କବିସୂର୍ଯ୍ୟନଗର,୧୯/୦୪: କବିସୂର୍ଯ୍ୟନଗର ବ୍ଲକ୍ ମହାଛାଇ ନିକଟରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ମିଳିତ ଚଢ଼ଉ କରି ୧୩ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ମହାଛାଇ ବାଲିଘାଟରେ ପୂର୍ବରୁ ପ୍ରଶାସନ ତରଫରୁ ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ୧୬୩ ଧାରା ଜାରି କରାଯାଇଥିଲା । ହେଲେ ମାଫିଆମାନେ ଏହାକୁ ଉଲ୍ଲଂଘନ କରି ବାଲିଚାଲାଣ ଜାରି ରଖିଥିଲେ । ଏହି ସୂଚନା ପାଇ ଖଣି ବିଭାଗ, ପୁଲିସ ଓ ତହସିଲ ପ୍ରଶାସନ ମିଳିତ ଭାବେ ଚଢ଼ଉ କରିଥିଲେ । ବାଲି ବୋଝେଇ ହୋଇ ରହିଥିବା ୧୩ ଟ୍ରାକ୍ଟର୍ ଜବତ କରାଯାଇଥିଲା । ତେବେ ଚାଳକମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ଅଣାଯିବା ସହ ଅଧିକ ତଦନ୍ତ କରାଯାଉଥିବା ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ନିତେଶ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ କବିସୂର୍ଯ୍ୟନଗର ଥାନା ଅଧିନ ମହାଛାଇ ଗ୍ରାମ ପାଖ ଋଷୁକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ପ୍ରଶାସନ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ନଦୀ ମଧ୍ୟରେ ୧୩ରୁ ଅଧିକ ଟ୍ରାକ୍ଟରରେ ବାଲି ଲଦା ଚାଲିଥିବା ଦେଖି ଅଫିସର ଚଢ଼ାଉ କରିଥିଲେ l ପ୍ରଶାସନର ଚଢାଉ ବେଳେ ଖବରପାଇ ମାଫିଆମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ଛାଡ଼ି ଯାଇଥିବା ଟ୍ରାକ୍ଟର ଗୁଡିକୁ ଜବତ କରାଯାଇଛି l ଏନେଇ ପୁରୁଷୋତ୍ତମପୁର ମାଇନିଂ ଅଧିକାରୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କ ସମେତ ପୁରୁଷୋତ୍ତମପୁର ତହସିଲଦାର,ମାଇନିଙ୍ଗ ଅଧିକାରୀ ଏବଂ କବିସୂର୍ଯ୍ୟନଗର ମାଇନିଙ୍ଗ ଅଧିକାରୀ ସାମିଲ ଥିବା ଜଣାପଡିଛି।

ତେବେ ଗତ ମାସରେ ବାଲିଘାଟରୁ ବେଆଇନ ବାଲି ଚାଲାଣ ବନ୍ଦ କରିବା ଲାଗି ଘାଟରେ ବିଏନଏସ ୧୬୩ ଲଗାଯାଇ ନାଲି ପତାକା ଲଗା ଯାଇଥିଲା ।ପ୍ରଶାସନର କଟଣା ସତ୍ୱେ ମାଫିଆମାନେ ବାଲି ଘାଟରୁ ବେଧଡକ ବାଲି ଚୋରା ଚାଲାଣ ଜାରି ରଖିଲେ।