ନୂଆଦିଲ୍ଲୀ: ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ୧ ସେପ୍ଟେମ୍ବର ୨୦୨୫ ଠାରୁ ରୂପା ଅଳଙ୍କାର ଓ ସାମଗ୍ରୀ ପାଇଁ ସ୍ୱେଚ୍ଛାଧୀନ ଭିତ୍ତିରେ ହଲମାର୍କିଂ ୟୁନିକ୍ ଆଇଡେଣ୍ଟିଫିକେସନ (ଏଚଯୁଆଇଡି) ଆଧାରିତ ହଲମାର୍କିଂ ପ୍ରଣାଳୀ ପ୍ରଚଳନ କରିଛି। ଏହି ନିଷ୍ପତ୍ତି ଗ୍ରାହକମାନଙ୍କୁ ରୂପାର ଶୁଦ୍ଧତା ଯାଞ୍ଚ କରିବାରେ ସହାୟତା କରିବ ଏବଂ ଧାତୁର ଗୁଣବତ୍ତା ନିଶ୍ଚିତ କରିବ।

୨୦୦୫ ଅକ୍ଟୋବରରୁ ରୂପା ଅଳଙ୍କାର ପାଇଁ ସ୍ୱେଚ୍ଛାଧୀନ ହଲମାର୍କିଂ ସେବା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ରୂପା ବ୍ୟବସାୟୀମାନଙ୍କୁ IS 2112 ଅନୁଯାୟୀ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। ବିଆଇଏସ ପୂର୍ବ ମାନକ IS 2112:2014କୁ ସଂଶୋଧନ କରି IS 2112:2025 ପ୍ରକାଶ କରିଛିଯେଉଁଥିରେ ଏଚୟୁଆଇଡି ଆଧାରିତ ହଲମାର୍କିଂ ପ୍ରଣାଳୀ ପ୍ରବର୍ତ୍ତନ କରାଯାଇଛି। ଏହା ରୂପା ଅଳଙ୍କାରର ଟ୍ରେସାବିଲିଟି ବୃଦ୍ଧି କରିବ ଏବଂ ସୁନା ହଲମାର୍କିଂ ସହ ସମନ୍ୱୟ ରକ୍ଷା କରିବ।

ଗ୍ରାହକମାନେ BIS Care ଆପ୍ ମାଧ୍ୟମରେ ୧ ସେପ୍ଟେମ୍ବର ୨୦୨୫ ପରେ ହଲମାର୍କ ହୋଇଥିବା ରୂପା ଅଳଙ୍କାରର ସାମଗ୍ରୀ ପ୍ରକାର, ଶୁଦ୍ଧତା ଗ୍ରେଡ, ହଲମାର୍କିଂ ତାରିଖ, ଆସେଇଂ ଓ ହଲମାର୍କିଂ ସେଣ୍ଟର (ଏଏଚସି)ର ବିବରଣୀ ଏବଂ ବ୍ୟବସାୟୀଙ୍କ ପଞ୍ଜୀକରଣ ନମ୍ବର ଯାଞ୍ଚ କରିପାରିବେ।

ନୂଆ ମାନକ IS 2112:2025 ଅନୁଯାୟୀ ସାତୋଟି ଶୁଦ୍ଧତା ଗ୍ରେଡ - 800, 835, 925, 958, 970, 990999 (958999 ନୂଆ ଯୋଡ଼ା ହୋଇଛି) ସହ ଏଚଯୁଆଇଡି ଆଧାରିତ ହଲମାର୍କିଂ ପ୍ରଚଳନ ହୋଇଛି। ହଲମାର୍କରେ ତିନୋଟି ମୁଖ୍ୟ ଉପାଦାନ ରହିଛି। ସେଗୁଡିକ ହେଉଛି ବିଆଇଏସ ମାନକ ଚିହ୍ନ ସହ ‘SILVER’ ଶବ୍ଦ, ଶୁଦ୍ଧତା ଗ୍ରେଡ ଓ ଏଚଯୁଆଇଡି କୋଡ।

ଦେଶର ୮୭ଟି ଜିଲ୍ଲାରେ ବିଆଇଏସ ଦ୍ୱାରା ମାନ୍ୟତାପ୍ରାପ୍ତ ପ୍ରାୟ ୨୩୦ଟି ଏଏଚସି ରୂପା ଅଳଙ୍କାର ଯାଞ୍ଚ ପାଇଁ କାର୍ଯ୍ୟ କରୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୩୨ ଲକ୍ଷରୁ ଅଧିକ ରୂପା ଅଳଙ୍କାର ହଲମାର୍କ ହୋଇଥିବା ସୂଚନା ରହିଛି।

ପୂର୍ବବର୍ତ୍ତୀ ମାନକ IS 2112:2014ରେ ଛଅଟି ଶୁଦ୍ଧତା ଗ୍ରେଡ - 800, 835, 900, 925, 970, 990ରେ ହଲମାର୍କିଂ ଅନୁମୋଦିତ ଥିଲା ଏବଂ ହଲମାର୍କରେ ଚାରୋଟି ଉପାଦାନ - ବିଆଇଏସ ମାର୍କ ସହ ‘SILVER’ ଶବ୍ଦ, ଶୁଦ୍ଧତା ଗ୍ରେଡ, ଆସେଇଂ ସେଣ୍ଟରର ଚିହ୍ନ ଓ ବ୍ୟବସାୟୀ/ନିର୍ମାତାଙ୍କ ଚିହ୍ନ ରହିଥିଲା।

ଏହି ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୭ ଅଗଷ୍ଟ ୨୦୨୫ରେ ବିଆଇଏସ ଏକ ଷ୍ଟେକହୋଲଡର ବୈଠକ ଆୟୋଜନ କରିଥିଲାଯେଉଁଥିରେ ୮୦ରୁ ଅଧିକ ବ୍ୟବସାୟୀ, ଏଏଚସି ଓ ଗ୍ରାହକ ଅଂଶଗ୍ରହଣ କରିଥିଲେ। ବିଆଇଏସ ଶାଖା କାର୍ଯ୍ୟାଳୟ ଓ ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।

ଏହି ପଦକ୍ଷେପ ଗ୍ରାହକଙ୍କ ଅଧିକାରକୁ ମଜବୁତ କରିବ ଏବଂ ଅନୁଚିତ କାର୍ଯ୍ୟରୁ ସୁରକ୍ଷା ପ୍ରଦାନ କରିବ।