ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ରାଜନୈତିକ ଦଳମାନଙ୍କୁ ଚାନ୍ଦା ଆକାରରେ ମିଳୁଥିବା ନିର୍ବାଚନୀ ବଣ୍ଡକୁ ରଦ୍ଦ କରିବା ସହ ସର୍ବୋଚ୍ଚ ଅଦାଲତ ଅପରାଧୀଙ୍କ ଅବୈଧ ଘର ଭାଙ୍ଗିବାକୁ ବ୍ୟବହାର କରାଯାଉଥିବା ବୁଲ୍‌ଡୋଜର ଉପରେ ରୋକ୍‌ ଲଗାଇଥିଲେ । ସେହିଭଳି ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟାଇବା ଓ ବାଲଟ ପେପରରେ ଭୋଟ କରାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ । ଏଥିସହ କୋଟା ଭିତରେ କୋଟା, ବିଲ୍‌କିସ ବାନୋ ବଳାତ୍କାର ମାମଲା ଓ ଧର୍ମପୀଠ ସର୍ଭେକୁ ନେଇ ସୃଷ୍ଟି ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରିଥିଲେ ।

ଉପସ୍ଥାପନା: ରଞ୍ଜନ ସାହୁ, ହେମନ୍ତ ପରିଡ଼ା, ମାନସୀ ଶୁକ୍ଳା, ଭାଗ୍ୟଶ୍ରୀ ସାହୁ

ଅଳଙ୍କରଣ: ସନ୍ତୋଷ ବିନ୍ଧାଣୀ

ନିର୍ବାଚନୀ ବଣ୍ଡ ରଦ୍ଦ

ଗତ ଫେବ୍ରୁଆରୀ ମାସରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଅବୈଧ ଓ ଅସାମ୍ବିଧାନିକ ବୋଲି ଦର୍ଶାଇ ତାକୁ ରଦ୍ଦ କରିଦେଇଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ । କେବଳ ଏତିକି ନୁହେଁ ବଣ୍ଡ ଯୋଜନା ଆରମ୍ଭ ହେବା ଦିନରୁ କିଏ କିଣିଛି ଓ କାହାକୁ ଦେଇଛି ତାର ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୮ରେ ଆରମ୍ଭ ହେବା ଦିନରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ବିଭିନ୍ନ ବ୍ୟକ୍ତିବିଶେଷ କିମ୍ବା କମ୍ପାନି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ନିର୍ବାଚନୀ ବଣ୍ଡ କ୍ରୟ କରି ତାକୁ ନିଜ ପସନ୍ଦର ରାଜନୈତିକ ଦଳଙ୍କୁ ଚାନ୍ଦା ଆକାରରେ ଦେଉଥିଲେ । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଦଳ ଏହି ବଣ୍ଡ ଜମା କରି ଅର୍ଥ ସଂଗ୍ରହ କରୁଥିଲେ । ତେବେ ଏହି ବଣ୍ଡ କିଏ କିଣିଲା ଏବ କାହାକୁ ଦେଲା ତାକୁ ନେଇ କୌଣସି ତଥ୍ୟ ମିଳିପାରୁ ନଥିଲା । ଅଭିଯୋଗ ହୋଇଥିଲା କି ବିଭିନ୍ନ ସଂସ୍ଥାମାନେ ରାଜନୈତିକ ଦଳକୁ ଚାନ୍ଦା ଦେଉଥିଲେ ଓ ପରବର୍ତ୍ତୀ ସମୟରେ ସେହି ଦଳ ସରକାରକୁ ଆସିଲେ ତାର ଫାଇଦା ନେଉଥିଲେ । ପ୍ରଥମେ ଏଡିଆର ଓ ପରେ ଅନ୍ୟମାନେ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ ।

