କଚ୍ଛପ ଗତିରେ ଶାନ୍ତିସ୍ତୂପ ନବୀକରଣ, ୪ ମାସରେ ୩୦ ପ୍ରତିଶତ କାମ ସରିଛି

ଧଉଳି, ୨୫/୫ : ରାଜ୍ୟ ସରକାର ଏକ ସ୍ୱାଗତଯୋଗ୍ୟ ପକ୍ଷକ୍ଷେପ ନେଇଛନ୍ତି । ଶାନ୍ତିସ୍ତୂପ ଧଉଳିର ନବୀକରଣ କରାଯାଇ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରାଯିବ । ଏଥିପାଇଁ ୮୬ ଫୁଟ ଉଚ୍ଚତା , ୭୦ ଫୁଟ ପରିଧି ବିଶିଷ୍ଟ ଶାନ୍ତିସ୍ତୂପ ଏବଂ ଏଥିରେ ହୋଇଥିବା ଫାଟର ମରାମତି କରାଯିବ । ଅନ୍ୟାନ୍ୟ କଳାକୃତି ଏବଂ ଶାନ୍ତିସ୍ତୂପ ଉପରପାର୍ଶ୍ବର ନବୀକରଣ, ଚାରିପାର୍ଶ୍ବରେ ନଷ୍ଟ ହୋଇଯାଇଥିବା ମୋଟ ୨୪ଟି ମୂର୍ତ୍ତି ଏବଂ କଳାକୃତି ଗୁଡିକର ମରାମତି ହେବ । ୮ ଟି କଂକ୍ରିଟ ପ୍ରତିମୂର୍ତ୍ତି ସ୍ଥାନରେ ପଥର ଖୋଦିତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ପୁରୁଣା ରଙ୍ଗକୁ ଛଡାଇ ପୁନର୍ବାର ରଙ୍ଗ କରାଯିବ । ହେଲେ ଏହି କାମ ଏବେ କଚ୍ଛପ ଗତିରେ ଚାଲିଛି । ଲୁହା ପାଇପ୍ ଭାରା ଦୀର୍ଘଦିନ ଧରି ବନ୍ଧା ହୋଇ ରହିବା ଫଳରେ ଏହାର ସୌନ୍ଦର୍ଯ୍ୟ ଉପଭୋଗରୁ ପର୍ଯ୍ୟଟକ ବଞ୍ଚିତ ହେଉଛନ୍ତି । ଯାହା ଅସନ୍ତୋଷର କାରଣ ହୋଇଛି ।
ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ (ଓବିସିସି) ଏହାର କାର୍ଯ୍ୟଭାର ନେଇଛନ୍ତି । ଶାନ୍ତିସ୍ତୂପର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୧ କୋଟି ଏବଂ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
୫ ମାସ ଭିତରେ ଏହାର ସମସ୍ତ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ନିର୍ଦ୍ଦେଶ ରହିଥିଲା । ବିଡ଼ମ୍ବନାର ବିଷୟ ପ୍ରାୟ ୪ ମାସ ବିତିଯାଇଥିଲେ ହେଁ ଶତକଡ଼ା ୩୦ ଭାଗ କାମ ସରିନଥିବା ଦେଖିବାକୁ ମିଳିଛି । ଏହି ସମୟ ମଧ୍ୟରେ ଶାନ୍ତିସ୍ତୂପ ଚତୁଃପାଶ୍ୱର୍କୁ ଲୁହା ପାଇପ୍ ଭାରାରେ ଆବଦ୍ଧ କରାଯାଇଛି । କେବଳ ନିମ୍ନଭାଗରେ ଥିବା ଅଳ୍ପ କିଛି ଅଂଶର ପୁରୁଣା ରଙ୍ଗ ଛଡ଼ା ଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନବୀକରଣ କାର୍ଯ୍ୟରେ ଦୈନିକ ମାତ୍ର ୩ ରୁ ୪ ଜଣ ଶ୍ରମିକ ନିୟୋଜିତ ହେଉଛନ୍ତି । ସେମାନେ ପୁଣି ଦୈନିକ ମଜୁରି ମିଳିବାରେ ଅସୁବିଧା ହେଉଥିବାରୁ ନିୟମିତ କାମ କରିବାକୁ ଆସୁନାହାନ୍ତି । ଦିନେ କାମ କରିବାକୁ ଆସିଲେ ୩ ଦିନ ଆସୁନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ସେମାନେ କାମ କରୁଥିବା ମଧ୍ୟ ସବୁଦିନ ଦେଖିବାକୁ ମିଳୁନି ।
ଇତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶାନ୍ତିସ୍ତୂପରେ ପହଞ୍ଚି ନବୀକରଣ କାର୍ଯ୍ୟ ତଦାରଖ କରିଛନ୍ତି । କାମ ସରିବା ନେଇ କାର୍ଯ୍ୟଭାର ନେଇଥିବା ସଂସ୍ଥା ଓବିସିସିର ଏସ୍ଡିଓ ରଶ୍ମି ସାହୁଙ୍କୁ ପଚାରିବାରେ ସେ କହିଲେ ଯେ ଶାନ୍ତିସ୍ତୂପର ପୁରୁଣା ଚୂନ ଛଡ଼ାଇବାକୁ ବହୁତ ସମୟ ଲାଗିଗଲା । ଏବେ ତରବରିଆ ଭାବେ କାମ ନକରି ସ୍ଥାୟୀତ୍ୱ ଉପରେ ଆମେ ଗୁରୁତ୍ୱ ଦେଉଛୁ । ୱାଟରପ୍ରୁଫିଂ ସହିତ ଆଣ୍ଟି କାର୍ବନ ପଦ୍ଧତିରେ ଆମେ ରଙ୍ଗକାମ ଓ ସୌନ୍ଦର୍ଯ୍ୟକରଣ କରିବୁ ତେଣୁ ଆଉ ୨ ମାସ ମଧ୍ୟରେ କାମ ଶେଷ ହୋଇଯିବ । ସେହିପରି ଟୁରିଷ୍ଟ ଅଫିସର ଅଞ୍ଜନ ବାରିକ କହିଲେ ଯେ ଏବେ ନିର୍ମାଣ କାମ ଚାଲିଛି । ତା’ପରେ ରଙ୍ଗ କାମ ଚାଲିବ । ଓବିସିସି ସୂଚନା ଦେଇଛି ଯେ ଦେଢ଼ମାସରୁ ଦୁଇମାସ ଭିତରେ କାମ ସରିବ ।