ଭୁବନେଶ୍ୱର,୦୨/୦୬(ଦିଲ୍ଲୀପ ରାଉତ): ଶହେ କି ଦୁଇ ଶହ  ଗ୍ରାମ୍‌ ନୁହେଁ, ଗୋଟିଏ ଦିନରେ ଦ୍ୱୈତନଗରୀରେ ୩  କେଜିରୁ ଅଧିକ ବ୍ରାଉନ୍‌ସୁଗର୍‌ ବିକ୍ରି ହେଉଛି । କଲେଜ ପଢ଼ୁଆଙ୍କ ସଉକ ପାଇଁ ଆସିଥିବା ଏହି ଧଳାଜହର  ଏବେ ସବୁ ବର୍ଗକୁ ଗ୍ରାସିଗଲାଣି । ବସ୍ତିରୁ ବସ୍ତିକୁ  ମାଡ଼ିଗଲାଣି । ହେଲେ ପୁଲିସ ମାସକୁ ମାତ୍ର ଶହେ କି  ଦୁଇ ଶହ ଗ୍ରାମ ବ୍ରାଉନ୍‌ସୁଗର୍‌ ଜବତ କରିପାରୁଛି । କାଁ ଭାଁ ଖୁଚୁରା ବେପାରୀଙ୍କୁ ବାନ୍ଧୁଛି । ମାଫିଆ କି ବଡ଼ ବେପାରୀଙ୍କୁ ଧରିପାରୁନି ।  

କିଛି ବର୍ଷ ତଳେ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଥିବା ସେକ୍‌ ରାଜା ରିମାଣ୍ଡ୍‌ ବେଳେ ସୂଚନା ଦେଇଥିଲା ଯେ, ସେ ବାଲେଶ୍ୱରର ଜଳେଶ୍ୱରରୁ ଭୁବନେଶ୍ୱରକୁ ବିଭିନ୍ନ  ରୁଟ୍‌ରେ ଗୋଟିଏ ମାସରେ ପ୍ରାୟ ୧୫/୨୦ କେଜି  ବ୍ରାଉନ୍‌ସୁଗର୍‌ ଚାଲାଣ କରୁଥିଲା । ଗତ ଏପ୍ରିଲ୍‌ ୧୧ରେ କୁଖ୍ୟାତ ବ୍ରାଉନ୍‌ସୁଗର୍‌ ବେପାରୀ ସେକ୍‌ ଜାମସେଦ୍‌କୁ  ଏନ୍‌କାଉଣ୍ଟର୍‌ କରିଥିଲା ଭୁବନେଶ୍ୱର ପୁଲିସ୍‌ । ସେ  ପୁଲିସ୍‌ ନିକଟରେ ମାନିଥିଲା ଯେ ସେ ମାସକୁ ୨୦  କେଜିରୁ ଅଧିକ ବ୍ରାଉନ୍‌ସୁଗର୍‌ ଆଣି ଭୁବନେଶ୍ୱରରେ  ଖୁଚୁରା ବେପାରୀଙ୍କୁ ଯୋଗାଏ । ତାର ଅନ୍ୟ ୪ ଜଣ  ସହଯୋଗୀ ମଧ୍ୟ ପ୍ରତି ମାସରେ ୧୦ରୁ ୧୨ କେଜି  ବ୍ରାଉନ୍‌ସୁଗର୍‌ ଭୁବନେଶ୍ୱରକୁ ଆଣୁଥିଲେ । ଜଣେ  ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ରାଜା ଓ ଜାମସେଦ୍‌ ଭଳି ୫ରୁ ୬ଜଣ ମାଫିଆଙ୍କ ସିଣ୍ଡିକେଟ୍‌  ଏବେ ରାଜଧାନୀରେ ସକ୍ରିୟ ଅଛି । ଯେଉଁ ପରିମାଣ  ବ୍ରାଉନ୍‌ସୁଗର ଭୁବନେଶ୍ୱର ଓ କଟକକୁ ଆସୁଛି, ତାର  ଅନୁମାନ କରିବା କଷ୍ଟକର । ତେବେ ଉପରୋକ୍ତ  ତଥ୍ୟକୁ ତର୍ଜମା କଲେ, କଟକ-ଭୁବନେଶ୍ୱରର ନିଶାଡି଼  ଦିନକରେ ୩/୪ କେଜି ଧଳାଜହର ଗିଳିଦେଉଥିବେ ।  ନିଶା ବେପାରୀମାନେ ଗରାଖଙ୍କ ଡିମାଣ୍ଡ୍‌ ଅନୁସାରେ  ଏହାକୁ ଯୋଗାଇ ପାରୁନାହାନ୍ତି । ପୁଲିସ ରେକର୍ଡ  କହୁଛି, ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମାତ୍ର  ୮୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଓ କୋଟିଏ ଟଙ୍କାର  ଗଞ୍ଜେଇ ଜବତ କରାଯାଇଛି । ଏଥିସହ ବେଆଇନ୍‌  ନିଶା କାରବାର ଅଭିଯୋଗରେ ୭୮ ଜଣ ନିଶା  ବେପାରୀଙ୍କୁ ଗିରଫ କରାଯାଇଛି ।  

