ସୋନପୁର, ୭।୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ୩୨୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ସୁବର୍ଣ୍ଣପୁର ଠାରେ ନିର୍ମାଣ ହୋଇଥିବା ସର୍କିଟ ହାଉସର ଶୁଭ ଉଦଘାଟନ କରିଥିଲେ l ପରେ ରାମେଶ୍ୱର ପଡିଆଠାରେ ଆୟୋଜିତ ହୋଇଥିବା ଜନସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ , ଜଉ ମା’ ସୁରେଶ୍ଵରୀ କହି ଅଭିଭାଷଣ ଆରମ୍ଭ କରିଥିଲେ l
ମୁଖ୍ୟମନ୍ତ୍ରୀ କହିଥିଲେ, ସୁବର୍ଣ୍ଣପୂର ମାଟିର ଗୌରବ ସନ୍ଥ କବି ଭୀମ ଭୋଇ ଜଣେ ଅନନ୍ୟ ପ୍ରତିଭା l ସୁବର୍ଣ୍ଣପୁର ସହରର ମା’ ମେଟାକାନି, ପାପକ୍ଷୟ ଘାଟ,ପାତଳୀ ଶ୍ରୀକ୍ଷେତ୍ର, ସୁବର୍ଣ୍ଣମେରୁ,ରାମେଶ୍ବର ଉପରେ ରହିଥିବା ଗୁଣ ଗାଇଥିଲେ l ଯେହେତୁ ଆମ ସରକାର ଲୋକଙ୍କ ସରକାର ତେଣୁ କୃଷି ଓ କୃଷକର ବିକାଶ,ମହିଳା ସଶକ୍ତିକରଣ ଉପରେ ଆମ ସରକାର ଲୋକଙ୍କ ସେବାରେ ସବୁବେଳେ ନିୟୋଜିତ ରହିଥିବା କହିଥିଲେ l ଜିଲ୍ଲାରେ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗକୁ ମଧ୍ୟ ହେବାର ଅଛି ଏବଂ ଜିଲ୍ଲାରେ ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା, ଆବାସ ସର୍ଭେ ସରିଛି ଏବଂ ଯଥାଶୀଘ୍ର ଲୋକଙ୍କୁ ଘର ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ଏକ ନଂ ଜିଲ୍ଲା ଭାବେ ପରିଗଣିତ କରାଯିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ସମସ୍ତ ସରକାରୀ ଅଧିକାରୀ ସାମଗ୍ରିକ ଭାବେ ଏକ ହୋଇ କାର୍ଯ୍ୟ କଲେ ଏହି ଜିଲ୍ଲାର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ,କଣ୍ଟାମାଳ ବିଧାୟକ କହ୍ନେଇ ଡ଼ାଙ୍ଗ ମଞ୍ଚରେ ଉପସ୍ଥିତ ଥିଲେ l