ନୂଆଦିଲ୍ଲୀ,୧୬/୦୧: ବିରାଟ କୋହଲି ଦିନିକିଆ ରାଙ୍କିଙ୍ଗ୍ ପୁଣି ଥରେ ନମ୍ବର ୱାନ୍ ହୋଇଛନ୍ତି । ଆଇସିସି ତାଲିକା ପ୍ରକାଶ କରି କିଛି ଅଙ୍କ ସେୟାର କରିଥିଲା । ଯାହା ପ୍ରଶଂସକଙ୍କ ମଧ୍ୟରେ ଦ୍ୱନ୍ଦ୍ବ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଆଇସିସି ତାର ତ୍ରୁଟି ସୁଧାରିଛି । ଆଇସିସି ତାର ପ୍ରଥମ ତାଲିକା ସେୟାର କରି ବିରାଟ କୋହଲି ତାଙ୍କ କ୍ୟାରିୟରରେ ୮୨୫ ଦିନ ପାଇଁ ନମ୍ବର ୱାନ୍ ସ୍ଥାନରେ ଥିବା ଦର୍ଶାଇଥିଲା । କିନ୍ତୁ ପ୍ରକୃତରେ ବିରାଟ କୋହଲି ୧୫୪୭ ଦିନ ପାଇଁ ନମ୍ବର ୧ ଦିନିକିଆ ବ୍ୟାଟର ଅଛନ୍ତି । ଅର୍ଥାତ ୭୨୨ ଦିନ କାଟି ଥିଲା ଆଇସିସି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ତ୍ରୁଟିକୁ ସୁଧାରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।
ଦିନିକିଆରେ ବିରାଟଙ୍କ ପ୍ରାଧାନ୍ୟ- ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରରେ ମୋଟ ୧୫୪୭ ଦିନ ପାଇଁ ନମ୍ବର-ୱାନ ରାଙ୍କିଙ୍ଗ୍ ବଜାୟ ରଖିଛନ୍ତି । ସେ ୨୦୧୭ ରୁ ୨୦୨୧ ମଧ୍ୟରେ ଲଗାତାର ୧୨୫୭ ଦିନ ପାଇଁ ନମ୍ବର-ୱାନ ରାଙ୍କିଙ୍ଗ୍ ବଜାୟ ରଖିଛନ୍ତି । ଭାରତୀୟ ବ୍ୟାଟର ମଧ୍ୟରେ ସବୁଠାରୁ ଅଧିକ ସମୟ ପାଇଁ ତାଙ୍କର ରେକର୍ଡ ମଧ୍ୟ ରହିଛି, ଯାହା ତାଙ୍କୁ ବିଶ୍ୱ ରାଙ୍କିଙ୍ଗରେ ତୃତୀୟ ସ୍ଥାନ ଦେଇଛି। ଏହି ତାଲିକାରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଭିଭିଆନ ରିଚାର୍ଡସ ଶୀର୍ଷରେ ଅଛନ୍ତି, ଯିଏ ତାଙ୍କ କ୍ୟାରିୟରରେ ମୋଟ ୨୩୦୬ ଦିନ ଶୀର୍ଷରେ ରହିଛନ୍ତି ।
ଆଇସିସି ଭୁଲ ସଂଶୋଧନ- ICC ରାଙ୍କିଙ୍ଗ୍ ଘୋଷଣା କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁଲ କରିଥିଲା । ସରକାରୀ ପୋଷ୍ଟରେ, ସେମାନେ ବିରାଟଙ୍କ ମୋଟ ନମ୍ବର ୱାନ୍ ଦିନକୁ ୮୨୫ ଭାବରେ ତାଲିକାଭୁକ୍ତ କରିଥିଲେ । ପ୍ରକୃତ ସଂଖ୍ୟା ୧୫୪୭ ଦିନ । ତାଲିକାରେ ବିରାଟଙ୍କ ମୋଟ ଦିନ ସଂଖ୍ୟା ୭୨୨ ଦିନ ହ୍ରାସ କରିଥିଲେ । ଏହି ତ୍ରୁଟି ସୋସିଆଲ ମିଡିଆରେ ପ୍ରଶଂସକ ଏବଂ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା । ଅନେକ ୟୁଜର୍ସ ଆଇସିସିକୁ ଟ୍ୟାଗ୍ କରି ପ୍ରଶ୍ନ କରିଥିଲେ ଯେ, ଏତେ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସହିତ ଏପରି ତ୍ରୁଟି କିପରି ହୋଇପାରେ । ପରେ ଆଇସିସି ଭୁଲ ସ୍ୱୀକାର କରି ପୋଷ୍ଟକୁ ହଟାଇ ଦେଇଥିଲା ।
ବିପଦରେ ବିରାଟଙ୍କ ସ୍ଥାନ- ଭାରତୀୟ ବ୍ୟାଟର ବିରାଟ କୋହଲି ଦୀର୍ଘ ୪ ବର୍ଷ ପରେ ଆଇସିସି ଦିନିକିଆ ବ୍ୟାଟର ତାଲିକାରେ ପ୍ରଥମ ସ୍ଥାନକୁ ଫେରିଥିଲେ । ବୁଧବାର ପ୍ରକାଶିତ ସଦ୍ୟତମ ମାନ୍ୟତାରେ ବିରାଟ ୭୮୫ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅଛନ୍ତି । ଏହାକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ବିଶେଷ କରି ବିରାଟଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇଥିଲେ । କିନ୍ତୁ ଖୁସି ଅଧିକ ଦିନ ନ ରହିବା ପରି ଅନୁଭବ ହେଉଛି । ଏହି ବିପଦର କାରଣ ହେଉଛନ୍ତି ନ୍ୟୁଜିଲାଣ୍ଡର ତାରକା ବ୍ୟାଟର ଡାଲିଲ୍ ମିଚେଲ । ସେ ଯେଉଁ ଫର୍ମରେ ଅଛନ୍ତି ଲାଗୁଛି ବିରାଟଙ୍କୁ ଟପିଯିବେ । ମିଚେଲ ୭୮୪ ପଏଣ୍ଟରେ ଅଛନ୍ତି । ବିରାଟଙ୍କଠୁ ମିଚେଲ ମାତ୍ର ଗୋଟିଏ ପଏଣ୍ଟ ପଛରେ ଅଛନ୍ତି । ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ବିରାଟ ୨୩ ରନ୍ କରିଥିଲେ । ଡାରିଲ ମିଚେଲ ୧୩୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ । ଏହି ପାଳି ପରେ ତାଙ୍କର ଅଙ୍କ ଆହୁରି ବଢିପାରେ । ଯଦି ତୃତୀୟ ଦିନିକିଆରେ ବିରାଟ ଏକ ବଡ଼ ସ୍କୋର ନକରନ୍ତି ହୁଏତ ତାଙ୍କ ନମ୍ୱର ୱାନ୍ ଆସନ ଖସିଯାଇପାରେ ।