଳ କଲାପରେ ଆଉ ଗୋଟିଏ ପ୍ରକୋଷ୍ଠରେ ପୁଣି ନାନା ଆବର୍ଜନା ଭରିଯାଉଛି । ଆଉ ବଳ ପାଉନାହିଁ । ବୟସ ବି ସହଯୋଗ କରିବା ଅବସ୍ଥାରେ ନାହିଁ । କଥା ହେଲା, ଆତ୍ମା ଚାହୁଁଛି ଘଟାନ୍ତର । ଧୀରେ ଧୀରେ ଜୀର୍ଣ୍ଣ, ଶୀର୍ଣ୍ଣ, ଦୁର୍ବଳ ହୋଇପଡୁଥିବା ମୋ ଘର ତେଜି ଆତ୍ମା ହୁଏତ ନୂଆ ଘର ସନ୍ଧାନରେ ଅଛି । ମୁଁ ଆଉ କେତେ କାଳ ତା'କୁ ଏମିତି ଫୁସୁଲାଫୁସୁଲି କରି ରଖିପାରିବି ମୋ ଭିତରେ? ଯିବାର କଥା ଯଦି, ସେ ଯାଉ । ଚୁପ୍ଚାପ୍ ଚାଲିଯାଉ, ମୋତେ ଆଉ ହଇରାଣ ହରକତ ନ କରି । ମୋତେ ଆଉ ଦଉଡ଼ିବାକୁ ନପଡୁ ଘରସଜଡ଼ା ବିଶେଷଜ୍ଞଙ୍କ ପାଖକୁ । ଲମ୍ବା ଧାଡ଼ିରେ ଠିଆ ହେବାର ଧୈର୍ଯ୍ୟ ଧରି ସେମାନଙ୍କର ପରାମର୍ଶ ନେବାକୁ ମୋର ଆଉ ତିଳେମାତ୍ର ଆଗ୍ରହ ନାହିଁ । ତଥାପି ମୁଁ ଘର ସଜାଡୁଛି । ଏ ସଜାଡ଼ିବାର ଯେମିତି ଶେଷ ନାହିଁ । ଈଶ୍ୱର ଗଢ଼ିଥିବା ମୋ ନିଜ ଘର ସାଙ୍ଗକୁ ମୁଁ ବା ଆମେ (ଅର୍ଥାତ୍ ଆମେ ଦୁଇ ପତି ପତ୍ନୀ) ଗଢ଼ିଥିବା "ବସାଘର'ର ଆୟୁଷ ବି ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ହୋଇଯିବା ପରେ ଏବେ ପୁଣି ନୂଆ ସଜଡ଼ାସଜଡ଼ି ଲୋଡୁଛି ।
ଛାତରୁ ଖସିଲାଣି ପଲସ୍ତରା । ପାଚେରି କାନ୍ଥରେ ଫାଟ । କାନ୍ଥ, କବାଟରୁ ରଙ୍ଗ ଛାଡ଼ିଲାଣି । ଭଳିକିଭଳି ରଙ୍ଗର ବିପଣୀ ଖୋଲିଥିବା ବେପାରୀମାନଙ୍କ ବିଜ୍ଞାପନର ଚେହେରା ଓ ଚମକରେ ମନ ବି ଚହଲିଲାଣି । ତେଣୁ ଆରମ୍ଭ ହେଲାଣି ଘର ସଜାଡ଼ିବାର ଆନନ୍ଦ ଠାରୁ ବଳି ଯନ୍ତ୍ରଣା । ନିଜ ରକ୍ତମାଂସର ଘଟକୁ ଆଶ୍ରୟ ଦେବା ପାଇଁ ଇଟା ସିମେଣ୍ଟର ଘର । ସାଙ୍ଗରେ ଘରଣୀ । ଘରଣୀ ଅଛନ୍ତି ବୋଲି ତ ଘର । ଘରଣୀଙ୍କ ଆଗ୍ରହରେ ହିଁ ଏ ଘର । ହୁଏତ କହିପାରିବି "ଆମ ଘର' । ଏପରି କହିବାରେ ଏକପ୍ରକାର ଆନନ୍ଦ ମିଳିପାରେ ଅବା ନ ମିଳିପାରେ । କାରଣ ଆମର ଘଟାନ୍ତର ପରେ ଏ ଘର କାହାର? ଉତ୍ତରଦାୟାଦମାନେ ତ ନିଜ ପାଇଁ ନିଜ ପସନ୍ଦର ଘର ସବୁ ନିଜ ପସନ୍ଦର ଇଲାକାମାନଙ୍କରେ ଗଢ଼ି ସାରିଲେଣି । ସେଠି ବସା ବାନ୍ଧିଲେଣି । ତେଣୁ "ମୋ ଘର' ଅବା "ଆମ ଘର' କହି ତାକୁ ବାରମ୍ବାର ସଜାଡ଼ି, ସେଥିରେ ନୂଆ ରଙ୍ଗର ଛାପ ଦେଇ ଯେତେ ଆକର୍ଷଣୀୟ କରିବାର ଉଦ୍ୟମ କଲେ ବି ଅଚିରେ ତାହା ଦିନେ ମାଟିରେ ମିଶିବ ଅବା "ଭୂତଘର'ର ଅସ୍ତିତ୍ୱ ନେଇ କିଛି କାଳ ନିଜକୁ ବଞ୍ଚେଇ ରଖିବାର ବ୍ୟର୍ଥ ପ୍ରୟାସ କରିବ । ତଥାପି ଘର ସଜାଡୁଛି । ଅଥଚ ଘର ମୁକ୍ତି ଖୋଜିଲାଣି "ଘର'ର ଘେର ଭିତରୁ । ଅବଶ୍ୟ ଏ ପ୍ରୟାସ ଓ ପ୍ରକ୍ରିୟାରେ ଅସ୍ୱାଭାବିକତା କିଛି ନାହିଁ । ମୋତେ ଘର ଛାଡ଼ିଦେଇପାରେ କିମ୍ବା ମୁଁ ଘର ଛାଡ଼ିଦେଇପାରେ । ମାତ୍ର ଛାଡ଼ିବାଟା ହିଁ ନିଶ୍ଚିତ । ଘର ସବୁ ମଣିଷମାନଙ୍କୁ ଛାଡ଼ିବା ଏବଂ ମଣିଷମାନେ ଘର ଛାଡ଼ିଦେବାର ଦୃଶ୍ୟ ମୁଁ ଦେଖିପାରୁଛି ଏଇ କେତେବର୍ଷ ହେଲା ରାଜ୍ୟର ରାଜଧାନୀରେ ରହି । କେତେ ସ୍ୱପ୍ନ ଓ କଳ୍ପନାର ରଙ୍ଗରେ ଛାଉଣି ହୋଇଥିବା ସୁନ୍ଦର ଘର ସବୁର ସମାଧି ମୁଁ ଦେଖିଲିଣି । ପ୍ରତ୍ୟେକ ଘରର ସ୍ୱତନ୍ତ୍ର ଚିତ୍ର ଓ ଚରିତ୍ର ବଦଳରେ ଏକାପ୍ରକାର ଛାଞ୍ଚ ଓ ଛାପରେ ଗଢ଼ା ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ଛାଇ ହୋଇଗଲାଣି । ଘରକୁ ନେଇ ବେପାର ବେଶ୍ ଲାଭପ୍ରଦ ହେଲାଣି ବେପାରୀମାନଙ୍କ ପାଇଁ । ଘର ଭିତରେ ବନ୍ଧୁତାର ବେଭାର ଖୋଜିଲେ ଆଉ ମିଳିବ ନାହିଁ । ମିଳିବ ନାହିଁ ପାରିବାରିକ ବନ୍ଧନର ମାୟା ଓ ମହକ ।
ତିଥିରେ ହେଉ ବା ଅତିଥିରେ, ଘର ଆଉ ଭେଟି ପାରୁନାହିଁ ଅତିଥି ଅଭ୍ୟାଗତକୁ । ଅକାଳେ ସକାଳେ ଅପ୍ରତ୍ୟାଶିତ ଭାବରେ ସେମାନଙ୍କ ପାଦ ପଡ଼ିଲେ ବି ଘରର କବାଟ କେଁ କଟର ଡାକ ଦେଉଛି ସେମାନଙ୍କୁ ବିଦା କରିବାକୁ । ବନ୍ଦ ଘରର କବାଟ କୋଣରେ ବନ୍ଧା ପଡ଼ିଛି ଘରର ଆତ୍ମା ଓ ହୃଦୟ । ପ୍ରାୟ ଊଣା ଅଧିକେ ପ୍ରତ୍ୟେକ ଘରର ଅବସ୍ଥା ହିଁ ଏଇଆ । ମୁକ୍ତିର ରାହା ଖୋଜୁଛନ୍ତି ସେମାନେ । ଭବ୍ୟ ପ୍ରାସାଦ ନୁହେଁ କି ସୁରମ୍ୟ ଅଟ୍ଟାଳିକା ନୁହେଁ, ଘର ଲୋଡୁଛି ନିଜର ମୌଳିକ ଚେହେରା ଓ ଚରିତ୍ର । ଘର ଖୋଜୁଛି ଘରର ଆତ୍ମୀୟତା ଓ ଆଭିଜାତ୍ୟ । ଖୋଜିଲେ ଆଉ ମିଳିବ କି ସହଜେ, ସେ ହଜିଲା