ଭୁବନେଶ୍ୱର ୦୫/୦୧: ପ୍ରାୟତଃ ପ୍ରତିଦିନ ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହେଉଛି । ଗତ ମଙ୍ଗଳବାର ଜଣେ ଅଣସେବାୟତ ଆଡ କାଠ ଡେଇଁ ପଶି ଯିବାରୁ ବେଶ ମାରା ହୋଇଥିଲା । ପୁଣି ଶୁକ୍ରବାର ସକାଳେ ବେଶ ଓ ରୋଷ ହୋମ ପାଇଁ ସେବାୟତ ମାନେ ପ୍ରସ୍ତୁତି ଚଳାଇଥିବା ବେଳେ ଜଣେ ପୁଲିସ ଆଡକାଠ ଦେଇ ପଶି ଯିବା କାରଣରୁ ଠାକୁରଙ୍କ ନୀତି ବିଘ୍ନ ହୋଇଥିଲା । ପୁଣି ଆଜି ଶନିବାର ମହାସୁଆରଙ୍କ ଭୋଗ ପ୍ରସ୍ତୁତିରେ ବିଳମ୍ବ ହେବାରୁ ସମସ୍ତ ନୀତି ଘଣ୍ଟାଏରୁ ଅଧିକ ବିଳମ୍ବ ହୋଇଛି । ଏମିତି ଦେଖିଲେ ପୌଷ ମାସର ୨୧ ଦିନରେ ୫ଥର ଦିଅଁଙ୍କ ପୂଜା ନୀତିରେ ବିଭ୍ରାଟ ହେଲାଣି । ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ହେଉ ଥିବାରୁ ମହାପ୍ରଭୁ ଖୁସି ନଥିବା କିଛି ଶ୍ରଦ୍ଧାଳୁ କହିଛନ୍ତି ।
ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ଯେ, ଚଳିତ ବର୍ଷ ଠାକୁର ଶୀତ ବସ୍ତ୍ର ପରିଧାନ କରି ନାହାନ୍ତି । ଠାକୁରଙ୍କ ଓଢଣ ଷଷ୍ଠୀ ନୀତି ହୋଇ ପାରିଲା ନାହିଁ । ତେଣୁ ଏ ଭଳି ଘଟୁଛି । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ, ଶୁକ୍ରବାର ପୁଲିସ ବାବୁଙ୍କ ଅଜାଣତରୁ ଏପରି ଘଟିଛି । ଅନନ୍ତ ବାସୁଦେବ ମନ୍ଦିରରେ ସଫେଇ କାର୍ଯ୍ୟ ଜାରି ରହି ଥିବାରୁ ସେଠାରେ ଭୋଗ ପ୍ରସ୍ତୁତି ବନ୍ଦ ରହିଛି । ସେହି ଅତିରିକ୍ତ ଭୋଗ ଏବେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରୁ ପ୍ରସ୍ତୁତ କରା ଯାଇଛି । ଫଳରେ ଆଜି ବିଳମ୍ବ ଘଟିଛି । କିନ୍ତୁ ସବୁ ଦିନର ବାସ୍ତବ ସମସ୍ୟା ହେଉଛି କର୍ମଚାରୀ ଅଭାବ । ଏବେ ପର୍ଯ୍ୟଟନ ଋତୁରେ ଭିଡ ହେବାଟା ସ୍ୱାଭାବିକ। ଟିକେ ନଜର ଏପଟ ସେପଟ ହେବା କ୍ଷଣି ଲୋକ ସବୁଠି ଧସେଇ ପଶି ଆସୁଛନ୍ତି । ତେଣୁ ଅଧିକ ମାନବ ସମ୍ବଳର ବ୍ୟବସ୍ଥା କରାଗଲେ ସମସ୍ୟା ଟଳି ଯାଆନ୍ତା ।