• କେନ୍ଦୁଝରରେ ୧୯୦୦ କୋଟି ଟଙ୍କାର ୭୧ ପ୍ରକଳ୍ପର ଶୁଭାରମ୍ଭ
  • ୧୭୦୮ କୋଟି ଟଙ୍କାର ୩୫ ପ୍ରକଳ୍ପର ଶିଳାନ୍ୟାସ
  • ୧୯୪ କୋଟି ଟଙ୍କାର ୩୬ ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ୱର, ୧୩।୧ : ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ । ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଜଙ୍ଗଲ, କୃଷି ଠାରୁ ମାନବ ସମ୍ବଳ ପର୍ଯ୍ୟନ୍ତ, କେନ୍ଦୁଝର ସର୍ବଦା ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି। କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଊର୍ଦ୍ଧ୍ୱ ୭୧ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସମୁଦାୟ ୧୭୦୮ କୋଟି ଟଙ୍କା ମୂଲ୍ୟର ୩୫ ପ୍ରକଳ୍ପର ଶିଳାନ୍ୟାସ ଏବଂ ପ୍ରାୟ ୧୯୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏଥିରେ କେନ୍ଦୁଝରର ସ୍କୁଲ, ହଷ୍ଟେଲ, ଇରିଗେସନ, ପାର୍କିଂ ଜୋନ, ରାସ୍ତା ନିର୍ମାଣ, ପୋଖରୀ ଉନ୍ନତିକରଣ, ପର୍ଯ୍ୟଟନ ପ୍ରକଳ୍ପ, ଲାଇବ୍ରେରୀ, କ୍ୟାରିଅର କାଉନ୍ସେଲିଂ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ବିଲ୍ଡିଂ ଇତ୍ୟାଦି ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେବେଠୁ ମାଆ ତାରିଣୀଙ୍କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି, ସେବେଠାରୁ କେନ୍ଦୁଝରର ବିକାଶର ଡବଲ ଇଂଜିନ ଗାଡିରେ ରକେଟ୍ ଇଞ୍ଜିନ ଲାଗିଛି । କେଉଁଝର କେବଳ ଏକ ଜିଲ୍ଲା ନୁହେଁ – ଏହା ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦର ଭୂମି। ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଏହି ମାଟି ଓଡ଼ିଶାର ଆର୍ଥିକ ଶକ୍ତିରେ ଅପାର ଅବଦାନ ରଖିଛି। ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଜଙ୍ଗଲ, କୃଷି ଠାରୁ ମାନବ ସମ୍ବଳ ପର୍ଯ୍ୟନ୍ତ, କେନ୍ଦୁଝର ସର୍ବଦା ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି।

କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ । ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। ଆସନ୍ତା ୩-୪ ବର୍ଷ ଭିତରେ କେନ୍ଦୁଝର ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ପ୍ରତିଷ୍ଠା ହାସଲ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ରାଜ୍ୟର ସନ୍ତୁଳିତ ବିକାଶ ଦିଗରେ କାର୍ଯ୍ୟ କରୁଛି। ଆମ ସରକାର ଆସିବା ମାତ୍ରେ ଲୋକଙ୍କ ଏହି ଅଭିଯୋଗକୁ ସମାଧାନ କରିବା ପାଇଁ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ। ରିପୋର୍ଟ ଆସିଲା ପରେ ଏହି ଦୁଇ ବିକାଶ ପରିଷଦ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ।

ସରକାରଙ୍କ ଏହି ବିକାଶ ମୂଳକ କାର୍ଯ୍ୟ କେବଳ ଗୋଟିଏ ଜିଲ୍ଲା କି ଗୋଟିଏ ଅଞ୍ଚଳ ମଧ୍ୟରେ ସୀମାବଦ୍ଧ ନୁହେଁ। ବର୍ଷ ତମାମ, ପ୍ରତ୍ୟେକ ଜିଲ୍ଲା ପାଇଁ ଆଖିଦୃଶିଆ ବିକାଶ ମୂଳକ ପ୍ରକଳ୍ପ, ଯୋଜନା ଏବଂ ଭିତ୍ତିଭୂମି କରାଯାଉଛି ବୋଲି ସେ କହିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ଵପ୍ନ ସମ୍ଭବ ହୋଇପାରିବ। ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି ଯାହାର ମୂଳଦୁଆ ହେବ ରାଜ୍ୟର ତିରିଶ ଗୋଟି ଜିଲ୍ଲା। ଗୋଟିଏ ବି ଜିଲ୍ଲା ଦୁର୍ବଳ ହେଲେ ବିକଶିତ ଓଡିଶାର ସ୍ଵପ୍ନ ଅଧାରେ ରହିଯିବ। ତେଣୁ , ଓଡିଶାର ପ୍ରତ୍ୟେକ ଅଞ୍ଚଳ ହେବ ବିକଶିତ। ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ହେବ ଶିଳ୍ପାୟନ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପିତ ବିକଶିତ ଭାରତ ଗଠନ କରିବା ପାଇଁ ଓଡିଶାର ପ୍ରତ୍ୟେକ ନାଗରିକଙ୍କ ବିକାଶ ହେବା ଅତ୍ୟନ୍ତ ଜରୁରୀ। ଏହାକୁ ଦ୍ରୁଷ୍ଟିରେ ରଖି ଆମ ସରକାର ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟରତ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ Birds of Keonjhar ନାମକ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିବା ସହିତ, ବିଭିନ୍ନ SHG ଗ୍ରୁପର ମହିଳା ହିତାଧିକାରୀଙ୍କୁ ସହାୟତା ରାଶି ଚେକ ବଣ୍ଟନ କରିଥିଲେ।

କେନ୍ଦୁଝରରେ Regional Plant Resource Centre ପାଇଁ ୫୦ କୋଟି ଟଙ୍କା ବିନିଯୋଗରେ ଶିଳାନ୍ୟାସ କରିଥିଲେ। ସେହିପରି୩୮ କୋଟି ୨୨ ଲକ୍ଷ ଟଙ୍କାରେ ୧୪୭ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ,୧୦୧ କୋଟି ଟଙ୍କା ବିନିଯୋଗରେ ୬ଟି ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରା ଯାଇଥିଲା । ।କେନ୍ଦୁଝରର ବିଭିନ୍ନ ସ୍ଥାନରେ ୨୧.୫୦ କୋଟି ଟଙ୍କା ବିନିଯୋଗରେ ୧୦୪ଟି ACR, ICT Lab ଓ Boundary Wall ର ଉଦ୍ଘାଟନ କରାଯାଇଛି । ଏଥିସହିତ ୧୪ କୋଟି ଟଙ୍କା ବିନିଯୋଗରେ ଚମ୍ପୁଆରେ ନିକଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ୯.୬୦ କୋଟି ଟଙ୍କାରେ ଖଣି କ୍ଷେତ୍ରରେ ସ୍ଥାନୀୟ ଯୁବକମାନଙ୍କୁ ସ୍କିଲ୍ ଟ୍ରେନିଂ ଦେବା ପାଇଁ ଡିଏମଏଫ ଖଣି ଶକ୍ତିର ଉଦ୍ଘାଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ଚରଣ ନାୟକ, ବିଧାୟକ ସନାତନ ମହାକୁଡ, ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଳ ସିଂ, ଡିଆଇଜି ବ୍ରିଜେସ ରାୟ, ଏସ୍ପି ନିତୀନ କୁଶଲକୁର, ଡିଏଫଓ ଏଚଡ଼ି ଧନରାଜ ପ୍ରମୁଖ ଉପସ୍ଥିତ ଥିଲେ।