କେଉଁ ରୁଟ୍‌ରେ ଚାଲାଣ ହେଉଛି ଧଳାଜହର

ମିଆଁମାରରୁ ବ୍ରାଉନ୍‌ସୁଗର୍‌ ବାଂଲାଦେଶରେ ପହଞ୍ଚୁଛି ।  ସେଠାରୁ ବାଲାଂଦେଶ ସୀମା ଦେଇ ପଶ୍ଚିମବଙ୍ଗର  ଲାଲଗୋଲ୍ଲା ସହରରେ ବ୍ରାଉନ୍‌ସୁଗର ପହଞ୍ଚୁଛି ।  ବାଲେଶ୍ୱର ଜିଲ୍ଳାର ଜଳେଶ୍ୱର ସହର ହେଉଛି  ମାଫିଆଙ୍କ ଆଡ୍ଡାସ୍ଥଳୀ । ସେଠାରୁ କାର, ବସ୍‌, ଟ୍ରକ  ମାଧ୍ୟମରେ ପ୍ରଥମେ ଖୋର୍ଦ୍ଧା, ଜଟଣୀ, ପିପିଲିକୁ  ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗର୍‌ ପଠାଯାଉଛି । ମାଫିଆ  ଖୋର୍ଦ୍ଧା ଓ ପୁରୀର ବିଭିନ୍ନ ସ୍ଥାନରେ ବ୍ରାଉନ୍‌ସୁଗର୍‌କୁ  ଗଚ୍ଛିତ ରଖୁଛନ୍ତି । ସେଠାରୁ ଖୁଚୁରା ବେପାରୀମାନେ  ଆଣି ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି କରୁଛନ୍ତି ।  

ବର୍ଷକୁ ଭୁବନେଶ୍ୱରରୁ ଜବତ ହେଉଛି ୧୫ କେଜି 

୧୯୮୫ ମସିହା ପୂର୍ବରୁ ଭୁବନେଶ୍ୱରରେ  ବ୍ରାଉନ୍‌ସୁଗର୍‌ ବେପାର ନ ଥିଲା । ୧୯୮୬ରେ  ଜଣେ କିମ୍ବା ଦୁଇ ଜଣ ବେପାରୀ କାରବାର କଲେ । ୨୦୦୦ ମସିହା ପରଠାରୁ ନିଶା ବେପାରୀ  ଓ ନିଶାଡ଼ିଙ୍କ ସଂଖ୍ୟା ବଢ଼ିଲା । ହେଲେ ପୁଲିସ୍‌  ହାତରେ କେହି ଧରାପଡ଼ିନଥିଲେ । କମିଶନରେଟ୍‌  ପୁଲିସ୍‌ ୨୦୧୨ ଓ ୨୦୧୪ରେ ବ୍ରାଉନ୍‌ସୁଗର୍‌ ଜବତ  କରିନାହିଁ କି କାହାକୁ ଗିରଫ କରିନାହିଁ । ୨୦୧୫ରେ କମିଶନରେଟ୍‌ ପୁଲିସ୍‌ କଟକ ଓ ଭୁବନେଶ୍ୱରରୁ  ୮. ୭୧୦ ଗ୍ରାମ୍‌, ୨୦୧୬ରେ ୬୮୬.୫୫ ଗ୍ରାମ୍‌,  ୨୦୧୭ରେ ୩୫୮.୦୨ ଗ୍ରାମ୍‌, ୨୦୧୮ରେ ୭୦୦  ଗ୍ରାମ୍‌ ଓ ୨୦୧୯ରେ ୧ କେଜି ୨ ଶହ ଗ୍ରାମ୍‌ରୁ ଅଧିକ  ଧଳାଜହର ଜବତ କରିଛି । ୨୦୨୦-୨୨ କରୋନା କାଳରେ ବ୍ରାଉନସୁଗର୍‌ ଜବତ ପରିମାଣ ଖସିଥିଲା ।  ଏବେ ବର୍ଷକୁ ଭୁବନେଶ୍ୱରରୁ ୧୦/୧୫ କେଜି ଜବତ  ହେଉଛି । ମାତ୍ର ମାଫିଆଙ୍କ ବିରୋଧରେ ଯେଉଁଭଳି  କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହେଉନି ।