ନୂଆଦିଲ୍ଲୀ, ୧୪।୩: ଯଦି ଆପଣ ଜଣେ ଟ୍ୟାକ୍ସପେୟର୍, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରୀୟ ବଜେଟ୍ ୨୦୨୬ରେ ଆୟକର ଆଇନରେ କରାଯାଇଥିବା ଅନେକ ସଂଶୋଧନ ଆସନ୍ତା ୧ ଏପ୍ରିଲ ୨୦୨୬ ରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ଟ୍ୟାକ୍ସ ପ୍ରକ୍ରିୟାକୁ ସରଳ କରିବା ପାଇଁ କରାଯାଇଥିଲେ ମଧ୍ୟ, ଏହା ଆପଣଙ୍କ ଆର୍ଥିକ ଯୋଜନା ଉପରେ ସିଧାସଳଖ ପ୍ରଭାବ ପକାଇବ ।
ଆସନ୍ତୁ ଜାଣିବା ୭ଟି ବଡ଼ ପରିବର୍ତ୍ତନ ବିଷୟରେ:
୧. ନୂଆ ଆୟକର ଆଇନ, ୨୦୨୫
୧୯୬୧ ମସିହାରୁ ଚାଲିଆସୁଥିବା ପୁରୁଣା ଆୟକର ଆଇନ ବଦଳରେ ଏବେ ‘ନୂଆ ଆୟକର ଆଇନ, ୨୦୨୫’ ଲାଗୁ ହେବ । ଏହା ଅଧିକ ଆଧୁନିକ ଓ ସରଳ ହେବ ବୋଲି କୁହାଯାଉଛି । ତେବେ ଆଶ୍ଵସ୍ତିର କଥା ହେଉଛି ଯେ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଟ୍ୟାକ୍ସ ସ୍ଲାବ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
୨. ITR ଫାଇଲ୍ କରିବା ସମୟସୀମା ବୃଦ୍ଧି
ଯେଉଁ ଟ୍ୟାକ୍ସପେୟର୍ସମାନଙ୍କର ଅଡିଟ୍ ଆବଶ୍ୟକ ହୁଏନାହିଁ, ସେମାନଙ୍କ ପାଇଁ ITR-3 ଏବଂ ITR-4 ଫାଇଲ୍ କରିବାର ଶେଷ ତାରିଖକୁ ବଢ଼ାଇ ୩୧ ଅଗଷ୍ଟ କରାଯାଇଛି । ପୂର୍ବରୁ ଏହା ଜୁଲାଇ ମାସରେ ଶେଷ ହେଉଥିଲା । ତେବେ ITR-1 ଏବଂ ITR-2 ପାଇଁ ଶେଷ ତାରିଖ ପୂର୍ବଭଳି ୩୧ ଜୁଲାଇ ରହିବ ।
୩. ରିଭାଇଜ୍ଡ୍ ITR ପାଇଁ ମିଳିବ ଅଧିକ ସମୟ
ଯଦି ଆପଣ ITR ଫାଇଲ୍ କରିବା ସମୟରେ କୌଣସି ଭୁଲ୍ କରିଛନ୍ତି, ତେବେ ଏବେ ଆପଣ ସେହି ଆର୍ଥିକ ବର୍ଷର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରିଭାଇଜଡ୍ ରିଟର୍ଣ୍ଣ ଦାଖଲ କରିପାରିବେ । ପୂର୍ବରୁ ଏହି ସୀମା ୩୧ ଡିସେମ୍ବର ପର୍ଯ୍ୟନ୍ତ ଥିଲା । ମନେରଖନ୍ତୁ ୩୧ ଡିସେମ୍ବର ପରେ ଫାଇଲ୍ କଲେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ ।
୪. ସେୟାର ବଜାରରେ କାରବାର ହେବ ମହଙ୍ଗା
ଶେୟାର ବଜାରରେ F&O (Futures & Options) କାରବାର କରୁଥିବା ନିବେଶକଙ୍କ ପାଇଁ ଏହା ଏକ ବଡ଼ ଝଟକା । ଫ୍ୟୁଚର୍ସ ଉପରେ STTକୁ ୦.୦୨% ରୁ ବଢ଼ାଇ ୦.୦୫% ଏବଂ ଅପ୍ସନ୍ସ ଉପରେ ଏହାକୁ ୦.୧% ରୁ ବଢ଼ାଇ ୦.୧୫% କରାଯାଇଛି ।
୫. ସେୟାର ବାୟବ୍ୟାକ୍ ଉପରେ ଟ୍ୟାକ୍ସ
ଆସନ୍ତା ଏପ୍ରିଲରୁ କମ୍ପାନୀଗୁଡିକ ପକ୍ଷରୁ କରାଯାଉଥିବା ସେୟାର ବାୟବ୍ୟାକ୍ରୁ ମିଳୁଥିବା ଟଙ୍କାକୁ 'କ୍ୟାପିଟାଲ ଗେନ୍ସ' ଭାବେ ବିଚାର କରାଯାଇ ଟ୍ୟାକ୍ସ ଲଗାଯିବ । ପୂର୍ବରୁ ଏହାକୁ ‘ଡିମ୍ଡ ଡିଭିଡେଣ୍ଡ’ ଭାବେ ଗ୍ରହଣ କରାଯାଉଥିଲା ।
୬. ଡିଭିଡେଣ୍ଡ ଆୟରୁ ସୁଧ ଖର୍ଚ୍ଚ କାଟ୍ ବନ୍ଦ
ନୂଆ ନିୟମ ଅନୁସାରେ, ଡିଭିଡେଣ୍ଡ କିମ୍ବା ମ୍ୟୁଚୁଆଲ୍ ଫଣ୍ଡରୁ ହେଉଥିବା ଆୟ ପାଇଁ ଆପଣ କରିଥିବା ସୁଧ ଖର୍ଚ୍ଚକୁ ଆଉ ଟ୍ୟାକ୍ସ ରିହାତି ଭାବେ ଦର୍ଶାଇ ପାରିବେ ନାହିଁ । ଏବେ ସମ୍ପୂର୍ଣ୍ଣ ଡିଭିଡେଣ୍ଡ ଆୟ ଉପରେ ସ୍ଲାବ୍ ରେଟ୍ ଅନୁଯାୟୀ ଟ୍ୟାକ୍ସ ଦେବାକୁ ହେବ ।
୭. TCS ଦରରେ ପରିବର୍ତ୍ତନ
ଟ୍ୟାକ୍ସପେୟର୍ସଙ୍କ ଦ୍ଵିଧା ଦୂର କରିବା ଓ ଟ୍ୟାକ୍ସ ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ୟାକ୍ସ କଲେକ୍ଟେଡ୍ ଏଟ୍ ସୋର୍ସ (TCS) ଦରରେ ମଧ୍ୟ କିଛି ଯୁକ୍ତିସଙ୍ଗତ ପରିବର୍ତ୍ତନ କରାଯାଇଛି । ସଂକ୍ଷେପରେ କହିବାକୁ ଗଲେ, ୧ ଏପ୍ରିଲ ୨୦୨୬ରୁ ଆପଣଙ୍କ ଟ୍ୟାକ୍ସ ପ୍ଲାନିଂରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ନିଜର ଆର୍ଥିକ କାରବାରକୁ ଏହି ନୂଆ ନିୟମ ଅନୁଯାୟୀ ବ୍ୟବସ୍ଥିତ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।