ଧନ? ହଜିଯାଉଥିବା ସମ୍ପର୍କର ସାନ୍ନିଧ୍ୟ? ସ୍ମୃତିର ସୁରଭି? କିନ୍ତୁ ସ୍ମୃତି ତ କେବେ ନୁହେଁ ଫିଙ୍ଗିବାର । ତେଣୁ ଖୋଜିବା ଜାରି ରହୁ । ପାଇବା, ନପାଇବା ବଡ଼ କଥା ନୁହେଁ । କଥା ହେଉଛି, ଘରର ମାହାତ୍ମ୍ୟ ଓ ମର୍ଯ୍ୟାଦାକୁ ସ୍ୱୀକାର କରିବା । ଦ୍ରୁତଗତିରେ ଦଉଡୁଥିବା ସମୟ ଓ ସଭ୍ୟତାର ବିକାଶ ଯାତ୍ରାରେ ହୁଏତ ବଦଳି ଯାଇପାରେ ଘରର ମାନଚିତ୍ର । ହେଲେ ମନ ଚିତ୍ର? ମନ ଚିତ୍ରକୁ ତ ଆମେ ଅକ୍ଷୁଣ୍ଣ ରଖିପାରିବା । ତେଣୁ ଘର ଭିତରେ ଥାଇ ମୁଁ ଘର ଖୋଜୁଛି ।
ଘର ସଜାଡ଼ିବା ଆରମ୍ଭ କରିଛି । ହଁ, ଘର ସଜାଡୁଛି । କାଳର କ୍ରୂର ହସ ମୋ କାନରେ ପଡ଼ିଲେ ବି ମୁଁ ଶୁଣି ନଶୁଣିବାର ଅଭିନୟ କରୁଛି । ଘର ସଜାଡ଼ିବାରେ ଲାଗିପଡ଼ିଛି । ଅନୁଭବ କରୁଛି ଇଟା, ବାଲି, ସିମେଣ୍ଟର ଏକ ନିର୍ଜୀବ କୋଠା ନୁହେଁ ଏ ଘର । ଏହାର ବି ରହିଛି ନିଜସ୍ୱ ଏକ ପ୍ରାଣସତ୍ତା । ମୁଁ ଶୁଣିପାରୁଛି ପ୍ରାଣର ସେ ସ୍ପନ୍ଦନ । ପ୍ରତି ମୁହୂର୍ତ୍ତରେ ମୁଁ ବାରିପାରୁଛି ତା'ର ନିଃଶ୍ୱାସ, ପ୍ରଶ୍ୱାସ । ଶୁଣିପାରୁଛି ତା'ର ସ୍ୱର ଓ ସଂଗୀତ । ଉଜୁଡ଼ି ଯାଇଥିବା ସମ୍ପର୍କରେ ମୁଁ ତେଣୁ ଘର ସଜାଡ଼ିବାକୁ ହିଁ ମୋର କର୍ତ୍ତବ୍ୟ ରୂପେ ଗ୍ରହଣ କରିନେଇଛି । ହଁ, ମୁଁ ଘର ସଜାଡୁଛି । ଘର ଭିତରେ ଘର । ଘର ବାହାରେ ଘର । ଘରର ଘେର ଭିତରେ ରହି ଘରୁଆ ଜୀବନ ସାଧିବା କିଛି ସହଜ ସାଧନା ନୁହେଁ ।
ହଁ, ଘର ସଜାଡୁଛି । କାଳର କ୍ରୂର ହସ ମୋ କାନରେ ପଡ଼ିଲେ ବି ମୁଁ ଶୁଣି ନଶୁଣିବାର ଅଭିନୟ କରୁଛି । ଘର ସଜାଡ଼ିବାରେ ଲାଗିପଡ଼ିଛି । ଅନୁଭବ କରୁଛି ଇଟା, ବାଲି, ସିମେଣ୍ଟର ଏକ ନିର୍ଜୀବ କୋଠା ନୁହେଁ ଏ ଘର । ଏହାର ବି ରହିଛି ନିଜସ୍ୱ ଏକ ପ୍ରାଣସତ୍ତା । ମୁଁ ଶୁଣିପାରୁଛି ପ୍ରାଣର ସେ ସ୍ପନ୍ଦନ । ପ୍ରତି ମୁହୂର୍ତ୍ତରେ ମୁଁ ବାରିପାରୁଛି ତା’ର ନିଃଶ୍ୱାସ, ପ୍ରଶ୍ୱାସ । ଶୁଣିପାରୁଛି ତା’ର ସ୍ୱର ଓ ସଂଗୀତ । ଉଜୁଡ଼ି ଯାଇଥିବା ସମ୍ପର୍କରେ ମୁଁ ତେଣୁ ଘର ସଜାଡ଼ିବାକୁ ହିଁ ମୋର କର୍ତ୍ତବ୍ୟ ରୂପେ ଗ୍ରହଣ କରିନେଇଛି ।