ଶିଶୁ ପର୍ନୋଗ୍ରାଫି ଅପରାଧ

ବିଦାୟୀ ବର୍ଷର ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଶିଶୁ ପର୍ନୋଗ୍ରାଫି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଓ ବିଚାରପତି ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ପୋକ୍ସୋ ଆଇନର ଧାରା ୧୫ ଏବଂ ଆଇଟି ଆଇନର ଧାରା ୬୭-ବି ଅନୁସାରେ ଶିଶୁ ପର୍ନୋଗ୍ରାଫି ଭିଡିଓ ଗଚ୍ଛିତ ରଖିବା କିମ୍ବା ଦେଖିବା ଅପରାଧ ଏବଂ ଏଥିପାଇଁ ଦଣ୍ଡର ବ୍ୟବସ୍ଥା ରହିଛି । ସେହିଭଳି ଇଣ୍ଟରନେଟରେ ବିନା ଡାଉନଲୋଡରେ ଶିଶୁ ପର୍ନୋଗ୍ରାଫି ଭିଡିଓ ଦେଖିବା ମଧ୍ୟ ଅପରାଧ । ଏଥିସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଚାଇଲ୍ଡ ପର୍ନୋଗ୍ରାଫି ଶବ୍ଦ ବଦଳରେ ଚାଇଲ୍ଡ ସେକ୍ସୁଆଲି ଆବ୍ୟୁସିଭ୍‌ ଆଣ୍ଡ ଏକ୍ସପ୍ଲୋଇଟେଟିଭ ମ୍ୟାଟେରିଆଲ ଶବ୍ଦ ବ୍ୟବହାର କରିବା ଲାଗି ଆଇନରେ ସଂଶେଧନ ଆଣିବାକୁ ପରାମର୍ଶ ଦେଇଥିଲେ । ମାଡ୍ରାସ ହାଇକୋର୍ଟ ଚେନ୍ନାଇର ଜଣେ ବ୍ୟକ୍ତି ନିଜ ମୋବାଇଲରେ ଚାଇଲ୍ଡ ପର୍ନୋଗ୍ରାଫି ଭିଡିଓ ଡାଉନଲୋଡ କରିବା ଓ ତାର ପ୍ରସାର କରିବା ମାମଲାରେ ଦୋଷମୁକ୍ତ କରିଥିବା ବେଳେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ରଦ୍ଦ କରିଦେଇଥିଲେ ।

ବୁଲ୍‌ଡୋଜର ଉପରେ ରୋକ୍‌

ସୁପ୍ରିମକୋର୍ଟ ଗତ ନଭେମ୍ବର ମାସରେ ୟୁପି, ଗୁଜରାଟ ସମେତ ବିଜେପି ଶାସିତ ଅନ୍ୟ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ ଅପରାଧୀଙ୍କ ବିରୋଧରେ ଗ୍ରହଣ କରାଯାଉଥିବା ବୁଲ୍‌ଡୋଜର ନ୍ୟାୟକୁ କଡା ସମାଲୋଚନା କରିବା ସହ ଏହା ଉପରେ ରୋକ୍‌ ଲଗାଇଥିଲେ । କହିଥିଲେ ଅପରାଧ ପ୍ରମାଣିତ ହୋଇନଥିବା ବେଳେ ସରକାର କିଭଳି ଜଣେ ବ୍ୟକ୍ତିଙ୍କ ଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦେଉଛନ୍ତି । ସରକାର ନ୍ୟୟପାଳିକାର ଭୂମିକା ଗ୍ରହଣ କରିପାରିବେ ନାହିଁ । ବୁଲ୍‌ଡୋଜର ଲଗାଇ କାହାର ଘର ବଳପୂର୍ବକ ଭାଙ୍ଗିବା ଆଇନ ନଥିବା ଭଳି ଲାଗୁଛି । ସାମ୍ବିଧାନିକ ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ । ଯେଉଁ ଅଫିସରମାନେ ଘର ଭାଙ୍ଗିବେ ସେମାନଙ୍କୁ ଉତ୍ତରଦାୟୀ ରହିବାକୁ ହେବ । ଯଦି କୌଣସି ବ୍ୟକ୍ତି ଅପରାଧରେ ସମ୍ପୃକ୍ତ ଥାନ୍ତି ତେବେ ତାଙ୍କ ନିର୍ମିତ ବେଆଇନ ଘର ଭାଙ୍ଗିବା ପୂର୍ବରୁ ତାଙ୍କୁ ଅପିଲ କରିବାକୁ ଅତିକମ୍‌ରେ ୧୫ ଦିନ ସମୟ ଦେବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କହିଥିଲେ । ଏଥିସହ ସୁପ୍ରିମକୋର୍ଟ ବୁଲ୍‌ ଡୋଜର ନ୍ୟାୟ ପ୍ରସଙ୍ଗରେ କେତେକ ମାର୍ଗଦର୍ଶିକା ମଧ୍ୟ ଜାରି କରିଥିଲେ ।

