ମାଲକାନଗିରି, ୧୮/୧୨ : ମାଲକାନଗିରି ବ୍ଲକସ୍ଥ ବିଏଲପୁର ସେବା ଆଶ୍ରମ ବିଦ୍ୟାଳୟରେ ଅଘଟଣ । ଶୌଚାଳୟରେ ପଡ଼ି ଜଣେ ଛାତ୍ରୀର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀ ହେଲେ ୫ମ ଶ୍ରେଣୀର ଧରିତ୍ରୀ ଖେମୁଡୁ (୧୦) । ବିଦ୍ୟାଳୟର ହଷ୍ଟେଲରେ ସେ ରହୁଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବିଏଲପୁର ଆଶ୍ରମ ବିଦ୍ୟାଳୟରେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଶୌଚାଳୟରେ ପଡ଼ି ରହିଥିବା ଜାଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ବୋଲେରୋ ଗାଡ଼ି ଭଡ଼ା କରି ତୁରନ୍ତ ତାଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ଆମେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କୁ ପଚାରିବାରୁ ସେ କହିଥିଲେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ବିଏଲପୁର ସେବା ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଶୌଚାଳୟକୁ ଯାଇଥିଲେ । ସେଠାରେ ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଶିକ୍ଷକମାନେ ନିକଟସ୍ଥ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରୁ ଡାକ୍ତର ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ହସ୍ପିଟାଲରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ଏକ ଦୁର୍ଘଟଣା । ଏହି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଛି, ପରେ ବିଭାଗୀୟ ତଦନ୍ତ କରାଯିବ ବୋଲି ଶ୍ରୀ ଆଚାରୀ କହିଛନ୍ତି । ଛାତ୍ରୀଙ୍କ ମୃତ୍ୟୁରେ ବିଏଲପୁର ସ୍କୁଲରେ ଶୋକର ଛାୟା ଖେଳିଯାଇଛି।