ସୁଷମା କହିଲେ, ବୈଦେଶିକ ମନ୍ତ୍ରୀ ହେବା ପରେ ମୁଁ ଇଂରାଜୀ ଉଚ୍ଚାରଣ ଏବଂ ବ୍ୟାକରଣ ଶିଖିଛି, ଜାଣନ୍ତୁ ଏଭଳି କହିବାର କାରଣ କ’ଣ?

ନୂଆଦିଲ୍ଲୀ,୧୨।୩: ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଟ୍ବିଟରରେ ସବୁବେଳେ ସକ୍ରିୟ ରହୁଥିବା ଭାରତୀୟ ନେତା। ଯଦି କେହି ଟ୍ବିଟ କଲେ ଏହାର ଉତ୍ତର ମଧ୍ୟ ସେ ତାଙ୍କୁ ତୁରନ୍ତ ଦେଇଥାନ୍ତି। ଟ୍ବିଟରରେ କେବେ କେବେ ତାଙ୍କ ଉତ୍ତର ମଧ୍ୟ ଖୁବ୍ ହୃଦୟସ୍ପର୍ଶୀ ହୋଇଥାଏ। ଏଇ ଯେମିତି ନିକଟରେ ଜଣେ ପଞ୍ଜାବୀ ଯୁବକ ଦରଖଣ୍ଡିଆ ଇଂରାଜୀ ଶବ୍ଦ ଲେଖି ସୋସିଆଲ ମିଡିଆରେ ପରିହାସର ପାତ୍ର ହେବାପରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କ ସପକ୍ଷରେ ଆସି ମତ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
@SushmaSwaraj @BBCNews @BBCBreaking
— Gavy (@Gavy34196087) March 11, 2019
I from India in Punjab but I’m now in Malaysia here one my friend mental I want send go back to India but immigration say we are cannot help you first here treatment your friend after can I send India your friend can you ask immigration
ମ୍ୟାଲେସିଆରେ ରହୁଥିବା ଜଣେ ପଞ୍ଜାବୀ ଯୁବକ ତାଙ୍କର ଜଣେ ସାଙ୍ଗଙ୍କୁ ଭାରତ ଫେରାଇନେବାରେ ସହାୟତା ମାଗି ଏହି ଟ୍ୱିଟ୍ କରିଥିଲେ। ତେବେ ଇଂରାଜୀରେ ଯାହା ଟ୍ବିଟ୍ କରିଥିଲେ ତାହାର ସବୁ ବ୍ୟାକରଣ ଦୃଷ୍ଟିରୁ ଭୁଲ ଥିଲା। ଯୁବକ ଜଣକର ଏହି ଭୁଲ ଭଟକା ଥିବା ଇଂରାଜୀ ଟ୍ବିଟକୁ ପଢି ଅନେକ ଟ୍ବିଟର ୟୁଜର ଏହାକୁ ନେଇ ଥଟ୍ଟା ତାମ୍ସା ଆରମ୍ଭ କରିଥିଲେ। ଏପରିକି ଜଣେ ଲେଖିଥିଲେ, “ଭାଇ ହିନ୍ଦୀ କିମ୍ବା ପଞ୍ଜାବୀରେ ଲେଖିଦେଇଥିଲେ ଭଲ ହୋଇଥାନ୍ତା ?”
There is no problem. After becoming Foreign Minister, I have learnt to follow English of all accents and grammar. https://t.co/2339A1Fea2
— Sushma Swaraj (@SushmaSwaraj) March 11, 2019
ଏହି ଟ୍ୱିଟ୍ ସୁଷମାଙ୍କ ନଜରରେ ଆସିବା କ୍ଷଣି ସେ ଉତ୍ତର ରଖିଥିଲେ ‘ଏଥିରେ କିଛି ସମସ୍ୟା ନାହିଁ। ବୈଦେଶିକ ମନ୍ତ୍ରୀ ହେବା ପରେ ଯାଇ ମୁଁ ସମସ୍ତ ଇଂରାଜୀ ଉଚ୍ଚାରଣ ଏବଂ ବ୍ୟାକରଣ ଶିଖିଛି।’ ମୂଳ ଟ୍ୱିଟ୍ରେ ପଞ୍ଜାବୀ ଯୁବକ ଗାଭି ତାଙ୍କ ସାଧ୍ୟମତେ ଇଂରାଜୀରେ ଲେଖିଥିଲେ, “ମୁଁ ଭାରତର ପଞ୍ଜାବରୁ ଆସି ମ୍ୟାଲେସିଆରେ ରହୁଛି। ମୋର ଜଣେ ସାଙ୍ଗ ମାନସିକ ଭାରସାମ୍ୟ ହରାଇଥିବାରୁ ମୁଁ ତାଙ୍କୁ ଭାରତ ପଠାଇବାକୁ ଚାହୁଁଛି। ଇମିଗ୍ରେସନ୍ ବିଭାଗ ପକ୍ଷରୁ କୁହାଯାଇଛି ସେ ସୁସ୍ଥ ହେଲାପରେ ଯାଇ ଫେରିପାରିବେ। ଆପଣ ଇମିଗ୍ରେସନ୍ ବିଭାଗକୁ ଟିକେ କହିପାରିବେ କି।” ତେବେ ସୁଷମା କିନ୍ତୁ ଯୁବକ ଜଣଙ୍କୁ ନିରୁତ୍ସାହିତ ନକରି ତାଙ୍କର ତାଙ୍କୁ ଉତ୍ସାହିତ କରିଛନ୍ତି। ସୁଷମାଙ୍କ ଏଭଳି ଉତ୍ତରକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି। ସେଭଳି ଯୁବକଙ୍କ ଇଂଲିଶ ଲେଖିବାରେ ଭୁଲ ପାଇଁ ପରିହାସ କରିଥିବା ଲୋକଙ୍କୁ ସୋସିଆଲ ମିଡିଆରେ ଅନ୍ୟ ୟୁଜରମାନେ କଡ଼ା ସମାଲୋଚନା କରିଛନ୍ତି।