ନୂଆଦିଲ୍ଲୀ, ୧୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କେବଳ ଶକ୍ତି କ୍ଷେତ୍ରକୁ ଝଟ୍କା ଦେଇନାହିଁ । ବିଶ୍ୱ ତୈଳ ଏବଂ ଗ୍ୟାସ ପ୍ରବାହରେ ଦେଖାଦେଇଥିବା ବାଧା ଖାଦ୍ୟ ଯୋଗାଣ, ପରିବହନ ନେଟ୍ୱର୍କ ଏବଂ ଏପରିକି ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରଭାବିତ କରିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ଏମ୍ଡି କ୍ରିଷ୍ଟାଲିନା ଜର୍ଜିଭା ଗୁରୁବାର ଏହା ପ୍ରକାଶ କରିଛନ୍ତି । ଯୁଦ୍ଧ ଯୋଗୁ ବିଶ୍ୱ ତୈଳ ପ୍ରବାହ ପ୍ରାୟ ୧୩% ଏବଂ ଏଲ୍ଏନ୍ଜି ଯୋଗାଣ ୨୦% ହ୍ରାସ ପାଇଥିବା ଜର୍ଜିଭା କହିଛନ୍ତି । ଏହା ବିଶ୍ୱବ୍ୟାପୀ ଶକ୍ତି ଦରକୁ ବଢ଼ାଇବା ସହ ଯୋଗାଣ ଶୃଙ୍ଖଳକୁ ଅସ୍ତବ୍ୟସ୍ତ କରିଦେଇଥିବା ସେ କହିଛନ୍ତି । ଜର୍ଜିଭା ଏହାକୁ ଏକ ବିଶାଳ, ବିଶ୍ୱସ୍ତରୀୟ ଏବଂ ଅସୀମିତ ଯୋଗାଣ ଝଟ୍କା ଭାବେ ସମ୍ବୋଧିତ କରିଛନ୍ତି । ଇନ୍ଧନ ଅଭାବ ଯୋଗୁଁ ବିଶୋଧନାଗାରଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହୋଇଛି ।
ଏହା ବି ପଢ଼ନ୍ତୁ... ଇଷ୍ଟର ପାଇଁ ପୁଟିନଙ୍କ ବଡ଼ ନିଷ୍ପତ୍ତି: ୟୁକ୍ରେନରେ ୩୨ ଘଣ୍ଟା ପାଇଁ ଲାଗୁ ହେବ ସାମୟିକ ଯୁଦ୍ଧବିରତି
ଡିଜେଲ ଏବଂ ଜେଟ୍ ଇନ୍ଧନ ଯୋଗାଣରେ ପ୍ରଭେଦ ସୃଷ୍ଟି ହୋଇଛି । ପରିବହନ, ବାଣିଜ୍ୟ ଏବଂ ପର୍ଯ୍ୟଟନ ସବୁକିଛି ପ୍ରଭାବିତ । ଚିପ୍ ଏବଂ ପ୍ଲାଷ୍ଟିକ୍ ତିଆରି ପାଇଁ ଆବଶ୍ୟକ ହେଉଥିବା ପ୍ରମୁଖ କଞ୍ଚାମାଲ ଯେପରି ହିଲିୟମ ଏବଂ ନାପ୍ଥା ଯୋଗାଣ ପ୍ରଭାବିତ ହେବା ଦ୍ୱାରା ଶିଳ୍ପ କାର୍ଯ୍ୟକଳାପକୁ ଧକ୍କା ଲାଗିଥିବା ଜର୍ଜିଭା କହିଛନ୍ତି । ଉଚ୍ଚ ଶକ୍ତି ଦର ମୁଦ୍ରାସ୍ଫୀତି ଚିନ୍ତା ଉପୁଜାଇଛି । ଶକ୍ତି ସଂକଟରୁ ଚାହିଦା ପ୍ରଭାବିତ ହୋଇଛି । ଋଣ ଦର ବୃଦ୍ଧି ପାଇଛି । ବର୍ତ୍ତମାନ ସ୍ଥିତିରେ ଆଇଏମ୍ଏଫ୍ ଏହାର ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଅନୁମାନକୁ କମାଇପାରେ ବୋଲି ଜର୍ଜିଭା ପ୍ରକାଶ କରିଛନ୍ତି । ତେବେ ଜର୍ଜିଭା ରପ୍ତାନି ନିୟନ୍ତ୍ରଣ ଏବଂ ସବ୍ସିଡି ବୃଦ୍ଧି ଭଳି ପଦକ୍ଷେପକୁ ନେଇ ସତର୍କ କରିଛନ୍ତି । ସେ କହିଛନ୍ତି ଏହା ନିଆଁରେ ଗ୍ୟାସୋଲିନ୍ ଢାଳିବା ଭଳି ପଦକ୍ଷେପ ହେବ । ମୁଦ୍ରାସ୍ଫୀତି ଚିନ୍ତା ବଢ଼ିଲେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବଢ଼ାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଜର୍ଜିଭା କହିଛନ୍ତି । ତେବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ୫୦ ବିଲିୟନ ଡଲାର ଆଇଏମ୍ଏଫ୍ ସହାୟତା ଦାବି ଆସିପାରେ ବୋଲି ସେ ଅନୁମାନ କରିଛନ୍ତି ।