କୋଟା ଭିତରେ କୋଟା

ସୁପ୍ରିମକୋର୍ଟ ଗତ ଅଗଷ୍ଟରେ କୋଟା ଭିତରେ ସବ୍‌-କୋଟା ସୃଷ୍ଟି କରିବା ଲାଗି ରାଜ୍ୟମାନଙ୍କୁ ଅନୁମତି ପ୍ରଦାନ କରିଥିଲେ । କହିଥିଲେ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀ ପାଇଁ ରହିଥିବା କୋଟାରେ ସବ୍‌କୋଟା ସୃଷ୍ଟି କରାଯିବା ଫଳରେ ସେହି ବର୍ଗର ଅଧିକ ଅନଗ୍ରସର ଓ ପଛୁଆ ଲୋକମାନଙ୍କୁ ତାର ସୁବିଧା ମିଳିପାରିବ । ତତ୍କାଳୀନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୬:୧ରେ ତାଙ୍କ ରାୟ ପ୍ରକାଶ କରିଥିଲେ । କେବଳ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀ କୋଟା ଭିତରେ ସବ-କୋଟାକୁ ବିରୋଧ କରିଥିଲେ । ପ୍ରଧାନ ବିଚାରପତି ତାଙ୍କର ୧୪୦ ପୃଷ୍ଠାର ରାୟରେ କହିଥିଲେ ଯେ ବ୍ୟବସ୍ଥାଗତ ପାତରଅନ୍ତର ଯୋଗୁ ଏସ୍‌ସି-ଏସ୍‌ଟି ବର୍ଗର ଲୋକମାନେ ଉପରକୁ ଉଠିପାରୁନାହାନ୍ତି । ଧାରା ୧୪ ମଧ୍ୟ କୋଟା ଭିତରେ ଉପ-କୋଟା ସୃଷ୍ଟି ଲାଗି ଅନୁମତି ଦେଇଛି ।

ଜେଲ୍‌ ଫେରିଲେ ବିଲ୍‌କିସ ବଳାତ୍କାରୀ 

ଗତ ଜାନୁଆରୀରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ସହ ବିଲ୍‌କିସ୍‌ ବାନୋ ବଳାତ୍କାର ମାମଲାର ୧୧ ଜଣ ଆଜୀବନ ଦୋଷୀଙ୍କୁ ପୁଣିଥରେ ଜେଲ୍‌କୁ ଫେରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ୨୦୦୨ ଗୁଜରାଟ ଦଙ୍ଗା ବେଳେ ଅଭିଯୁକ୍ତମାନେ ବିଲ୍‌କିସ୍‌ଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିବା ସହ ତାଙ୍କୁ ବଳାତ୍କାର କରିଥିଲେ । ଏହି ମାମଲାରେ ୨୦୦୮ରେ ମହାରାଷ୍ଟ୍ରର ଏକ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ଗୁଜରାଟ ସରକାର ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଏହି ୧୧ ଜଣଙ୍କୁ ଜେଲ୍‌ରୁ ଖଲାସ କରିଦେଇଥିଲେ । ଜେଲ୍‌ରୁ ମୁକୁଳିବା ପରେ ସେମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ନିଆଯାଇଥିଲା । ଯାହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେବା ସହ ଦୋଷୀମାନଙ୍କୁ ତୁରନ୍ତ ଜେଲକୁ ଫେରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ସମସ୍ତ ୧୧ ଦୋଷୀ ପୁଣିଥରେ ଜେଲ୍‌କୁ ଫେରିଥିଲେ । 

ହଟିଲା ଅନ୍ଧପୁଟୁଳି 

ବର୍ଷ ବର୍ଷ ଧରି ଅଦାଲତଗୁଡ଼ିକରେ ନ୍ୟାୟର ପ୍ରତୀକ ‘ଲେଡି ଜଷ୍ଟିସ’ ମୂର୍ତ୍ତିରେ ଅନ୍ଧପୁଟୁଳି ଦେଖିବାକୁ ମିଳୁଥିଲା । କିନ୍ତୁ ୨୦୨୪ରେ ନୂଆ ଧାରା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟ ନୂଆ ଧାରା ସୃଷ୍ଟି ସ୍ୱରୂପ ମୂର୍ତ୍ତିକୁ ବଦଳାଇଥିଲେ । ଭାରତୀୟ ନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତିତ ରୂପକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତିର ଆଖିରୁ ଅନ୍ଧପୁଟୁଳିକୁ ହଟାଇ ଦିଆଯାଇଥିଲା । ମୂର୍ତ୍ତି ହାତରେ ପୂର୍ବରୁ ଖଣ୍ଡା ରହିଥିଲା । ଖଣ୍ଡାକୁ ହଟାଇ ସମ୍ବିଧାନ ରଖାଯାଇଥିଲା । ତତ୍‌କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ନୂଆ ପ୍ରତୀକ ଉନ୍ମୋଚନ କରି ଦେଶର ନ୍ୟାୟ ବ୍ୟବସ୍ଥା ଅନ୍ଧ ନୁହେଁ ବୋଲି କହିଥିଲେ । ଆଇନ ଆଖିରେ ବିଚାର କରିବା ପାଇଁ ଆଖିରୁ ପଟି ଖୋଲି ଦିଆଯାଇଥିବା ସିଜେଆଇ କହିଥିଲେ । ସ୍ୱାଧୀନତାର ଦୀର୍ଘ ୭୮ ବର୍ଷ ପରେ ବିଚାର ବ୍ୟବସ୍ଥାର ଏକ ଅଙ୍ଗ ଭାବେ ପରିଚିତ ହୋଇଆସିଥିବା ନାରୀ ନ୍ୟାୟମୂର୍ତ୍ତି ବଦଳିଥିଲା । ବର୍ଷ ବର୍ଷ ଧରି କୋର୍ଟ ରୁମ୍‌, ଆଇନଜୀବୀଙ୍କ ଚାମ୍ବର ଏବଂ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଥିଲା ଅନ୍ଧପୁଟୁଳି ବନ୍ଧାଯାଇଥିବା ଲେଡି ଜଷ୍ଟିସ୍‌ ବା ନାରୀ ନ୍ୟାୟମୂର୍ତ୍ତି । ଏହି ମୂର୍ତ୍ତିର ଆଖିରେ ସବୁବେଳେ ଏକ କଳାପଟି ବା ଅନ୍ଧୁପୁଟୁଳି ରହୁଥିଲା । ଡାହାଣ ହାତରେ ନିକିତି ଓ ବାମରେ ସମ୍ବିଧାନ ପୁସ୍ତକର ପ୍ରତୀକ ରହୁଥିଲା । ଏହା ଜରିଆରେ ସମାଜକୁ ଏକ ବାର୍ତ୍ତା ଯାଉଥିଲା ଯେ ଆଇନ ନିଜର କିମ୍ବା ପର ଦେଖେନାହିଁ । ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ । କ୍ଷମତାଶାଳୀ, ପ୍ରଭାବଶାଳୀ, ଧନୀ, ଗରିବ, ଅସହାୟ, ସମସ୍ତଙ୍କ ପାଇଁ ଆଇନ ସମାନ ।

ଖଣିଜ ଟିକସ ପାଇଁ ରାଜ୍ୟକୁ ଅନୁମତି 

ବିଦାୟୀ ବର୍ଷର ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ଖଣିଜ ଟିକସ ବସାଇବା ଲାଗି ରାଜ୍ୟମାନଙ୍କୁ ଅନୁମତି ପ୍ରଦାନ କରିଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ କି ଖଣିଜ ଅଧିକାର ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟମାନଙ୍କର ଅଧିକାର ରହିଛି ଏବଂ ସେମାନେ ଏହା ଉପରେ ଟିକସ ଆଦାୟ କରିପାରିବେ । ଏପରିକି ୨୦୦୫ ଏପ୍ରିଲ ୧ରୁ ରାଜ୍ୟମାନେ ଏହି ଟିକସ ଆଦାୟ କରିବେ । ଏହା ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ । ୧୨ ବର୍ଷ ଭିତରେ ପର୍ଯ୍ୟୟକ୍ରମେ ଖଣି କମ୍ପାନିମାନେ ରାଜ୍ୟ ସରକାରଙ୍କୁ ଏହି ଟିକସ ଦେବେ । କିନ୍ତୁ ଖଣି କମ୍ପାନିଙ୍କ ଠାରୁ କୌଣସି ଜରିମାନା କିମ୍ବା ସୁଧ ଆଦାୟ କରିପାରିବେ ନାହିଁ । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ୧୨ ବର୍ଷରେ ବିଭିନ୍ନ ଖଣି କମ୍ପାନିମାନଙ୍କୁ ରାଜ୍ୟଗୁଡିକୁ ପ୍ରାୟ ୧.୫ରୁ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ହେବ । ଏହାଫଳରେ ସମ୍ପୃକ୍ତ ରାଜ୍ୟରେ କଲ୍ୟାଣମୂଳକ କାର୍ଯ୍ୟ ଆଗେଇ ପାରିବ । 

