ଗୋଆ ୨୨/୧୧ (ମନୋରଞ୍ଜନ ମହାନ୍ତି): ନବପ୍ରତିଭାମାନଙ୍କ ସୃଜନଶୀଳତା ପ୍ରଦର୍ଶନ ଲାଗି ସବୁଠୁ ଆକର୍ଷଣୀୟ ମଞ୍ଚ ରୂପେ ଖ୍ୟାତି ଅର୍ଜନ କରିଥିବା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ (ଭବିଷ୍ୟତର ସୃଜନଶୀଳ ନିର୍ମାତା)-ସିଏମଓଟି ପ୍ରତିଯାଗିତା ଶୁକ୍ରବାରଠାରୁ ଗୋଆରେ ଆରମ୍ଭ ହୋଇଛି । ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ଅଂଶବିଶେଷ ସ୍ୱରୂପ ଆରମ୍ଭ ହୋଇଥିବା ଏହି ମଞ୍ଚରେ ଭାରତର ସବୁଠୁ ପ୍ରତିଭାସମ୍ପନ୍ନ ଏବଂ ଉଦୀୟମାନ ଯୁବ ଚଳଚ୍ଚିତ୍ର ନିର୍ମାତାମାନେ ଏକାଠି ହୋଇଛନ୍ତି । ଖାଲି ଏକାଠି ହାଇନାହାନ୍ତି ବରଂ ୪୮ ଘଣ୍ଟିଆ ସିନେମା ନିର୍ମାଣ ଆହ୍ୱାନକୁ ସ୍ୱୀକାର କରି ୪୮ ଘଣ୍ଟାରେ ସିନେମା ନିର୍ମାଣର କଳା, କୌଶଳକୁ ଆୟତ୍ତ କରି ଫିଲ୍ମ ସୁଟିଂ ମଧ୍ୟ କରିଛନ୍ତି ।
ଚଳିତ ବର୍ଷ ସାରା ଭାରତରୁ ୧୩ଟି ଚଳଚ୍ଚିତ୍ର ନିର୍ମାଣ କଳାରେ ୧୨୫ରୁ ଅଧିକ ଯୁବ ଉଦୀୟମାନ ପ୍ରତିଭା ସିଏମଓଟିର ପଞ୍ଚମ ସଂସ୍କରଣରେ ଭାଗ ନେଇଛନ୍ତି । ଏହା କେବଳ ଏକ ସାଧାରଣ ମହୋତ୍ସବ କାର୍ଯ୍ୟକ୍ରମ ନୁହେଁ, ବରଂ ଏହି ପ୍ରତିଯୋଗିତାରେ ଭବିଷ୍ୟତର ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ କଥାକାରମାନେ ସେମାନଙ୍କର ବ୍ଲକବଷ୍ଟର କାହାଣୀକୁ ଉପସ୍ଥାପନ କରିବେ ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ. ମୁରୁଗନ ଏହି ପ୍ରତିଯାଗିତାକୁ ଉଦଘାଟନ କରି ଅଂଶଗ୍ରହଣକାରୀଙ୍କ ଉତ୍ସାହ ଏବଂ ସୃଜନଶୀଳତାକୁ ପ୍ରଶଂସା କରିଛନ୍ତି । ୨୦୨୧ ମସିହାଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଏହି ମଞ୍ଚ ଭାରତର ଉଦୀୟମାନ ସ୍ରଷ୍ଟାଙ୍କୁ ବିଶ୍ୱ ସିନେମା ନିର୍ମାଣର ସୃଜନଶୀଳ ଦିଗ ସହ ଯୋଡ଼ିପାରିଛି । ଏହା କେବଳ ଚଳଚ୍ଚିତ୍ର ନିର୍ମାଣ ଉପରେ ଆଧାରିତ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ରୂପ ଦେଉଛି । ଏହି ଅବସରରେ ଡ. ମୁରୁଗନ ଅଂଶଗ୍ରହଣକାରୀଙ୍କୁ ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆହ୍ୱାନ ସହ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇସିଟି) ମୁମ୍ବାଇ ବିଷୟରେ ସୂଚନା ଦେଇଥିଲେ । ଏହି ପ୍ରତିଯୋଗିତାରେ ମନାନୀତ ଯୁବପ୍ରତିଭାମାନଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଯାଜୁ ଅଭିନନ୍ଦନ କରି ଜଣେ ସିଏମଓଟି ପ୍ରତିଯୋଗୀ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ଉଲ୍ଲେଖ କରିଥିଲେ ।
ସର୍ଟସ୍ ଇଣ୍ଟରନାସନାଲର ପ୍ରତିଷ୍ଠାତା ଏବଂ ସିଇଓ କାର୍ଟର ପିଲଚର ଚଳିତ ବର୍ଷର ସିଏମଓଟିକୁ ବର୍ତ୍ତମାନ ସୁଦ୍ଧା ସବୁଠାରୁ ରୋମାଞ୍ଚକର ସଂସ୍କରଣ ମଧ୍ୟରୁ ଗୋଟିଏ ଭାବେ ବର୍ଣ୍ଣନା କରିଥିଲେ । ପିଲଚର୍ କହିଥିଲେ, ପୂର୍ବ ସଂସ୍କରଣର ଅଂଶଗ୍ରହଣକାରୀମାନେ କାନ୍ସ ସମେତ ବିଶ୍ୱବ୍ୟାପୀ ପ୍ରମୁଖ ମହୋତ୍ସବରେ ସେମାନଙ୍କର କାହାଣୀ ପ୍ରଦର୍ଶନ କରୁଛନ୍ତି ଏବଂ ଓସ୍କାର ମନୋନୀତ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି । ନିର୍ମାତାମାନଙ୍କୁ ଏହି ସୁଯୋଗକୁ ଶିଖିବା, ସହଯୋଗ କରିବା ଏବଂ ସୃଜନଶୀଳତାକୁ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ଛୋଟ କାହାଣୀ କେମିତି ବିଶ୍ୱ ମନୋରଞ୍ଜନର ମାଧ୍ୟମ ପାଲଟିଛି, ତା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଉଦଘାଟନୀ ଉତ୍ସବରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଚଳଚ୍ଚିତ୍ର) ଡ. ଅଜୟ ନାଗଭୂଷଣ ଏବଂ ଏନଏଫଡିସି ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ମଗଦମ୍ ମଧ୍ୟ ଉପସ୍ଥିତ ଥିଲେ ।
ଏଥି ସହିତ ଆମରନ ଅନେକ ଭାଷାର ସିନେମା ପ୍ରଦର୍ଶନୀ ସାଙ୍ଗକୁ କଳାକାରଙ୍କ ଫିଲ୍ମ ସମ୍ପର୍କରେ ଗଣମାଧ୍ୟମ ସହ ଆଳାପ, ଗୋଆ କଳାଭୂମିଠାରେ ସିଏମଓଟି ପ୍ରତିଯୋଗିତା ସହ ମାଷ୍ଟର କ୍ଲାସ, ଫିଲ୍ମ ବଜାରରେ ବିଭିନ୍ନ ଏମଓୟୁ କାର୍ଯ୍ୟକ୍ରମ, ବିଶିଷ୍ଟ ଅଭିନେତା କମଲ ହସନ, ଅନୁପମ ଖେର, ଜ୍ୟାକି ଶ୍ରଫ, ସାଇ ପଲ୍ଲବୀ, ଶିବକାର୍ତ୍ତିକେୟନଙ୍କ ଠାରୁ ନେଇ ଭାରତୀୟ ସିନେମାର ବହୁତ ବଡ଼ ବଡ଼ ଷ୍ଟାର ରେଡ କାର୍ପେଟରେ ଚାଲିଥିଲେ । ସନ୍ଧ୍ୟାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଓଶା ଜୈନଙ୍କ ହୃଦୟ ଛୁଆଁ ସଂଗୀତ ପରିବେଷଣ ସମସ୍ତଙ୍କୁ ଛୁଇଁଯାଇଥିଲା ।