ପାଟଣାଗଡ଼,୨୦/୭ : ପାଟଣାଗଡ଼ରୁ ବଲାଙ୍ଗିରକୁ ଯାଇଥିବା ମୁଖ୍ୟ ରାସ୍ତା ତଥା ୪୨ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରେ ପୁଲିସ ଉପସ୍ଥିତିରେ ଖୋଲାଖୋଲି ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ପୁଲିସ ଜାଣି ଶୁଣି ସବୁ ଦେଖି ନୀରବ ଦ୍ରଷ୍ଟା ସାଜିଥିବାବେଳେ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରୁଥିବା ନଜିର ରହିଛି । ଉଭୟେ ଚୁପ ରହିବା ପଛରେ ମୋଟା ଅଙ୍କର କାରବାର ଚାଲିଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ପାଟଣାଗଡ଼ ଥାନାଠାରୁ ୩ କିମି ଦୂର ରାମପୁର ପେଟ୍ରୋଲ ପମ୍ପ ନିକଟସ୍ଥ ବିହାରୀ ଢ଼ାବାରେ ଚାଲିଛି ବେଆଇନ ମଦ କାରବାର। ଏହି ଢାବାକୁ ରାତିରେ ପାଟ୍ରୋଲିଂ ପାଇଁ ଯାଉଥିବା ପୁଲିସ ଗାଡି ମଧ୍ୟ ଯାଉଛି ସତ, କିନ୍ତୁ ସବୁ ଜାଣୁଥିଲେ ମଧ୍ୟ ମୁହଁ ମୋଡି ଫେରିଆସୁଛି । ବେଳେବେଳେ କେତେକ ନିର୍ଦ୍ଦିଷ୍ଟ ପୁଲିସ କର୍ମଚାରୀ ମଧ୍ୟ ଏହି ଢାବାରେ ମଦ୍ୟପାନ କରି ଫେରୁଥିବା ଦେଖିବାକୁ ମିଳୁଛି । ଏହି ଢାବାର ପଛପଟେ ଲୋକଙ୍କ ପାଇଁ ବସିବା ସହ ମଦ୍ୟ ପାନ ପାଇଁ ସ୍ୱତନ୍ତ୍ର କୋଠରୀମାନ ତିଆରି କରାଯାଇଛି । କୋଠରୀ ସମ୍ମୁଖରେ ଏକ ପରଦା ମଧ୍ୟ ଦିଆଯାଇଛି ଯେଭଳି ବାହାର ଲୋକଙ୍କୁ ଦେଖାଯିବ ନାହିଁ । ଲୋକଙ୍କ ଇଛା ଅନୁସାରେ ଭେରାଇଟି ମଦ ମହଜୁଦ ଅଛି । ଅର୍ଡର ମାତ୍ରକେ ସଙ୍ଗେସଙ୍ଗେ ଚାଖଣା ସାଙ୍ଗକୁ ମଦ ପହଞ୍ଚାଇ ଦିଆଯାଉଛି। ଏପରିକି ସରକାରୀ ମୂଲ୍ୟ ଠାରୁ ଢେର ଅଧିକ ଦରରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରାଯାଉଛି । ଫଳରେ ଲୋକେ ଶୋଷିତ ହେବା ସହ ମୁଖ୍ୟ ରାସ୍ତା ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି । ଅନ୍ୟପଟେ ଏହି ଢାବାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ଏଠାରେ ମଦ୍ୟପାନ କରି ବିଳମ୍ବିତ ରାତ୍ରିରେ ଚୋରି, ଡକାୟତି ଭଳି ଘଟଣାମାନ ଘଟୁଥିବା ଅଭିଯୋଗ ହେଉଛି।
ତେବେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ଢ଼ାବା ଖୋଲୁଥିଲେ ମଧ୍ୟ ସେହି ରାସ୍ତା ଦେଇ ପାଟ୍ରୋଲିଂ ପାଇଁ ଯାଉଥିବା ପୁଲିସ ମଧ୍ୟ ନିରବଦ୍ରଷ୍ଟା ସାଜିଛି। ଶନିବାର ରାତ୍ରି ୧୦ଟା ସମୟରେ ଏହି ଢ଼ାବା ସମ୍ମୁଖରେ ପୁଲିସ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଖୋଲାଖୋଲି ବେଆଇନ ମଦ ବିକ୍ରି ବିରୋଧରେ ପୁଲିସ କାହିଁକି ଚୁପ ରହିଛି ତାହା ଏବେ ଲୋକଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ସାଜିଛି ? ଏ ବିଷୟରେ ପାଟଣାଗଡ଼ ଉପ ଅବକାରୀ ଅଧିକାରୀ ରାଜ କୁମାର ବେହେରାଙ୍କୁ ପଚାରିବାରୁ, ଉକ୍ତ ଢାବାରେ ଦୁଇ ଥର ଚଢ଼ଉ କରାଯାଇ ବେଆଇନ ମଦ ଜବତ ସହ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ଯଦି ସେଭଳି ଚାଲିଛି ପୁଣି ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଲୋକଙ୍କ ହିତ ଦୃଷ୍ଟିରୁ ଏ ସମ୍ପର୍କରେ ଏସପି ଅଭିଳାଷ ଜୀଙ୍କ ପ୍ରତିକ୍ରିୟା ନେବାରୁ ସଂପୃକ୍ତ ଢାବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।