କାର୍ଯ୍ୟକ୍ଷେତ୍ରରେ ଅଭିଯୋଗ କମିଟି 

ବିଦାୟୀ ବର୍ଷର ଶେଷ ବେଳକୁ ସୁପ୍ରିମକୋର୍ଟ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ବିରୋଧରେ ଯୌନ ଉତ୍ପୀଡନ ରୋକିବା ଲାଗି ଆନ୍ତଃ ଅଭିଯୋଗ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅଫିସରେ ଏହି ଅଭିଯୋଗ କମିଟି ଗଠନ କରାଯିବ । ଏଥିସହିତ ସି-ପୋର୍ଟାଲ ମଧ୍ୟ ଖୋଲିବାକୁ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହି ପୋର୍ଟାଲ ମାଧ୍ୟମରେ ମହିଳାମାନେ ସିଧାସଳଖ ଯୌନ ଉତ୍ପୀଡନ ଘଟଣାରେ ଅଭିଯୋଗ ଦାଖଲ କରିପାରିବେ । ୨୦୨୫ ମାର୍ଚ୍ଚ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତର ବିଚାରପତି ବି.ଭି ନାଗରତ୍ନା ଓ ଏନ୍‌ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି କି ନାହିଁ ସେ ସଂକ୍ରାନ୍ତ ସବିଶେଷ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କହିଥିଲେ । ସେହିଭଳି ପୋଷ ଆଇନ (ସେକ୍ସୁଆଲ ହାରାସମେଣ୍ଟ ଅଫ୍‌ ୱିମେନ ଆଟ୍‌ ୱାର୍କପ୍ଲେସ-ପ୍ରିଭେନସନ, ପ୍ରୋହିବିସନ ଆଣ୍ଡ ରିଡ୍ରୋସାଲ) ଦେଶବ୍ୟାପୀ ଲାଗୁ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ ।

ଏଏମ୍‌ୟୁର ସଂଖ୍ୟାଲଘୁ ସ୍ଥିତି

ଆଲିଗଡ ମୁସଲିମ ୟୁନିଭର୍ସିଟି (ଏଏମ୍‌ୟୁ) ଏକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ବୋଲି ହେଉଥିବା ଦାବି ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଗତ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ୭ ଜଣିଆ ବେଞ୍ଚ ୪:୩ରେ ସେମାନଙ୍କ ରାୟ ପ୍ରକାଶ କରିବା ସହ ୧୯୬୭ରେ ଅଜିଜ ବାସା ମାମଲାରେ ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟକୁ ପଲଟାଇ ଦେଇଥିଲେ । ସେହି ରାୟରେ କୁହାଯାଇଥିଲା କି ଏଏମ୍‌ୟୁ ଏକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ନୁହେଁ । କିନ୍ତୁ ସର୍ବୋଚ୍ଚ ଅଦାଲତ ଏହାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । କହିଥିଲେ ଏହାର ଐତିହାସିକ ପୃଷ୍ଠଭୂମି, ପ୍ରଶାସନିକ ବ୍ୟବସ୍ଥା ଓ ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରକୃତରେ ଏହା ସଂଖ୍ୟାଲଘୁ ଅନୁଷ୍ଠାନ ହେବାକୁ ଯୋଗ୍ୟ କି ନୁହେଁ ତାହା ନୂଆ କରି ଯାଞ୍ଚ କରାଯିବ । ୧୯୬୭ ରାୟରେ ସର୍ବୋଚ୍ଚ ଅଦାଲତ କହିଥିଲେ ଏଏମ୍‌ୟୁ ସଂଖ୍ୟାଲଘୁ ଲୋକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇନାହିଁ କିମ୍ବା ପରିଚାଳିତ ମଧ୍ୟ ହେଉନାହିଁ । ତେଣୁ ଏହା ସଂଖ୍ୟାଲଘୁ ଅନୁଷ୍ଠାନ ନୁହେଁ । କିନ୍ତୁ ୧୯୮୧ରେ ସଂସଦ ଏଏମ୍‌ୟୁ ଆଇନରେ ପରିବର୍ତ୍ତନ ଆଣି ଏହାକୁ ସଂଖ୍ୟାଲଘୁ ମାନ୍ୟତା ଦେଇଥିଲା । ହେଲେ ଆହ୍ଲାବାଦ ହାଇକୋର୍ଟ ଏହି ସଂଶୋଧନକୁ ରଦ୍ଦ କରିଦେବା ପରେ ମାମଲା ସୁପ୍ରିମକୋର୍ଟ ଆସିଥିଲା । 

ଏବେ ସର୍ଭେ ହେବନି ଧର୍ମପୀଠ

ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ମନ୍ଦିରମସ୍‌ଜିଦ ବିବାଦ ଉପରେ ସୁପ୍ରିମକୋର୍ଟ ଚଳିତମାସରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବର୍ତ୍ତମାନ ଆଉ ମନ୍ଦିର-ମସ୍‌ଜିଦ ଉପରେ କୌଣସି ସର୍ଭେ କରିବାକୁ ନିର୍ଦ୍ଦେଶ ଦେବା କିମ୍ବା କୌଣସି ଆବେଦନ ବିଚାର ଲାଗି ଗ୍ରହଣ କରିବାକୁ ସବୁ ଅଦାଲତ ଉପରେ ରୋକ ଲଗାଇଛନ୍ତି । ସର୍ବୋଚ୍ଚ ଅଦାଲତ ପ୍ଲେସେସ ଅଫ୍‌ ଓରସିପ୍‌ ଆକ୍ଟ (ବିଶେଷ ପ୍ରାବଧାନ) ୧୯୯୧ ଉପରେ ଶୁଣାଣି କରୁଛନ୍ତି । ଏହି ଆଇନ ବିରୋଧରେ ୬ଟି ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇଛି । ଆଇନ ଅନୁସାରେ ଦେଶ ସ୍ୱାଧୀନତା ଲାଭ କରିବା ପୂର୍ବରୁ ଅର୍ଥାତ ୧୯୪୭ ଅଗଷ୍ଟ ୧୫ ତାରିଖ ପୂର୍ବର ଯେଉଁ ମନ୍ଦିର କିମ୍ବା ମସ୍‌ଜିଦର ସ୍ଥିତି ଯାହାଥିଲା ତାହା ହିଁ ବଳବତ୍ତର ରହିବ । ସେଥିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । କିନ୍ତୁ ଏହି ଆଇନ ଅସାମ୍ବିଧାନିକ ବୋଲି ଦର୍ଶାଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ, ସୁବ୍ରମଣ୍ୟମ ସ୍ୱାମୀ, କଥାବାଚକ ଦେବକୀ ନନ୍ଦନ ଠାକୁର ପ୍ରମୁଖ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଛନ୍ତି । 

ଧର୍ମ ଆଧାରରେ ସଂରକ୍ଷଣ ମନା

ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଚଳିତ ମାସରେ ମୌଖିକ ଭାବେ କହିଥିଲେ । ଏଥିସହ ପଶ୍ଚିମବଙ୍ଗ ସରକାର ମୁସଲିମ ସମ୍ପ୍ରଦାୟର ପ୍ରାୟ ୭୭ଟି ଜାତିକୁ ଦେଇଥିବା ଓବିସି ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ । ବିଚାରପତି ବି.ଆର ଗବଇ ଓ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । କଲିକତା ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପୂର୍ବରୁ ରଦ୍ଦ କରିଥିଲେ । ଏହା ବିରୋଧରେ ସରକାର ସୁପ୍ରିମକୋର୍ଟ ଆସିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ବାଢ଼ିଥିଲେ ଯେ ଏହା ଧର୍ମ ଆଧାରିତ ସଂରକ୍ଷଣ ନୁହେଁ । ବରଂ ଅନଗ୍ରସର ବର୍ଗ ଉପରେ ଆଧାରିତ । କିନ୍ତୁ ତାଙ୍କ ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରି ନଥିଲେ । ସେହିଭଳି ସୁପ୍ରିମକୋର୍ଟ ମଧ୍ୟ ୨୦୧୨ରେ ରାଜ୍ୟ ସରକାର ୩୭ଟି ଜାତିକୁ ଦେଇଥିବା ଓବିସି ମାନ୍ୟତାକୁ ରଦ୍ଦ କରିଦେଇଥିଲେ । 

ଫେରିବନି ବାଲଟ ଯୁଗ

ବାଲଟ ପେପର ଭୋଟ ଯୁଗର ଅନ୍ତ ଘଟିଛି । ସୁପ୍ରିମକୋର୍ଟ ଚଳିତ ମାସରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଆଉ ବାଲଟ ପେପରରେ ଭୋଟ ଗ୍ରହଣ କରାଯିବ ନାହିଁ । ଇଭିଏମ୍‌ରେ ଜାଲିଆତି ଓ ତ୍ରୁଟି ହେଉଥିବା ଦର୍ଶାଇ ପୁଣି ବାଲଟ ପେପରରେ ଭୋଟ କରାଇବା ଲାଗି ହୋଇଥିବା କେତେକ ପିଟିସନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଥିଲେ । ବିଚାରପତି ବିକ୍ରମ ନାଥ ଏବଂ ପି.ବି ଭରାଲେଙ୍କୁ ନେଇ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ ଯେ ଯେତେବେଳେ ଆପଣ ନିର୍ବାଚନ ଜିତୁଛନ୍ତି ସେତେବେଳେ ଇଭିଏମ୍‌ ଠିକ୍‌ ଅଛି । କିନ୍ତୁ ହାରିଗଲେ ଇଭିଏମ୍‌ରେ ଜାଲିଆତି ଓ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣୁଛନ୍ତି । ଆବେଦନକାରୀ ଏ.କେ ପଲ ଦର୍ଶାଇଥିଲେ କି ବିଶ୍ୱର ୧୫୦ରୁ ଅଧିକ ଦେଶରେ ବାଲଟ ପେପରରେ ଭୋଟ ହେଉଛି । ତେଣୁ ଭାରତ ମଧ୍ୟ ଏଭଳି ପଦ୍ଧତି ଆପଣାଇବାର ଆବଶ୍ୟକତା ରହିଛି । ଏହାର ଉତ୍ତରରେ ଖଣ୍ଡପୀଠ ତାଙ୍କୁ ପଚାରିଥିଲେ ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଆପଣ କାହିଁକି ଭିନ୍ନ ନହେବେ । ବାଲଟ ପେପରରେ ଭୋଟ ହେଲେ ଦୁର୍ନୀତି କଣ ହେବ ନାହିଁ? ପଲ ଯୁକ୍ତି ବାଢ଼ିଥିଲେ କି ଏଲନ ମସ୍କ, ଚନ୍ଦ୍ରବାବୁ ନାଇଡୁ ଏବଂ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଭଳି ବ୍ୟକ୍ତିମାନେ ଇଭିଏମ୍‌ ଜାଲିଆତି କରାଯାଉଥିବାର ଅଭିଯୋଗ ମଧ୍ୟ ଆଣିଛନ୍ତି । ହେଲେ ତାଙ୍କ ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିବା ସହ ଆବେଦନ ଖାରଜ କରିଥିଲେ । 

ନିଟ୍‌-ୟୁଜି ପୁନଃ ପରୀକ୍ଷାକୁ ନା

ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ବିଦାୟୀ ବର୍ଷରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା । ପରୀକ୍ଷା ରଦ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେବା ସହ ଅନେକ ଛାତ୍ରଛାତ୍ରୀ ବିକ୍ଷୋଭ ମଧ୍ୟ କରିଥିଲେ । ଶେଷରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ସର୍ବୋଚ୍ଚ ଅଦାଲତ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ବିଭିନ୍ନ ରାଜ୍ୟରେ ଚଢ଼ାଉ କରି ଅନେକ ଲୋକଙ୍କୁ ଗିରଫ କରିଥିଲେ । କିନ୍ତୁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଜଡିତ ଥିବାରୁ ସାନି ପରୀକ୍ଷା ଲାଗି ସୁପ୍ରିମକୋର୍ଟ ଗତ ମେ ମାସରେ ମନା କରିଦେଇଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଥିଲେ କି କେତେକ ସେଣ୍ଟରରେ ହୁଏତ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ତା ମାନେ ନୁହେଁ ଯେ ସମଗ୍ର ଦେଶରେ ପରୀକ୍ଷାକୁ ରଦ୍ଦ କରି ସାନି ପରୀକ୍ଷା କରାଇବା । ଏହାଦ୍ୱାରା ବହୁ କଷ୍ଟ କରି ପରୀକ୍ଷା ଲାଗି ପ୍ରସ୍ତୁତ କରିଥିବା ମେଧାବୀ ପ୍ରଭାବିତ ହେବେ ।