ରାଉରକେଲା, ୧୧/୧୦ : ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ। ଜଣେ ସିଆରପିଏଫ୍ ଯବାନ ଶହୀଦ। ୨ ଅଧିକାରୀ ଗୁରୁତର। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ସୀମାଠାରେ ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଇଡି ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ସିଆରପିଏଫ୍ ଇନ୍ସପେକ୍ଟର କୌଶଳ ମିଶ୍ର, ଏଏସଆଇ ରାମଚନ୍ଦ୍ରମ ଗଗରାଇ ଓ କନେଷ୍ଟବଳ ମହେନ୍ଦ୍ର ଲସ୍କର ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କନେଷ୍ଟବଳ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁତର ଥିବା ଅଧିକାରୀଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସ ପଠାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଏଏସଆଇ ରାମଚନ୍ଦ୍ରଙ୍କ ଭାଇ ତଥା ଖରସୁଆଁ ବିଧାୟକ ଦଶରଥ ଗଗରାଇ ରାଉରକେଲାରେ ପହଞ୍ଚିଛନ୍ତି।