ନୂଆଦିଲ୍ଲୀ: ପାକିସ୍ତାନର ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଟିମ୍ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପାକିସ୍ତାନର ମହିଳା କ୍ରିକେଟ ଟିମ୍ର ବିଶ୍ବକପ୍ରୁ ବିଦା ହୋଇଛି । ସବୁଠାରୁ ବଡ଼ କଥା ହେଉଛି, ଟିମ୍ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ । ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଆଇସିସି ମହିଳା ବିଶ୍ୱକପ୍ ୨୦୨୫ର ଲିଗ୍ ପର୍ଯ୍ୟାୟରୁ ପାକିସ୍ତାନୀ ଦଳ ଆଉଟ୍ ହୋଇଛି । ଫାତିମା ସାନାଙ୍କ ଅଧିନାୟକତ୍ୱରେ ଦଳ କେବଳ ଯେ ବିଶ୍ବକପ୍ରୁ ବାଦ୍ ପଡ଼ିଛି ତା ନୁହେଁ, ବରଂ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ । ଟିମ୍ର ବିଶ୍ବକପ ଯାତ୍ରା ଶେଷ ହୋଇଛି।
ଶ୍ରୀଲଙ୍କା ବିପକ୍ଷରେ ଏହାର ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇଛି । ସେମିଫାଇନାଲ ଦୌଡ଼ରୁ ପୂର୍ବରୁ ବାଦ ପଡ଼ିଥିବା ପାକିସ୍ତାନ ଶେଷ ମ୍ୟାଚ୍ରେ ବିଜୟୀ ହୋଇ ସମ୍ମାନ ରଖିବାକୁ ଆଶା ରଖିଥିଲା । କିନ୍ତୁ ଆଶା ଧୂଳିସାତ ହୋଇଯାଇଛି । ଶୁକ୍ରବାର କଲମ୍ବୋରେ ବର୍ଷା ଯୋଗୁଁ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍କୁ ମାତ୍ର ୪.୨ ଓଭର ପରେ ବାତିଲ କରିବାକୁ ପଡ଼ିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୮ ରନ୍ କରିଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ମ୍ୟାଚ୍ ଆରମ୍ଭ ହେବା ପରେ ବର୍ଷା ପାଇଁ ବାତିଲ ହୋଇଥିଲା ।
ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳିଥିଲା । ସେଥିମଧ୍ୟରୁ ୪ଟିରେ ପରାଜୟ ବରଣ କରିଥିବା ବେଳେ ୩ଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେଣୁ ଟିମକୁ ୩ ପଏଣ୍ଟ ମିଳିଥିଲା । ୩ ପଏଣ୍ଟ ସହିତ ନିଜର ବିଶ୍ବକପ ଯାତ୍ରା ଶେଷ କରିଛି ପାକିସ୍ତାନର ମହିଳା ଦଳ । ଅନ୍ୟପକ୍ଷରେ ଶ୍ରୀଲଙ୍କା ସାତଟି ମ୍ୟାଚରୁ ୫ ପଏଣ୍ଟ ପାଇଥିଲା। ଟିମ୍ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ତିନୋଟି ମ୍ୟାଚ୍ ବାତିଲ ଏବଂ ତିନୋଟି ମ୍ୟାଚ୍ ହାରିଥିଲା ।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନୀ ଦଳ ଭାରତ ଆସିବାକୁ ମନା କରିଦେଇଥିଲା। ତେଣୁ ପାକିସ୍ତାନ ଟିମ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ନିଜର ସମସ୍ତ ମ୍ୟାଚ୍ ଖେଳିଥିଲା। ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ରେ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା। ଏହାପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିଥିଲା । ପାକିସ୍ତାନ ନିଶ୍ଚିତ ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ବୋଲିଂ ଆରମ୍ଭ କରିଥିଲା, କିନ୍ତୁ ଏହା ସତ୍ତ୍ୱେ ଏକ ପରାଜୟର ସାମ୍ନା କରିଥିଲା ।
ଅଧିକାଂଶ ସମୟରେ ବର୍ଷା ଯୋଗୁଁ ଟୁର୍ଣ୍ଣାମେଣ୍ଟର ଅନେକ ମ୍ୟାଚ୍ ବାତିଲ ହୋଇହିଥିଲା । କିଛି ମ୍ୟାଚ୍ରେ ଓଭର ସଂଖ୍ୟା ହ୍ରାସ କରାଯାଇଥିଲା। ବର୍ଷା ଯୋଗୁଁ ପାକିସ୍ତାନର ତିନୋଟି ମ୍ୟାଚ୍ ରଦ୍ଦ ହୋଇଥିଲା । ଫଳରେ ବିଜୟୀ ହେବାର ସୁଯୋଗ ହାତରୁ ଚାଲିଯାଇଥିଲା । ସେପଟେ ଦେଖିବାକୁ ଗଲେ ବର୍ଷା ଯୋଗୁଁ ପାକିସ୍ତାନ ଟିମ୍କୁ ୩ ପଏଣ୍ଟ ମିଳିଥିଲା । ନଚେତ ଟିମ୍ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥାନ୍ତା । ଗୋଟିଏ ପଟେ ପାକିସ୍ତାନ ଟିମ୍ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିବା ବେଳେ ଭାରତୀୟ ମହିଳା ଟିମ୍ ବିଶ୍ବକପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି ।