ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପାଇଁ ୨୧ ବର୍ଷୀୟ ଭାରତୀୟ ଯୁବକ ଜସନପ୍ରୀତ ସିଂହଙ୍କୁ ଦାୟୀ କରାଯାଇଛି, ଯିଏକି ଅବୈଧ ଭାବରେ ଆମେରିକାରେ ରହୁଥିଲେ । ପୋଲିସର କହିବା ଅନୁଯାୟୀ, ସେ ମଦ୍ୟପାନ କରି ଟ୍ରକ୍ ଚଳାଉଥିଲେ । ଆଉ ଏଥିପାଇଁ ଏହି ଦୁର୍ଘଟଣା ଘଟିଛି। ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
ଏହି ଦୁର୍ଘଟଣା ସାନ ବର୍ନାର୍ଡିନୋ କାଉଣ୍ଟି ଫ୍ରିୱେରେ ହୋଇଛି, ଯେଉଁଠି ଜସନପ୍ରୀତ ସିଂହଙ୍କ ସେମି-ଟ୍ରକ୍ ଅନ୍ୟ ଏକ ଗାଡି ସହ ଧକ୍କା ହୋଇଛି । ଟ୍ରକର ଡ୍ୟାସକ୍ୟାମ୍ ଦୁର୍ଘଟଣାକୁ କଏଦ କରିଥିଲା, ଯେଉଁଥିରେ ଟ୍ରକ୍ ଏକ SUV ସହିତ ଧକ୍କା ହେଉଥିବା ଦେଖିବାକୁ ମିଳୁଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।
ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ଜସନପ୍ରୀତ ସଠିକ୍ ସମୟରେ ବ୍ରେକ୍ କରିପାରି ନଥିଲେ ଏବଂ ନିଶା ସେବନ କରି ଗାଡ଼ି ଚଲାଉଥିଲେ। କାଲିଫର୍ନିଆ ହାଇୱେ ପାଟ୍ରୋଲ୍ ଅଧିକାରୀ ରୋଡ୍ରିଗୋ ଜିମେନେଜ୍ କହିଛନ୍ତି, "ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଏବଂ ଏକ ଡାକ୍ତରୀ ପରୀକ୍ଷାରୁ ସେ ନିଶାଗ୍ରସ୍ତ ଥିଲେ ବୋଲି ନିଶ୍ଚିତ ହୋଇଛି।"
ଆମେରିକା ଗୃହ ସୁରକ୍ଷା ବିଭାଗ (DHS) ନିଶ୍ଚିତ କରିଛି ଯେ ଜସନପ୍ରୀତ ସିଂହଙ୍କର ଆମେରିକାରେ ବୈଧ ପ୍ରବାସ ସ୍ଥିତି ନାହିଁ। ସେ ୨୦୨୨ ମସିହାରେ ଦକ୍ଷିଣ ସୀମା ଦେଇ ଆମେରିକାରେ ପ୍ରବେଶ କରିଥିବା ସୂଚନା ମିଳିଛି ।
ଏହି ଘଟଣା ପ୍ରଥମ ନୁହେଁ। ଅଗଷ୍ଟ ୨୦୨୪ ରେ, ହରଜିନ୍ଦର ସିଂହ ନାମକ ଆଉ ଜଣେ ଭାରତୀୟ ପ୍ରବାସୀ ଫ୍ଲୋରିଡାର ଫୋର୍ଟ ପିଅର୍ସରେ ଏକ ଟ୍ରକ ଦୁର୍ଘଟଣା ଘଟାଇଥିଲେ, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୧୮ ରେ ମଧ୍ୟ ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିଲେ ଏବଂ ପରେ ଏକ ବାଣିଜ୍ୟିକ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ।