ଭୁବନେଶ୍ୱର ଲୋକସଭା; ପଦ୍ମ ଫୁଟାଇଲେ ଅପରାଜିତା

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ବିଜେପି ଯୋଡ଼ିଲା ନୂଆ ଇତିହାସ । ଶଙ୍ଖ ଗଡ଼ରେ ଉଡ଼ିଲା ଗେରୁଆ ବାନା । ଆଇପିଏସ୍ ବନାମ ଆଇଏଏସ୍ ଲଢ଼େଇରେ ବାଜି ମାରିନେଲେ ଅପରାଜିତା । ରାଜଧାନୀରେ ପ୍ରଥମ ଥର ପାଇଁ ଫୁଟାଇଲେ ପଦ୍ମ । ଦଳ ପାଇଁ ଆଣିଲେ ନୂଆ ସଫଳତା ।
ଭୋଟ୍ ପର୍ବ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ସେଇଆ ହିଁ ହେଲା । ନିଜ ନିଷ୍ଠା, ପରିଶ୍ରମ ଓ ମିଶନରେ ସଫଳ ହେଲେ ଅପରାଜିତା ଷଡ଼ଙ୍ଗୀ । ବିଜେଡି ଗଡ଼ରେ ବିଜେଡିକୁ ମାତ୍ ଦେଲେ । ମାଟି କାମୁଡ଼ିଲେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ।
ସବୁଠୁ ବଡ଼ କଥା ହେଲା, ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ଯାକ ବିଧାନସଭା ଆସନ ମଧ୍ୟରୁ କୌଣସି ଗୋଟିଏ ଆସନରେ ବିଜେପିର ଦବ୍ଦବା ନାହିଁ । ଏଥର ଜଟଣୀକୁ ଛାଡ଼ିଦେଲେ ବାକି ସବୁ ଯାକ ବିଧାନସଭା ଆସନକୁ ବିଜେଡି କବ୍ଜା କରିଛି । ହେଲେ ଅପରାଜିତା ସବୁ ନିର୍ବାଚନମଣ୍ଡଳୀରୁ ଭୋଟ୍ ଟାଣିବାରେ ସକ୍ଷମ ହୋଇଛନ୍ତି । ଅପରାଜିତା ୨୧ ହଜାର ୩୬୬ ଭୋଟ୍ ବ୍ୟବଧାନରେ ହରାଇଛନ୍ତି ଅରୁପଙ୍କୁ ।
ଅପରାଜିତାଙ୍କୁ ମୋଟ ୪ ଲକ୍ଷ ୬୯ ହଜାର ୯୬୦ ଭୋଟ୍ ମିଳିଥିବାବେଳେ ଅରୁପ ପାଇଛନ୍ତି ୪ ଲକ୍ଷ ୪୮ ହଜାର ୫୯୪ ଭୋଟ୍ । ଅପରାଜିତାଙ୍କ ଏହି ବିଜୟ ସହ ବିଜେପି ପ୍ରଥମ ଥର ପାଇଁ ଭୁବନେଶ୍ୱର ଲୋକସଭା ଆସନରେ ସଫଳତା ପାଇଛି । ଗତ ୨୦୧୪ ନିର୍ବାଚନରେ ଏହି ଆସନରୁ ବିଜେଡି ୪ ଲକ୍ଷ ୩୯ ହଜାର ୨୫୨ ଭୋଟ୍ ମିଳିଥିଲା । ବିଜେପି ପାଇଥିଲା ୨ ଲକ୍ଷ ୪୯ ହଜାର ୭୭୫ ଭୋଟ୍ ।
ଭୁବନେଶ୍ୱର ଲୋକସଭା ଆସନ ଏକଦା କଂଗ୍ରେସର ଗଡ଼ ଥିଲା । ପରେ ବାମ ଦଳ ଏହାକୁ ଦଖଲକୁ ନେଇଥିଲା । ୧୯୯୬ରେ ଶେଷ ଥର ପାଇଁ ଏହି ଆସନରୁ କଂଗ୍ରେସ ଜିତିଥିଲା । ୧୯୯୮ରୁ ଏହି ଆସନ କବ୍ଜାକୁ ନେଇଥିଲା ବିଜେଡି । ଲଗାତାର ୫ ଥର ଜିତିଥିଲେ ପ୍ରସନ୍ନ ପାଟ୍ଟଶାଣୀ । କହିବାକୁ ଗଲେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଯେମିତି ପାଟ୍ଟଶାଣୀଙ୍କ ରାଜୁତି ଚାଲିଥିଲା ।
ତେବେ ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ବିଜେପିରେ ଯୋଗ ଦେବା ପରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରକୁ ବାଛି ନେଇଥିଲେ । ଦିଲ୍ଲୀରୁ ଓଡ଼ିଶାକୁ ଫେରିବା ସହ ଅପରାଜିତା ପ୍ରଥମ ଦିନରୁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ବୁଲିବା ଆରମ୍ଭ କରିଦେଇଥିଲେ । ରାଜଧାନୀରେ ବିଜେପିର ସଂଗଠନ ଓ ପ୍ରଭାବ ଦୁର୍ବଳ ଥିବା ସତ୍ତେ୍ୱ ସେ ହାର୍ ମାନିନଥିଲେ । କଠିନ ପରିଶ୍ରମ କରି ଗାଁ ଗାଁ ୱାର୍ଡ ୱାର୍ଡ ବୁଲିଥିଲେ ।
ଭୋଟ୍ ତାରିଖ ଘୋଷଣା ପୂର୍ବରୁ ସେ ପୂରା ନିର୍ବାଚନମଣ୍ଡଳୀ ବୁଲି ସାରିଥିଲେ । ଅପରାଜିତାଙ୍କ କ୍ରେଜ୍ ବଢ଼ୁଥିବା ଦେଖି ବିଜେଡି ଷ୍ଟ୍ରାଟେଜି ବଦଳାଇବାକୁ ବାଧ୍ୟ ହୋଇଥିଲା । ପୁରୁଣା ମୁହଁ ବଦଳରେ ନୂଆ ମୁହଁ ଖୋଜା ପଡ଼ିଥିଲା । ଖୋଜି ଖୋଜି ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ଓଡ଼ିଆ ଆଇପିଏସ୍ ଅଫିସର ଅରୁପ ପଟ୍ଟନାୟକଙ୍କୁ ଆଣିଥିଲା ବିଜେଡି । ଅରୁପଙ୍କୁ ବିଜେଡି ଟିକେଟ ଘୋଷଣା ହେବା ପୂର୍ବରୁ ପୂରା ନିର୍ବାଚନମଣ୍ଡଳୀରେ ଅପରାଜିତା ନିଜର ସ୍ୱତନ୍ତ୍ର ଭାବମୂର୍ତ୍ତି ଛିଡ଼ା କରି ସାରିଥିଲେ । ଲୋକଙ୍କ ସହ ସମ୍ପର୍କ ଯୋଡ଼ି ଅପରାଜିତା ବିଜେଡି ଭୋଟ୍କୁ କାଟିଥିଲେ । ଶେଷରେ ତାଙ୍କ ପରିଶ୍ରମ ସାକାର ହେଲା ଆଜିର ବିଜୟ ସହ ।