ଭୁବନେଶ୍ବର, ୨୪।୭  :  ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ଆଇଏଏସ  ଧୀମାନ ଚକମାଙ୍କୁ ମିଳିଲା ଜାମିନ ।  ହାଇକୋର୍ଟରୁ ଧୀମାନଙ୍କୁ ମିଳିଛି ଜାମିନ । ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ଏଥିସହ ଭିଜିଲାନ୍ସ ତଦନ୍ତରେ ସହଯୋଗ କରିବେ। ସାକ୍ଷୀ ଓ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ସର୍ତ୍ତରେ ଉଲ୍ଲେଖ କରାଯାଇଛି। 

ସୂଚନାଯୋଗ୍ୟ ଯେ, ଧର୍ମଗଡ ଉପଜିଲ୍ଲାପାଳ ଥିବା ବେଳେ  ଧୀମାନ ଚକ୍‌ମା ଜୟପାଟଣା ଅଞ୍ଚଳର  ଜନୈକ କ୍ରସର ମାଲିକଙ୍କୁ ଭୟଭୀତ କରାଇ ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ  ତାଙ୍କୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ବାସଭବନର ଅଫିସ୍‌ ଟେବୁଲ ଡ୍ରୟର ଭିତରେ ଟଙ୍କା ରଖିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ । ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ ବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରିଥିଲେ । ଏହା ପରେ  ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଏହି ଘଟଣା ପରେ ଆଇଏଏସ ଧୀମାନ ଚକମାଙ୍କୁ ରାଜ୍ୟପାଳ ନିଲମ୍ବନ  କରିଥିଲେ। ।