ଏହି ଦେଶରେ କ୍ଷୀର ଲିଟରକୁ ୮୦ ହଜାର, ଏବେ ବିଜୁଳି ନଥିବାରୁ ଚିକିତ୍ସା ନପାଇ ମରୁଛନ୍ତି ରୋଗୀ

କାରାକସ୍,୧୧।୩: ଗୋଟେ ଲିଟର କ୍ଷୀରକୁ ୮୦ ହଜାର ଟଙ୍କା ଓ ୧ କେଜି ମାସଂକୁ ୩ ଲକ୍ଷ ଟଙ୍କା ଯଦି ଦେବାକୁ ପଡୋ ତେବେ ଆପଣ କ’ଣ କରିବେ? ହଁ ଏହା ସତ କଥା, କାରଣ ଭେନେଜୁଏଲାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା କାରଣରୁ ଏବେ ସେଠାରେ ଖାଦ୍ୟ ପଦାର୍ଥ ସହିତ ଆତ୍ୟାବଶ୍ୟକୀୟ ଜିନିଷର ଦର ଆକାଶ ଛୁଆଁ ହୋଇଛି। ଏବେ ଭେନେଜୁଏଲା ବାସୀଙ୍କ ପାଇଁ ଆଉ ଏକ ବଡ ସଙ୍କଟ ପାଲଟିଛି ବିଜୁଳି। ଗତ ଗୁରୁବାର ଠାରୁ ସାରା ଦେଶରେ ବିଜୁଳି ବନ୍ଦ ହୋଇଯାଇଛି। ବିଜୁଳି ସଙ୍କଟ କାରଣରୁ କିଡନୀ ରୋଗରେ ପୀଡିତ ୧୫ ଜଣ ରୋଗୀଙ୍କର ଡାୟଲିସିସ୍ ହୋଇପାରିନଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜୁଳି ନଥିବାରୁ ଖାଦ୍ୟ ଯୋଗାଣ ପୂର୍ବ ଅପେକ୍ଷା ଆହୁରି ପ୍ରଭାବିତ ହୋଇଛି। ଯାହାକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ବୃଦ୍ଧି ପାଇଛି।

ଭେନେଜୁଏଲା ବିରୋଧି ଦଳ ନେତା ଜୁଆନ ଗୁଇନ୍ଦୋ କହିଛନ୍ତି, ଏବେ ଜରୁରୀ ପରିସ୍ଥିତି ଘୋଷଣା କରି ଅନ୍ତଃର୍ଜାତୀୟ ସହାୟତା ପାଇଁ ସଂସଦରେ ଜରୁରୀକାଳୀନ ଅଧିବେଶନ ଡକାଯିବ। ଉଲ୍ଲେଖନୀୟ ଯେ ଗତ ଜାନୁଆରୀରେ ଜୁଆନ ଗୁଇଦୋ ନିଜକୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଘୋଷଣା କରିଥିଲେ। ଏହାପରେ ରାଷ୍ଟ୍ରପତି ନିକୋଲାସ୍ ମାଦୁରେ ଓ ଜୁଆନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଯଦି ରାଜନୈତିକ ବିବାଦ ଶେଷ ନହୁଏ ତେବେ ଦେଶରେ ଗୃହଯୁଦ୍ଧ ହୋଇପାରେ।

ଭେନେଜୁଏଲାର ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ ବେଶ୍ ଭୟାବହ ପରିସ୍ଥିତିରେ ପହଁଞ୍ଚିଛି। ଗୋଟେ କିଲୋ ଚିକେନକୁ ୧୦୨୭୭ ଟଙ୍କା ଓ ୬୫୩୫ ଟଙ୍କାରେ ୧୦ ରୁ ୧୨ ଟି ଅଣ୍ଡା ମିଳୁଛି, ଗୋଟେ କେଜି ଟମାଟର ୧୧ ହଜାର, ଗୋଟେ କେଜି ଆଳୁ ୧୭ ହଜାର ଟଙ୍କାରେ ମିଳୁଚି। ସବୁଠାରୁ ବଡ କଥା ହେଉଛି ମାତ୍ର ଗୋଟେ କେଜି ଚାଉଳ ପାଇଁ ସେଠାରେ ଜଣେ ଅନ୍ୟ ଜଣକୁ ହତ୍ୟା କରିବାକୁ ପଛାଉ ନାହାଁନ୍ତି। ଭେନେଜୁଏଲାରେ ମୁଦ୍ରାସ୍ପିତୀ ଦର ୧୩ ଲକ୍ଷ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି। ତଥାପି ସେଠାର ରାଷ୍ଟ୍ରପତି ନିକୋଲାସ୍ ମାଦୁରେ ଅନ୍ତଃର୍ଜାତୀୟ ସ୍ତରରେ ସହାୟତା ନେବାକୁ ମନା କରୁଛନ୍ତି। ସେ କହୁଛନ୍ତି ତାଙ୍କ ଦେଶ ଭିକାରୀ ନୁହେଁ। ଯେଉଁଥି ପାଇଁ ଭେନେଜୁଏଲାରେ ବିଦ୍ରୋହ ସୃଷ୍ଟି ହୋଇଥିଲା ନିକଟରେ। ସେନା ପକ୍ଷରୁ ବିରୋଧୀ ଦଳ ନେତା ଜୁଆନ ଗୁଏଣ୍ଡୋଙ୍କୁ ସମର୍ଥନ କରାଯାଇଛି।