ନୂଆଦିଲ୍ଲୀ ୦୭/୦୨: ପ୍ରତୀକ୍ଷାର ଅନ୍ତ ହୋଇ ଆସୁଛି । ଆଉ କିଛି ଘଣ୍ଟା ପରେ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଗୁଲ । ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ୟୁଏସଏ ଲଢ଼େଇ ପୂର୍ବରୁ କଲମ୍ବୋରେ ପାକିସ୍ତାନ-ନେଦରଲାଣ୍ଡସ ଏବଂ କୋଲକାତାରେ ସ୍କଟଲାଣ୍ଡ-ୱେଷ୍ଟଇଣ୍ଡିଜ ମୁହାମୁହିଁ ହେବେ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ୨୦୨୬ ସଂସ୍କରଣର ଆୟୋଜକ ରହିଛନ୍ତି । ୨୦ଟି ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ଭାରତରେ ୫ଟି ଏବଂ ଶ୍ରୀଲଙ୍କାରେ ୩ଟି ଷ୍ଟାଡିୟମରେ ମୋଟ୍ ୫୫ଟି ମ୍ୟାଚ୍ ଖେଳାଯିବ । ଏହାକୁ ମିଶାଇ ଦ୍ୱିତୀୟ ଥର ଭାରତ ବିଶ୍ୱକପ୍ ଆୟୋଜନ କରୁଛି । ବାଂଲାଦେଶ ଓ ପାକିସ୍ତାନ ବିଶ୍ୱକପ୍ରେ ବିବାଦର ଛିଟା ବୋଳିଛନ୍ତି ।
ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ ବୋଲି ଜିଦ୍ କରିଥିଲା । କିନ୍ତୁ ଆଇସିସି ବାରମ୍ବାର ବୁଝାଇବା ସତ୍ତେ୍ୱ ବି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ବୁଝି ନଥିଲା । ଶେଷରେ ବିସିବି ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା ଆଇସିସି । ସେମିତି କୌଣସି କାରଣ ନଥାଇ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବ ବୋଲି କହିଛି । ବାଦ ବିବାଦ ସତ୍ତେ୍ୱ ବିଶ୍ୱ କ୍ରିକେଟ୍ ପ୍ରେମୀ ଫଟାଫଟ କ୍ରିକେଟର ଭରପୁର ରୋମାଞ୍ଚ ନେବାକୁ ଅପେକ୍ଷା କରି ରହିଛନ୍ତି । ଏ ପର୍ଯ୍ୟନ୍ତ ୬ଟି ଦଳ ବିଶ୍ୱ ଟାଇଟଲ ଟେକି ଧରିବାର ସୌଭାଗ୍ୟ ଲାଭ କରିଛନ୍ତି । ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଥରୁଟିଏ ଲେଖାଏଁ ଫାଇନାଲ ଖେଳିଥିଲେ ବି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଛୁଇଁବାର ସ୍ୱପ୍ନ ସାକାର କରିପାରି ନାହାନ୍ତି ।
ଉଦ୍ଘାଟନୀରେ ରଙ୍ଗ ଭରିବେ ନୋରା, ବାଦଶାହ
ଡିଫେଣ୍ଡିଂ ଚାମ୍ପିଅନ ଭାରତ-ୟୁଏସ୍ଏ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଦଶମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ ପୂର୍ବରୁ ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ବାଦଶାହ, ନୋରା ଫତେହି, ରିଷବ ଶର୍ମା ଓ ଶିବମଣି ଦର୍ଶକଙ୍କ ମନୋରଞ୍ଜନ କରିବେ । ମ୍ୟାଚ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେବ । ତା’ ପୂର୍ବରୁ ସନ୍ଧ୍ୟା ୬ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିଶ୍ୱକପ୍ ଟ୍ରଫି ଷ୍ଟାଡିୟମରେ ଆକାଶରୁ ଭୂଇଁ ଛୁଇଁବ । ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିଭିନ୍ନ ଦେଶରୁ ୨୦ ଜଣ ଯୁବ ଆମ୍ବାସଡର ଟ୍ରଫିକୁ ସ୍ୱାଗତ କରିବେ । ସମସ୍ତେ ମିଳିତ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ । ଯେଉଁ ଦର୍ଶକମାନେ ଟିକେଟ୍ କାଟି ଥିଲେ ସେମାନେ ହିଁ ଉଦ୍ଘାଟନୀ ଉତ୍ସବ ଦେଖି ପାରିବେ ।
ଆହୁରି ପଢ଼ନ୍ତୁ:- ଇତିହାସ ରଚିଲା ଭାରତ, ଷଷ୍ଠଥର ଘରକୁ ଆଣିଲା ଅଣ୍ଡର-୧୯ ବିଶ୍ବକପ
୭ରୁ ଆରମ୍ଭ ମାର୍ଚ୍ଚ ୮ରେ ଫାଇନାଲ୍
ଫେବ୍ରୁଆରୀ ୭ରୁ ଟି-ଟ୍ୱେଣ୍ଟି ବିଶ୍ୱକପର ଦଶମ ସଂସ୍କରଣ ଆରମ୍ଭ ହେବ । ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ (ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ଅହମ୍ମଦାବାଦ) ଓ ଶ୍ରୀଲଙ୍କାର (କଲମ୍ବୋ ଓ କାଣ୍ଡି) ୭ଟି ସହରରେ ୨୦ଟି ଦଳ ମୋଟ୍ ୫୫ଟି ମ୍ୟାଚ୍ ଖେଳିବେ । ଉଦ୍ଘାଟନୀ ଦିବସରେ ପାକିସ୍ତାନ ଓ ନେଦରଲାଣ୍ଡସ ପ୍ରଥମ ମ୍ୟାଚ୍ ଖେଳିବେ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ୨୨ ତାରିଖରୁ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବ । ମାର୍ଚ୍ଚ ୪ରେ ପ୍ରଥମ ସେମି ଏବଂ ୫ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ ।
ଆଇସିସି ଭାଷ୍ୟକାର ତାଲିକା
ଆଇସିସି ଭାଷ୍ୟକାର ତାଲିକାରେ ରବି ଶାସ୍ତ୍ରୀ, ଦିନେଶ କାର୍ତ୍ତିକ, ରବିନ ଉତ୍ଥପା, ସୁନୀଲ ଗାଭାସ୍କର, ହର୍ଷ ଭୋଗଲେ, ରୌନକ କପୁର, ନାସିର ହୁସେନ, ଇଆନ ସ୍ମିଥ୍, ଇଆନ ବିଶପ, ଆରୋନ ଫିଞ୍ଚ, କୁମାର ସାଙ୍ଗାକାରା, ସାମୁଏଲ ବଦ୍ରି, କାର୍ଲୋସ ବ୍ରାଥୱେଟ, ଇୟନ ମୋର୍ଗାନ, ୱାସିମ ଆକ୍ରମ, ମାଥ୍ୟୁ ହେଡେନ, ରମିଜ ରାଜା, ଡେଲ ଷ୍ଟେନ, ମାଇକେଲ ଆଥରଟନ, ୱାକର ୟୁନିସ, ସାଇମନ୍ ଡଲ, ସନ ପୋଲକ, କାର୍ଟି ମାର୍ଟିନ, ପୁମେଲେଲୋ ବଗୱା, ନାତାଲି ଜର୍ମାନୋସ, ଡାନି ମୋରିସନ, ଆଲାନ ୱିଲକିନସ, ଇଆନ ୱାର୍ଡ, ମାର୍କ ହାୱାର୍ଡ, ନିକ ନାଇଟ, ଆଥର ଅଲି ଖାନ, କାସ ନାଇଡୁ, ବାଜିଦ ଖାନ, ନିଲ ଓବ୍ରାଏନ, ପ୍ରେଷ୍ଟନ ମମସେନ, ଆଣ୍ଡ୍ର୍ୟୁ ଲେଓନାର୍ଡ, ରସେଲ ଆର୍ନଲ୍ଡ, ଆଞ୍ଜେଲୋ ମାଥ୍ୟୁସ ଓ ତେମ୍ବା ବଭୁମା ସାମିଲ ରହିଛନ୍ତି ।