କଟକ,୦୭/୦୬: କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଏଥିରେ ଆଇଆଇସି ମ୍ୟାଡାମଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ଉଲ୍ଲେଖ ରହିଛି । ଶୁକ୍ରବାର ବିଳମ୍ବିତ ରାତିରେ ଆଇଆଇସି ନିଜ ଥାନା ଭିତରେ ଥିବା ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିଲେ । ବିୟୁଟି ମହାନ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଏହାର ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି ।
ଆର୍ଥିକ କାରବାର ଉପରେ ପୁଲିସ ଅଧିକ ଫୋକସ୍ କରୁଛି । କଟକ ପୁଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ କେହି ତାଙ୍କଠାରୁ ଅର୍ଥ ନେଇ ଫେରାଉ ନଥିବା ବା ଠକିଥିବା ବିଷୟ ଏକ କାରଣ ହୋଇପାରେ । ଲାବୋରେଟୋରୀକୁ ପଠାଯାଇଥିବା ତାଙ୍କ ଫୋନ୍ର ଏସ୍ଏଫ୍ଏଲ୍ ରିପୋର୍ଟକୁ ପୁଲିସ ଟିମ୍ ଅପେକ୍ଷା କରିଛି । ଏହି କ୍ରମରେ ବିୟୁଟିଙ୍କ ସିଡିଆର୍ ଶେଷ କଲ୍ ସ୍ୱାମୀ ସମୀରଙ୍କର ଥିଲା ବୋଲି ଜଣାପଡ଼ିଛି । ଯାହା ପୂର୍ବରୁ ବିୟୁଟିଙ୍କ ସ୍ୱାମୀ ନିଜେ କହିଥିଲେ ।
ସୋମବାର ତଦନ୍ତକାରୀ ଟିମ୍ ବିୟୁଟିଙ୍କ ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଛି । ଥାନାର କର୍ମଚାରୀ, କଟକ ପୁଲିସରେ କାର୍ଯ୍ୟରତ ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ବିୟୁଟିଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ଜଣେ ଏଡିସିପି, ଜଣେ ଏସିପି ଓ ଦୁଇ ଜଣ ବରିଷ୍ଠ ଇନ୍ସପେକ୍ଟର ତଦନ୍ତ କରୁଥିବା ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ସେ ନିଜେ ତଦାରଖ କରୁଥିବା ଡିସିପି କହିଛନ୍ତି । ତେବେ ବିୟୁଟିଙ୍କ ଦୁଇଟି ଫୋନ୍ରୁ ତଥ୍ୟ ବାହାର କରିବାକୁ ପୁଲିସ ଜୋରଦାର ଉଦ୍ୟମ କରୁଛି ।
ସୋମବାର ଏକ ଟିମ୍ ଭୁବନେଶ୍ୱର ଏସ୍ଏଫ୍ଏଲ୍ ଯାଇ ଫୋନ୍ର ତଥ୍ୟ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ବିୟୁଟିଙ୍କ ଗୋଟିଏ ‘ଆଇଫୋନ୍’ର ଲକ୍ ଖୋଲିବାରେ ସାମାନ୍ୟ ସମସ୍ୟା ହେଉଥିବା ତଦନ୍ତକାରୀ ଟିମ୍ କହିଛି। ସ୍ୱାମୀଙ୍କ ସହ ଶେଷ କଲ୍ରେ ବିୟୁଟି କ’ଣ କଥା ହୋଇଥିଲେ ତାହା କଲ୍ ରେକର୍ଡିଂରେ ଥିବା ଅନୁମାନ । ଯଦି ରେକର୍ଡିଂ ମିଳେ ତାହେଲେ କିଛି ଦିଗ ମିଳିପାରେ । ତଦନ୍ତକାରୀ ଟିମ୍ ବିୟୁଟିଙ୍କ ଆର୍ଥିକ କାରବାର, ଦେଣନେଣ ବିଷୟ ବି ଖୋଳତାଡ଼ କରୁଛି । ତାଙ୍କର କିଛି ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟ ଯାଞ୍ଚ୍ ହେଉଛି । ପୁଲିସ ସନ୍ଦେହ କରୁଛି ଯେ, ବିୟୁଟିଙ୍କଠାରୁ କେହି ଟଙ୍କା ନେଇଥିଲା, କିନ୍ତୁ ଫେରାଉ ନଥିଲା । ବା କିଛି ଗୋଟେ କାମ କେହି ଅଧିକ ଟଙ୍କା ଦାବି କରୁଥିଲା । ଏସବୁ ଦିଗର ତଦନ୍ତ ଜାରି ରହିଛି ।