ନୂଆଦିଲ୍ଲୀ,୧୨/୦୧: ବିରାଟ କୋହଲି ୯୩ ରନ୍ । ଶୁବମନ ଗିଲଙ୍କ ୫୬  । ଶ୍ରେୟାସ ଆୟରଙ୍କ ୪୯ ରନ୍‌ର ପାଳି ସହ କେଏଲ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ମ୍ୟାଚ ଶେଷ କରିବା ଷ୍ଟାଇଲ । କୋହଲିଙ୍କ ବିରାଟ ଚମକ ସହ ଆୟର-ଗିଲଙ୍କ କମବ୍ୟାକ ଆଉ ରାହୁଙ୍କ ପେସେନ୍ସ ଭାରତକୁ ପ୍ରଥମ ଦିନିକିଆରେ ବିଜୟ ଦେଇଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅଭିଯାନ ଆରମ୍ଭ କରିଛି ଭାରତ । ଅଧିନାୟକ ଶୁଭମନ ଗିଲ (୫୬) ଏବଂ ଭେଟେରାନ ବିରାଟ କୋହଲିଙ୍କ (୯୩) ଅର୍ଦ୍ଧଶତକ ସହାୟତାରେ ପ୍ରଥମ ମ୍ୟାଚରେ ଘରୋଇ ଦଳ ୪ ୱିକେଟ୍ରେ ବିଜୟୀ ହୋଇଛି । କୋହଲି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ନୂଆ ବର୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ ।

​​​​​​​୩୦୧ ରନ୍‌ର ବିଜୟ ଟାର୍ଗେଟ୍‌ ଘରୋଇ ଦଳ ପାଇଁ ସହଜ ମନେ ହେଉଥିଲା । ପ୍ରାରମ୍ଭରୁ ରୋହିତ ଶର୍ମା (୨୬) ସହଳ ଫେରିଥିଲେ । ଦ୍ୱିତୀୟ ୱିକେଟ୍‌ରେ ଗିଲ-କୋହଲି ଯୋଡ଼ି ୧୧୮ ରନର ଭାଗିଦାରୀ ଗଢ଼ିଥିଲେ । ଗିଲ ଅର୍ଦ୍ଧଶତକ ପୂରଣ କରି ଫେରିଥିଲେ ।  ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ପୂରଣ କରି ଶତକୀୟ ଦିଗରେ ଅଗ୍ରସର ହେଉଥାନ୍ତି । ମାତ୍ର ୭ ରନ ଦୂରରେ ରହିଥାନ୍ତି । ଏତିକିବେଳେ ବୋଲିଂ କରିବାକୁ ଆସିଥିଲେ କାଇଲ ଜାମିସନ । ସେ ଓଭରର ପ୍ରଥମ ବଲରେ (୩୯.୧) କୋହଲିଙ୍କୁ ଆଉଟ କରି ତାଙ୍କୁ ଶତକରୁ ବଞ୍ଚିତ କରାଇଥିଲେ । ୯୩ ରନ୍‌ କରି କୋହଲି ପାଭିଲିୟନ ଫେରିଥିଲେ, ଯେଉଁଥିରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା । ପୁଣି ଓଭରର ଅନ୍ତିମ ବଲରେ ରାହୁଲଙ୍କ ଉପରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା (୪) ଆଉଟ୍‌ ହୋଇଥିଲେ । କିଛି ସମୟ ଘରୋଇ ଦଳ ସଙ୍କଟରେ ପଡ଼ିଥିଲା । ପୁଣି ବ୍ୟକ୍ତିଗତ ୪୯ ରନ୍‌ କରି ଅପରାଜିତ ରହିଥିବା ଶ୍ରେୟାସ ଆୟରଙ୍କ ୱିକେଟ୍‌ ନେଇଥିଲେ ଜାମିସନ । ମାତ୍ର ୮ ରନ୍‌ରେ ଭାରତ ୩ଟି ୱିକେଟ୍‌ ହରାଇଥିଲା । ରାହୁଲ ଓ ହର୍ଷିତ ରାଣା ପୁଣି ଦଳର ବିଶ୍ୱାସ ଫେରାଇ ଆଣିଥିଲେ । ରାଣା ୨୯ ରନ କରି ଫେରିବା ବେଳକୁ ଦଳ ବିଜୟର ନିକଟତର ହୋଇ ସାରିଥିଲା । ଶେଷରେ ରାହୁଲ (୨୯) ଓ ୱାସିଂଟନ ସୁନ୍ଦର (୭) ଅପରାଜିତ ରହି ଦଳକୁ ଜିତାଇଥିଲେ । ପ୍ରଥମ ଦିନିକିଆ ଜିତି ଭାରତ ୧-୦ରେ ସିରିଜରେ ଆଗୁଆ ରହିଛି ।

​​​​​​​  

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍‌ରେ ୩୦୦ ରନ କରିଥିଲା । ମଧ୍ୟଭାଗରେ କିଛି ସମୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମଧ୍ୟ ଭାରତ ୪୯ ଓଭରରେ ୬ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ୪୯ତମ ଓଭରରେ କେଏଲ୍‌ ରାହୁଲ କ୍ରମାନ୍ୱୟରେ ଶେଷ ୩ ବଲରେ ୨ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ୩୦୧ ରନର ବିଜୟ ଲକ୍ଷ୍ୟ ଭାରତ ପାଇଁ ଟିକେ ଦୂରକୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ହେଲେ ଶେଷରେ ଦଳକୁ ବିଜୟ ମିଳିଥିଲା । ଏହି ମ୍ୟାଚରେ ଗିଲଙ୍କ ଫର୍ମ, ଆୟରଙ୍କ କ୍ଲାସ ଏବଂ ରାହୁଲଙ୍କ ଧୈର୍ଯ୍ୟ ସହ ଭାରତ ପାଇଁ ଏକାଧିକ ପଜେଟିଭ ସାଇନ୍ ଦେଖିବାକୁ ମିଳିଥିଲା ।