ଦେଖନ୍ତୁ ଭିଡିଓ: ସିୟାଚୀନରେ କିଭଳି କଷ୍ଟରେ ଅଛନ୍ତି ଭାରତୀୟ ଯବାନ,-୬୦ ଡିଗ୍ରୀରେ ଖାଦ୍ୟ ପାଲଟି ଯାଉଛି ପଥର

ନୂଆଦିଲ୍ଲୀ,୯।୬: ସାରା ଦେଶରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ, କିନ୍ତୁ ସିୟାଚୀନରେ ଭାରତୀୟ ଯବାନମାନେ ଏବେ -୬୦ ଡିଗ୍ରୀ ତାପମାତ୍ରାରେ ପ୍ରବଳ ଥଣ୍ଡା ସହିତ ଦେଶର ସୁରକ୍ଷାରେ ଲାଗି ରହିଛନ୍ତି। ଏବେ ସିୟାଚୀନରେ ଥିବା ଯବାନଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏତେ ଥଣ୍ଡାରେ ପଡିବା ଦ୍ବାରା ତାଙ୍କର ଜୁସ୍, ଅଣ୍ଡା ଓ ପରିବା ସବୁ ଜମିଯାଇଛି। ଏପରିକି ହାତୁଡାରେ ପିଟିବା ପରେ ମଧ୍ୟ ତାହା ଖୁବ୍ କଷ୍ଟରେ ଭାଙ୍ଗୁଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ସେନାର ୩ ଜଣ ଯବାନ ରହିଛନ୍ତି। ସବୁଠାରୁ ପ୍ରଥମେ ଜଣେ ଯବାନ ଫଳ ରସର ଡବାକୁ ଖୋଲିକି ଦେଖାନ୍ତି ଯାହାକି ପ୍ରବଳ ଥଣ୍ଡାରେ ଜମି ଯାଇ ପୁରା ପଥର ହୋଇଯାଇଛି। ଏହାକୁ ହାତୁଡାରେ ପିଟିବା ପରେ ମଧ୍ୟ ତାହା ଭାଙ୍ଗିନଥିଲା। ଏହାପରେ ଅଣ୍ଡା ଓ ଆଳୁର ମଧ୍ୟ ସମାନ ପରିସ୍ଥିତି। ଏଗୁଡିକୁ ମଧ୍ୟ ପିଟିବା ପରେ ତାହା ଭାଙ୍ଗୁନଥିଲା।
ସେନାର ଜଣେ ଯବାନଙ୍କୁ ଏହା କହୁଥିବାହର ମଧ୍ୟ ଦେଖିବାକୁ ମିଳିଛି ଯେ, ଏଭଳି ଜମି ଯାଇଥସିବା ଅଣ୍ଡା ପର୍ବତ ଉପରେ ବହୁତ ଦେଖିବାକୁ ମିଳୁଛି। ଏହାପରେ ଯବାନମାନେ ଜମିଯାଇଥିବା ଟମାଟର, ପିଆଜ, ଆଳୁ ଓ ଅଦାକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା।
ଏହି ଭିଡିଓ ଭାଇରାଲ ହେବା ପରେ ଟ୍ବିଟରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଜଣେ ଟ୍ବିଟର ୟୁଜର ଲେଖିଛନ୍ତି, ’ଆମର ସୈନିକ ସିୟାଚୀନରେ କେତେ କଠିନ ପାଣିପାଗର ସମାନ କରୁଛନ୍ତି। ଏହାକୁ ତଥାକଥିକ ଲିବେରାଲ ଓ ସେକୁଲାରଙ୍କ ନିକଟକୁ ପଠାନ୍ତୁ, ଯେଉଁମାନେ କି ଭାରତୀୟ ସେନାର ମନୋବଳ ଦୁର୍ବଳ କରିବାକୁ କେବେ ସୁଯୋଗ ଛାଡନ୍ତି ନାହିଁ। ଆଉ ଜଣେ ୟୁଜର ଲେଖିଛନ୍ତି ‘ହେ ଭଗବାନ ଏହା ଖୁବ୍ ଦୁଃଖଦ… ଆମର ବାହାଦୁର ଓ କ୍ଷମତାବାନ ଯବାନଙ୍କୁ ସଲାମ। ଏଠାରେ ଯବାନଙ୍କ ଜୀବନରେ କେତେ କଠିନ ଭରି ରହିଛି।’