ଧାନବାଦ : ଆଇଆଇଟି ( ଆଇଏସଏମ୍) ଧାନବାଦର ଜଣେ ପ୍ରଫେସର ଅପୂର୍ବ ସଫଳତା ହାସଲ କରିଛନ୍ତି। ଇକୋପଲ୍ସ ନାମକ ଏହି ଉପକରଣକୁ କମ୍ପ୍ୟୁଟର ବିଜ୍ଞାନ ଓ ଇଞ୍ଜିନିୟରିଂ ବିଭାଗର ଏସିଏସ ରାଓ ତିଆରି କରିଛନ୍ତି। ସେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଭର୍ଚୁଆଲ୍ ରିଆଲିଟି (VR) ଆଧାରିତ ଏକ ନୂତନ ଉପକରଣ ବିକଶିତ କରିଛନ୍ତି। ଏହି ଉପକରଣ ଦ୍ୱାରା ଡାକ୍ତରମାନେ ହାର୍ଟକୁ ଖୁବ୍ ଶୀଘ୍ର ଓ ସଠିକ୍ ଭାବେ ପରୀକ୍ଷା କରିବା ସହ  ଏବଂ ହୃଦଘାତ ବା ହାର୍ଟ ଆଟାକ୍ ହେବାର ପୂର୍ବାନୁମାନ ବହୁ ପୂର୍ବରୁ କରି ପାରିବେ।

ଏହି ଉପକରଣ ରୋଗୀର ଶରୀରରେ ଥିବା ସୂକ୍ଷ୍ମ ପରିବର୍ତ୍ତନ ଏବଂ ରକ୍ତରେ ଥିବା କାର୍ଡିଆକ୍ ବାୟୋମାର୍କର୍ସକୁ (Biomarkers) ମାତ୍ର କିଛି ମିନିଟ୍ ମଧ୍ୟରେ ବିଶ୍ଳେଷଣ କରିପାରିବ। VR ଭର୍ଚୁଆଲ୍ ରିଆଲିଟି ମାଧ୍ୟମରେ ଡାକ୍ତରମାନେ ହୃଦୟର ଏକ 3D ପ୍ରତିଛବି ଦେଖିପାରିବେ, ଯାହା ରକ୍ତ ସଞ୍ଚାଳନରେ ଥିବା ବାଧା କିମ୍ବା ଧମନୀର ସମସ୍ୟାକୁ ସ୍ପଷ୍ଟ ଭାବେ ଦର୍ଶାଇବ।

ବିବୃତ୍ତିରେ ଏହି ଉପକରଣର ବିଶେଷତ୍ୱ ବିଷୟରେ କୁହାଯାଇଛି ଯେ, ଏହି ଟେକ୍ନୋଲଜି ସମୟକୁ ସେଭ୍ କରିବ ଏବଂ ସାଧାରଣତଃ ପୂର୍ବ-ଲେବଲ କରାଯାଇ ଥିବା ମେଡିକାଲ ଡାଟାର ଆବଶ୍ୟକତାକୁ ହ୍ରାସ କରିପାରେ। ସାଧାରଣତଃ ହସ୍ପିଟାଲରେ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ଟେକ୍ନୋଲଜି ମାତ୍ର କିଛି ମିନିଟ୍ ମଧ୍ୟରେ ଫଳାଫଳ ଦେଇ ପାରିବ। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ରୋଗୀକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହଜ ହେବ, ଯାହା ମୃତ୍ୟୁ ହାର କମାଇବାରେ ସହାୟକ ହେବ।

ଏସିଏସ ରାଓଙ୍କ କହିବାନୁସାରେ , ଏହି ସିଷ୍ଟମ ହାର୍ଟ ସ୍କାନ ଡାଟାର ସିଧା ବିଶ୍ଳେଷଣ କରିପାରିବ ଏବଂ ହାର୍ଟ ସମ୍ୱନ୍ଧୀୟ ଗୁରୁତ୍ତ୍ୱପୂର୍ଣ୍ଣ ସଙ୍କେତକୁ ସ୍ୱଚାଳିତ ଭାବେ ଜାଣିପାରିବ। ସେ କହିଛନ୍ତି ଏହି ଉପକରଣ ବ୍ୟାଖ୍ୟାତ୍ମକ ଏଆଇର ମଧ୍ୟ ଉପଯୋଗ କରିଥାଏ।

ପିଟିଆଇ ନ୍ୟୁଜ୍ ଅନୁସାରେ ,ଏହି ପ୍ରୋଜେକ୍ଟଟି ଅନୁସନ୍ଧାନ ରିସର୍ଚ୍ଚ ଫାଉଣ୍ଡେସନ (ଏଏନଆରଏଫ)ରୁ ୪୭ ଲକ୍ଷ ଟଙ୍କାର ଏକ ରିସର୍ଚ୍ଚ ଗ୍ରାଣ୍ଟ ପାଇଛି।

ସୂଚନାଯୋଗ୍ୟ ଯେ, ଭାରତରେ ହୃଦରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ IIT ଧାନବାଦର ଏହି ଆଧୁନିକ ଉପକରଣ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।