ନୂଆଦିଲ୍ଲୀ, ୧୧/୩ : ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ପଛରେ ପଡ଼ିଲେ ଟିମ୍ ଇଣ୍ଡିଆର ମିଷ୍ଟ୍ରିଂ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ଟି-୨୦ କ୍ରିକେଟରେ ସେ ଏକ ନମ୍ବର ସ୍ଥାନରେ ରହିଥିଲେ ମାତ୍ର ଏବେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ଟି-୨୦ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଗୁଡ଼ିକରେ ଦମଦାର ପ୍ରଦର୍ଶନ ଦେଖାଇ ପାରିନଥିଲେ ବରୁଣ ଚକ୍ରବର୍ତ୍ତୀ । ଯେଉଁ କାରଣରୁ ଏବେ ସେ ଦୁଇ ନମ୍ବର ସ୍ଥାନକୁ ଖସିଛନ୍ତି । ଟି-୨୦ରେ ଏକ ନମ୍ବର ବୋଲର ହୋଇଛନ୍ତି ଆଫଗାନିସ୍ତାନର ରସିଦ୍ ଖାନ । ସେ ୭୫୩ ପଏଣ୍ଟ ସହ ୧ ନମ୍ବରକୁ ଉଠିଥିବାବେଳେ ବରୁଣ ଚକ୍ରବର୍ତ୍ତୀ ୭୪୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ବ୍ୟାଟିଂରେ ଯଦି ଦେଖିବା ତାହେଲେ ଫାଇନାଲରେ ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଶେକ ଶର୍ମା ଏବେ ଟି-୨୦ରେ ପୁଣିଥରେ ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ରହିଛନ୍ତି । ସେ ୮୭୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ତାଙ୍କ ପଛକୁ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ କିଶାନ କିଷନ । ସେ ୮୭୧ ପଏଣ୍ଟ ପାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟପ୍ ୧୦ ମଧ୍ୟରେ ରହିଛନ୍ତି କେବଳ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ । ଟି-୨୦ ବିଶ୍ବକପରେ ଚାମ୍ପିୟନ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆଇସିସିର ରାଙ୍କିଂରେ ନିଜର ସ୍ଥାନ ବଜାୟ ରଖିଛନ୍ତି ।

ତିଲକ ବର୍ମା ସପ୍ତମ ସ୍ଥାନରେ ରହିଥିବାବେଳେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ନବମ ସ୍ଥାନରେ ରହିଛନ୍ତି । ଏହାସହ ସଞ୍ଜୁ ସାମସନ ନିଜର ବଳିଷ୍ଠ ପ୍ରଦର୍ଶନ ପାଇଁ ଏକ ଲମ୍ବା ଲମ୍ଫ ମାରିଛନ୍ତି । ପୂର୍ବରୁ ସାମସନ ୬୫ ନମ୍ବର ସ୍ଥାନରେ ରହିଥିଲେ । ମାତ୍ର ଏବେ ୬୩୭ ପଏଣ୍ଟ ସହ ୨୨ ନମ୍ବର ସ୍ଥାନକୁ ଆସିଛନ୍ତି । ୪୩ ଜଣ ବ୍ରାଟ୍ସମ୍ୟାନଙ୍କୁ ସେ ପଛରେ ପକାଇ ଉପରକୁ ଉଠିଛନ୍ତି । ଯଦି ଆମେ ସାମସନଙ୍କ ସମ୍ପର୍କରେ କହିବା ତାହେଲେ ସେ ଟି-୨୦ ବିଶ୍ବକପର ପ୍ରାରମ୍ଭରୁ ଖେଳିବାର ସୁଯୋଗ ପାଇନଥିଲେ । ବିଶ୍ବକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପ୍ଲେଇଂ ୧୧ରେ ସୁଯୋଗ ମିଳିନଥିଲା । ଆଉ ଯେତେବେଳେ ଖେଳିବାକୁ ପାଇଲେ ସେ ଭାରତ ବିଜୟର ହିରୋ ପାଲଟିଗଲେ ।