କରାଚୀ, ୨୧/୦୨: ଚଳିତ  ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌ ବି’ରେ ଶୁକ୍ରବାର ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ଏହି ମ୍ୟାଚ ଜରିଆରେ ଗତ ଦିନିକିଆ ବିଶ୍ୱକପ୍‌ ଓ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରାଜୟର ପ୍ରତିଶୋଧ ନେବାକୁ ଆଫଗାନିସ୍ତାନ ଅପେକ୍ଷା କରି ରହିଛି।

ଆଫଗାନିସ୍ତାନ ଆଉ ଦୁର୍ବଳ ଦଳ ଭାବେ ଗଣା ହେଉନି । ଗତ ବର୍ଷ ଦଳ ୪ଟି ଦିନିକିଆ ସିରିଜ ଜିତିଥିଲା । ଦକ୍ଷିଣ  ଆଫ୍ରିକା ବିପକ୍ଷରେ ମଧ୍ୟ ଏକ ସିରିଜ  ଏଥିରେ ଅନ୍ତର୍ଭୁକ୍ତ । ଦଳ ବେଶ ସନ୍ତୁଳିତ ।  ବୋଲିଂ ବିଭାଗ ବେଶ ଶକ୍ତିଶାଳୀ । ରସିଦ  ଖାନ, ନୂର ଅହମ୍ମଦ ପ୍ରମୁଖ ବିଶ୍ୱର ଶ୍ରେଷ୍ଠ ଲେଗ ସ୍ପିନରମାନଙ୍କ ମଧ୍ୟରେ ଗଣା  ହେଉଛନ୍ତି ।  

ଦକ୍ଷିଣ ଆଫ୍ରିକା ଅନ୍ୟତମ ଟାଇଟଲ ଦାବିଦାର । ଦଳରେ ଅନେକ ଯୁବ ଖେଳାଳି ରହିଥିଲେ ହେଁ ଦକ୍ଷିଣ ଆଫ୍ରିକା ବେଶ୍‌ ସନ୍ତୁଳିତ । ଆଡେନ ମାରକ୍ରମ, ହେନରିକ କ୍ଲାସେନ ଓ ଡେଭିଡ ମିଲରଙ୍କ ଭଳି ଦୁର୍ଦ୍ଧର୍ଷ  ବ୍ୟାଟର ଏକୁଟିଆ ମ୍ୟାଚ୍‌ ଜିତାଇବାର  କ୍ଷମତା ରଖିଛନ୍ତି । ସେହିପରି କାଗିସୋ  ରାବାଡା, ମାର୍କୋ ଜାନସେନ ପ୍ରତିପକ୍ଷ ବ୍ୟାଟିଂ ବିଭାଗ ଧ୍ୱଂସ କରିବାର କ୍ଷମତା ରଖିଛନ୍ତି ।  

ଟସ୍‌ ଜିତିଲେ ଫିଲ୍ଡିଂ: କରାଚୀ  ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ।  ମାତ୍ର ଟସ୍‌ ବିଜୟୀ ଦଳ ଫିଲ୍ଡିଂ କରିବା ନିଶ୍ଚିତ ।  ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । 

 -: ସମ୍ଭାବ୍ୟ ଦଳ :- 

ଆଫଗାନିସ୍ତାନ: ଇବ୍ରାହିମ ଜାଡ୍ରାନ,  ରହମନୁଲ୍ଲା ଗୁରବାଜ, ରହମତ ଶାହ,  ହସମତୁଲ୍ଲା ସାହିଦି (ଅଧିନାୟକ),  ଅଜମତୁଲ୍ଲା ଓମାରଜାଇ, ଗୁଲବଦିନ ନାଇବ,  ମହମ୍ମଦ ନବି, ରସିଦ ଖାନ, ନୂର ଅହମ୍ମଦ,  ନଭିଦ ଜାଡ୍ରାନ, ଫଜଲହକ୍‌ ଫାରୁକି । 

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା  (ଅଧିନାୟକ), ଟୋନି ଡି ଜର୍ଜି, ରାଶି  ଭାନ ଡର ଡୁସେନ, ଆଡେନ ମାରକ୍ରମ,  ହେନରିକ କ୍ଲାସେନ, ଡେଭିଡ୍‌ ମିଲର,  ୱିଆନ ମୋଲ୍ଡର, ମାର୍କୋ ଜାନସେନ,  କର୍ବିନ ବସ୍କ, କେଶବ ମହାରାଜ,  କାଗିସୋ ରାବାଡା ।