ନୂଆଦିଲ୍ଲୀ: ବୁଧବାର(ଜାନୁଆରି ୮) କେରଳର ଏକ ମସଜିଦ୍ରେ ହାତୀ ଆକ୍ରମଣ କରିବା ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଛି। ମଲ୍ଲାପୁରମ ଜିଲ୍ଲାର ବିପି ଅଙ୍ଗାଡି ମସଜିଦ୍ରେ ହେଉଥିବା ପୁଟ୍ଟିୟାଗାଡି ପର୍ବରେ ଯୋଗ ଦେବା ପାଇଁ ଲୋକମାନେ ଭିଡ଼ ଜମେଇଥିଲେ। ଏହି ସମୟରେ ସେଠାରେ ଥିବା ହାତୀ ଆକ୍ରମଣ କରିବା ଯୋଗୁଁ ୨୪ ଜଣରୁ ଅଧିକ ଆହାତ ହୋଇଥିବା ଜଣାପଡ଼ିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମସ୍ଜିଦରେ ହେଉଥିବା ପର୍ବରେ ଯୋଗ ଦେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ହାତୀ ଆସିଥିଲେ। ଏହି ସମୟରେ ହଠାତ୍ ପକ୍କାଥୁ ଶ୍ରୀକୁଟ୍ଟନ ନାମକ ଏକ ହାତୀ ଉତ୍ତେଜିତ ହୋଇ ଭିଡ଼ ଭିତରକୁ ମାଡ଼ି ଆସିଥିଲା। ଭିଡ ମଧ୍ୟରୁ ଜଣେ ଲୋକଙ୍କୁ ନିଜ ଶୁଣ୍ଢରେ ଟେକିନେଇ ତଳେ କଚାଡି ଦେଇଥିଲା। ତେବେ ଏହି ଆକ୍ରମଣରେ କାହାର ମୃତ୍ୟୁ ହୋଇନଥିବା ବେଳେ ମୋଟ ୨୪ ଜଣ ଗୁରୁତର ଆହାତ ହୋଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ହାତୀ ହଠାତ୍ ଅତିଷ୍ଠ ହୋଇପଡି ଭିଡ ଭିତରୁ ଜଣକୁ ଟାଣିନେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଜନତା ହାତୀର ଉଗ୍ର ରୁପ ଦେଖି ଧାଁ ଦଉଡ କରିବା ଆରମ୍ଭ କରିଦେଇଥିଲେ। ଏଣୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ଅତି କମରେ ୨୪ ଜଣ ଲୋକ ଆହତ ହୋଇଥିବା ନେଇ ସୁଚନା ମିଳିଛି।
ହାତୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କୋଟାକ୍କାଲର ଆଷ୍ଟର ଏମଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ହାତୀଟିର ମହୁନ୍ତ ବହୁ କଷ୍ଟରେ ହାତୀକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ। ତେବେ ହାତୀ ଆକ୍ରମଣ କରିବାର ଦୁଇ ଘଣ୍ଟା ପରେ ହାତୀକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ବୋଲି ସୁଚନା ମିଳିଛି।